ନୂଆଦିଲ୍ଲୀ; ଭାରତର 'ଅପରେସନ୍ ସିନ୍ଦୂର' ଅଧୀନରେ, ୯ଟି ଆତଙ୍କବାଦୀ ଆଡ୍ଡା ଉପରେ ଏୟାରଷ୍ଟ୍ରାଇକ୍ କରିଥିଲା। ଏଥିରେ ୧୦୦ରୁ ଅଧିକ ଆତଙ୍କବାଦୀ ନିହତ ହୋଇଥିଲେ। ୧୦୦ଜଣକ ମଧ୍ୟରେ ପୁଲୱାମା ଆକ୍ରମଣରେ ସମ୍ପୃକ୍ତ ୟୁସୁଫ ଆଝାର, ଅବଦୁଲ ମାଲିକ ରୌଫ ଏବଂ ମୁଦସିର ଅହମ୍ମଦ ସାମିଲ ଥିଲେ। ପହଲଗାମ୍ ଆକ୍ରମଣର ପ୍ରତିଶୋଧ ନେବାକୁ ଯାଇ ଆରମ୍ଭ ହୋଇଥିବା 'ଅପରେସନ୍ ସିନ୍ଦୂର' ଏବେ ବି ଜାରି ରହିଛି। ଏହାର ସମାଧାନ ପାଇଁ ଦୁଇ ଦେଶ ମଧ୍ୟରେ ଆଜି ଆଲୋଚନା ହେବାର ଅଛି। ଏମଧ୍ୟରେ ପାକିସ୍ତାନୀ ସେନା ସାମ୍ବାଦିକ ସମ୍ମିଳନୀ କରି ଭାରତ ସହ ଲଢ଼ିବା ବେଳେ ତାଙ୍କ ଲଢ଼ୁଆ ବିମାନ କ୍ଷତିଗ୍ରସ୍ତ ହୋଇଥିବା ଗ୍ରହଣ କରିଛି।
ରବିବାର ବିଳମ୍ବିତ ରାତିରେ, ପାକିସ୍ତାନର ନୌସେନା, ବାୟୁସେନା ଏବଂ ସେନା ଅଧିକାରୀମାନେ ଏକ ମିଳିତ ସାମ୍ବାଦିକ ସମ୍ମିଳନୀ କରି ସ୍ୱୀକାର କରିଛନ୍ତି ଯେ ଭାରତ ସହିତ ସଂଘର୍ଷରେ ଏହାର ଗୋଟିଏ ବିମାନ କ୍ଷତିଗ୍ରସ୍ତ ହୋଇଛି। ହେଲେ କେଉଁ ବିମାନ କ୍ଷତିଗ୍ରସ୍ତ ହୋଇଛି କିମ୍ବା ଏହାର ନାମ କ'ଣ ତାହା ପାକିସ୍ତାନ ପ୍ରକାଶ କରିନାହିଁ।
ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ପାକିସ୍ତାନ ସେନା ମୁଖପାତ୍ର ଲେଫ୍ଟନାଣ୍ଟ ଜେନେରାଲ ଅହମ୍ମଦ ସରିଫ ଚୌଧୁରୀ କହିଛନ୍ତି ଯେ, ଏହି ସାମ୍ବାଦିକ ସମ୍ମିଳନୀ 'ଅପରେସନ୍ ବୁନୟାନ-ଉଲ୍-ମାର୍ସୁସ୍'ର କାର୍ଯ୍ୟପନ୍ଥା ଏବଂ ନିଷ୍କର୍ଷ ଉପରେ ଆଧାରିତ। ଏକ ପାକିସ୍ତାନୀ ବିମାନ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି। ଆମେ ତାଙ୍କ ବିଷୟରେ ବିସ୍ତୃତ ସୂଚନା ଦେଇପାରିବୁ ନାହିଁ।
ସାମ୍ବାଦିକ ସମ୍ମିଳନୀ ସମୟରେ, ପାକିସ୍ତାନ ସେନା ମୁଖପାତ୍ରଙ୍କୁ ପଚରାଯାଇଥିଲା ଯେ, କୌଣସି ଭାରତୀୟ ପାଇଲଟ ପାକିସ୍ତାନର କବଜାରେ ଅଛନ୍ତି କି? ଜବାବରେ ସେ କହିଥିଲେ, କୌଣସି ଭାରତୀୟ ପାଇଲଟ୍ ପାକିସ୍ତାନର କବଜାରେ ନାହାନ୍ତି। ସୋସିଆଲ ମିଡିଆରେ ମିଛ ଖବର ପ୍ରସାରିତ ହେଉଛି। ଭାରତ ଦ୍ୱାରା ନିଆଯାଇଥିବା କାର୍ଯ୍ୟାନୁଷ୍ଠାନର ଜବାବରେ, ପାକିସ୍ତାନ ୨୬ଟି ଭାରତୀୟ ସାମରିକ ଘାଟି ଉପରେ ଆକ୍ରମଣ କରିଥିଲା, ଯେଉଁଥିରେ ବାୟୁସେନା ଏବଂ ବିମାନ ଚଳାଚଳ ଘାଟି ଅନ୍ତର୍ଭୁକ୍ତ ଥିଲା।
ପାକିସ୍ତାନ ଅନୁଯାୟୀ ସୁରଟଗଡ, ସିରସା, ଭୁଜ, ନାଲିଆ, ଆଦମପୁର, ଭଟିଣ୍ଡା, ବର୍ଣ୍ଣାଲା, ହାଲୱାରା, ଅବନ୍ତୀପୁରା, ଶ୍ରୀନଗର, ଜମ୍ମୁ, ଉଦମପୁର, ମାମୁନ, ଅମ୍ବାଲା ଏବଂ ପଠାନକୋଟରେ ଭାରତୀୟ ସାମରିକ ଘାଟି ଉପରେ ଆକ୍ରମଣ କରାଯାଇଥିଲା। ଏହା ବ୍ୟତୀତ, ବ୍ୟାସ ଏବଂ ନାଗ୍ରୋଟାରେ ଅବସ୍ଥିତ ବ୍ରହ୍ମୋସ କ୍ଷେପଣାସ୍ତ୍ର ସଂରକ୍ଷଣ କେନ୍ଦ୍ର ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2025/05/12/bedv7Iy4xhvDkLa5BZdc.jpg)