ଲାହୋର: ପାକିସ୍ତାନ ସେନା ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମଦ ସରିଫ ଚୌଧୁରୀ ଆତଙ୍କବାଦୀ ହାଫିଜ ସୟିଦର ଭାଷା ବ୍ୟବହାର କରି ଭାରତକୁ ଧମକ ଦେଇଛନ୍ତି। ସିନ୍ଧୁ ଜଳ ଚୁକ୍ତିରେ ଭାରତର ପ୍ରତିବନ୍ଧକକୁ ନେଇ ପାକିସ୍ତାନର ଏକ ବିଶ୍ୱବିଦ୍ୟାଳୟରେ ଭାଷଣ ଦେବା ବେଳେ ସେ ଭାରତକୁ ଧମକ ଦେଇ କହିଛନ୍ତି- ‘ଆମେ ତୁମର ଶ୍ବାସ ବନ୍ଦ କରିଦେବୁ।’ ନିକଟରେ ଜମ୍ମୁ-କାଶ୍ମୀରର ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଜଳ ବଣ୍ଟନ ଚୁକ୍ତିକୁ ସ୍ଥଗିତ ରଖିବାକୁ ନେଇ ଭାରତର ପଦକ୍ଷେପ ସମ୍ପର୍କରେ ସେ କହିଛନ୍ତି, ଯଦି ଆପଣ ଆମର ପାଣିକୁ ଅବରୋଧ କରନ୍ତି, ତେବେ ଆମେ ଆପଣଙ୍କ ଶ୍ୱାସ ବନ୍ଦ କରିଦେବୁ।
୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଲସ୍କର-ଏ-ତୋଏବାର ପ୍ରତିଷ୍ଠାତା ହାଫିଜ ସୟିଦ ଭାରତ ଓ ଆମେରିକା ବିରୋଧରେ ଉତ୍ତେଜନାମୂଳକ ଭାଷଣ ଦେଇଥିଲା। ତା’ର ସ୍ବର ଚୌଧୁରୀଙ୍କ ବୟାନରେ ପ୍ରତିଫଳିତ ହୋଇଛି। ସୋସିଆଲ ମିଡିଆ ‘ଏକ୍ସ’ରେ ଭାଇରାଲ ହେଉଥିବା ଏକ ଭିଡିଓରେ ହାଫିଜ ସୟିଦ ସମାନ ଶବ୍ଦ କହୁଥିବା ଶୁଣିବାକୁ ମିଳୁଛି। ଆଫଗାନିସ୍ତାନର ରାଜନେତା ତଥା ପୂର୍ବତନ ସାଂସଦ ମରିୟମ୍ ସୋଲାୟମ ସୋଲାୟାଁଖିଲ କହିଛନ୍ତି, ମୁଁ ଅନୁମାନ କରୁଛି ଯେ ପାକିସ୍ତାନୀ ସାମରିକ ପ୍ରତିଷ୍ଠାନ ସ୍ୱୀକୃତିପ୍ରାପ୍ତ ଆତଙ୍କବାଦୀଙ୍କ ସହ ଏକ ସ୍କ୍ରିପ୍ଟ ଅଂଶୀଦାର କରିଛି।