ଇସଲାମାବାଦ: ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ର ପୂର୍ବତନ ପ୍ରଧାନମନ୍ତ୍ରୀ ରାଜା ମହମ୍ମଦ ଫାରୁକ ହାୟଦାର ଖାନ ଭାରତର ଆକ୍ରମଣକୁ ଭୟ କରୁଛନ୍ତି। ନୱାଜ ସରିଫଙ୍କ ପାର୍ଟି ପିଏମଏଲଏନର ନେତା ହାୟଦାର ଆଶଙ୍କା କରିଛନ୍ତି ଯେ ରବିବାର ଦିନ ଜମ୍ମୁର ରିୟାସି ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରେ।

Advertisment

ଏଭଳି ପରିସ୍ଥିତିରେ ସେ ପାକିସ୍ତାନୀ ସେନା ଏବଂ ଶାହାବାଜ ସରିଫ ସରକାରଙ୍କୁ ସଜାଗ ରହିବାକୁ କହିଛନ୍ତି। ସୋମବାର ରାତିରେ ଟୁଇଟରରେ ଏକ ପୋଷ୍ଟରେ ରାଜା ହାଇଦର ଲେଖିଛନ୍ତି ରେସି ଆକ୍ରମଣର ବାହାନା କରି ପିଓକେରେ ଭାରତ ଆକ୍ରମଣ କରିପାରେ। ଭାରତ ଦ୍ୱାରା ଏଭଳି କୌଣସି କାର୍ଯ୍ୟ ପାଇଁ ପାକିସ୍ତାନ ସମ୍ପୂର୍ଣ୍ଣ ପ୍ରସ୍ତୁତ ହେବା ଉଚିତ୍।

ରବିବାର ସନ୍ଧ୍ୟାରେ ଜମ୍ମୁର ରିୟାସିରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ଆକ୍ରମଣକାରୀମାନେଶିବ ଖୋରୀ ଅଭିମୁଖେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌କୁ ଟାର୍ଗେଟ କରିଥିଲେ। ଆତଙ୍କବାଦୀମାନେ ବସ୍ ଉପରେ ଆଖିବୁଜା ଗୁଳି ଚଳାଇଥିଲେ। ଯେଉଁ କାରଣରୁ ବସ୍ ଏକ ଗଭୀର ଖାଇରେ ପଡିଯାଇଥିଲା। ଏହି ଆକ୍ରମଣରେ ୯ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ଆତଙ୍କବାଦୀ ଆକ୍ରମଣ ବୋଲି ରିୟାସି ଏସଏସପି ମୋହିତା ଶର୍ମା ନିଶ୍ଚିତ କରିଛନ୍ତି। ଏହି ଆକ୍ରମଣ ପରେ ପୋଲିସ, ସିଆରପିଏଫ ଏବଂ ସେନା ମିଳିତ ଭାବେ ଉଦ୍ଧାର କାର୍ଯ୍ୟ କରିଥିଲେ ଏବଂ ଆହତମାନଙ୍କୁ ଜମ୍ମୁକୁ ଚିକିତ୍ସା ପାଇଁ ନିଆଯାଇଥିଲା।

ରବିବାର ସନ୍ଧ୍ୟାରେ ନରେନ୍ଦ୍ର ମୋଦୀ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ଜମ୍ମୁରେ ଯେତେବେଳେ ଏହି ଆକ୍ରମଣ ହୋଇଥିଲା ସେତେବେଳେ ଦେଶର ସମସ୍ତ ବଡ ନେତା ଦିଲ୍ଲୀରେ ଶପଥ ଗ୍ରହଣ ସମାରୋହରେ ଯୋଗ ଦେଇଥିଲେ। ଏହି ଆକ୍ରମଣ ନରେନ୍ଦ୍ର ମୋଦୀଙ୍କ ଶପଥ ଗ୍ରହଣର କିଛି ଘଣ୍ଟା ପୂର୍ବରୁ ଘଟିଥିଲା। ଏହି ଆକ୍ରମଣକୁ ଭାରତ ସରକାର ନିନ୍ଦା କରିବା ସହ ସମ୍ପୃକ୍ତ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ଏହି ଆକ୍ରମଣର ସାକ୍ଷୀ ଥିବା ଯାତ୍ରୀମାନେ କହିଛନ୍ତି ଯେ ହଠାତ୍ ଗୁଳି ବର୍ଷା ଆରମ୍ଭ ହୋଇଗଲା। ଏହି ଆକ୍ରମଣରେ ବସ୍ ଡ୍ରାଇଭରଙ୍କ ଦେହରେ ଗୁଳି ଲାଗିବାରୁ ବସ୍‌ଟି ଖାଇରେ ପଡ଼ିଯାଇଥିଲା। ଆହତମାନେ କହିଛନ୍ତି ଯଦି ବସ୍ ଖାଇରେ ପଡ଼ି ନଥାନ୍ତା ତେବେ ଆତଙ୍କବାଦୀମାନେ କାହାକୁ ଜୀବନ୍ତ ଛାଡି ନଥାନ୍ତେ। ଏହି ଆକ୍ରମଣରେ ୩୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ଲୋକ ଏବଂ ପ୍ରଶାସନିକ ଦଳ ଘଟଣାସ୍ଥଳରେ ପହଞ୍ଚି ୨୦୦ଫୁଟ ଗଭୀର ଖାଇରେ ପଡ଼ିଥିବା ବସ୍‌ରୁ ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ପଠାଇଥିଲେ।