କିପରି ଓ କେଉଁ ଉପାୟରେ ଏଫ୍‌-୧୬କୁ ଧ୍ୱଂସ କରିଥିଲେ ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ତା’ର ପୂରା ବିବରଣୀ ଜାଣିବାକୁ ଯୁଦ୍ଧବନ୍ଦୀ ଥିବା କାଳରେ ପାକ୍‌ ସେନା ତାଙ୍କୁ ଦେଇଥିଲା ପ୍ରବଳ ନିର୍ଯାତନା

ନୂଆଦିଲ୍ଲୀ: ପାକିସ୍ତାନର ବାଲାକୋଟରେ ଭାରତୀୟ ବାୟୁସେନା ପକ୍ଷରୁ ଯେଉଁ ଏୟାର ଷ୍ଟ୍ରାଇକ୍‌ ହୋଇଥିଲା, ସେଥିରେ ପ୍ରତିହିଂସା ପରାୟଣ ହୋଇ ପାକିସ୍ତାନ ଗତ ଫେବ୍ରୁଆରି ୨୭ ତାରିଖରେ ଭାରତ ବିରୋଧରେ ଆମେରିକୀୟ ଲଢ଼ୁଆ ବିମାନ ଏଫ୍‌-୧୬କୁ ବ୍ୟବହାର କରିଥିଲା। ତେବେ, ଭାରତୀୟ ବାୟୁସେନାର ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ତାଙ୍କର ମିଗ୍‌-୨୧ ବାଇସନ୍‌ ଲଢ଼ୁଆ ବିମାନରେ ଏଫ୍‌-୧୬ ସହ ‘ଡଗ୍‌ ଫାଇଟ୍‌’ କରି ତାକୁ ଧ୍ୱଂସ କରି ଦେଇଥିଲେ। ଏହି ଘଟଣାରେ ହତଭମ୍ଭ ହୋଇ ପଡ଼ିଥିଲା ପାକିସ୍ତାନ।

ତେବେ, ପରବର୍ତ୍ତୀ ସମୟରେ ଏକ ଦୁର୍ଭାଗ୍ୟକ୍ରମ ଘଟଣାକ୍ରମରେ ପାକିସ୍ତାନୀ ବାୟୁସେନା ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କର ମିଗ୍‌-୨୧ ବାଇସନ୍‌ ବିମାନକୁ ଖସାଇ ଦେବା ସହ ତାଙ୍କୁ ଯୁଦ୍ଧବନ୍ଦୀ କରି ନେଇଥିଲା। ତେବେ, ପାକିସ୍ତାନରେ ପ୍ରାୟ ୬୦ ଘଣ୍ଟା ପର୍ଯ୍ୟନ୍ତ ଯୁଦ୍ଧବନ୍ଦୀ ଥିବା କାଳରେ ପାକିିସ୍ତାନ ବାୟୁସେନାର ବରିଷ୍ଠ ଅଧିକାରୀମାନେ ତାଙ୍କୁ ପ୍ରବଳ ମାତ୍ରାରେ ଶାରିରୀକ ଓ ମାନସିକ ନିର୍ଯାତନା ଦେଇ ସେ କିପରି ଓ କେଉଁ ଉପାୟରେ ଏଫ୍‌୍‌-୧୬କୁ ଧ୍ୱଂସ କଲେ ତାହାର ପୂରା ବିବରଣୀ ତାଙ୍କ ଠାରୁ ଜାଣିବାକୁ ଚାହିଁଥିଲେ। ଏପରିକି ଏଫ୍‌-୧୬କୁ ଧ୍ୱଂସ କରିବା ପାଇଁ ସେ କେଉଁ ମିସାଇଲ୍‌ର ପ୍ରୟୋଗ କରିଥିଲେ ତାହାର ସବିଶେଷ ତଥ୍ୟ ଦେବା ପାଇଁ ମଧ୍ୟ ପାକିସ୍ତାନର ବାୟୁସେନା ଅଧିକାରୀମାନେ ତାଙ୍କୁ ନିର୍ଯାତନା ଦେଇ ଚାପ ପ୍ରୟୋଗ କରିଥିଲେ। ତେବେ, ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ସବୁ ନିର୍ଯାତନାକୁ ସହି ଏସଂପର୍କରେ ସଂପୂର୍ଣ୍ଣ ନିରବ ରହିବାରୁ ପ୍ରବଳ ମାତ୍ରାରେ ରାଗି ଯାଇଥିଲେ ପାକିସ୍ତାନର ବାୟୁସେନା ଅଧିକାରୀମାନେ। ଏବଂ ତାଙ୍କ ଗଳାକୁ ଚିପି ତାଙ୍କୁ ଶ୍ୱାସରୁଦ୍ଧ କରିଦେବା ପାଇଁ ସୁଦ୍ଧା ସେମାନେ କୁଣ୍ଠିତ ହୋଇ ନଥିବା ଏବେ ଡି ବ୍ରିଫିଙ୍ଗ୍‌ କାଳରେ କହିଛନ୍ତି ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ।


ଉଲ୍ଲେକଯୋଗ୍ୟ,ଜମ୍ମୁ- କଶ୍ମୀରର ନୌସେରା ସେକ୍ଟରରେ ଭାରତର ପ୍ରତିରକ୍ଷା ପ୍ରତିଷ୍ଠାନ ଓ ସାମରିକ ସଂପତ୍ତି ନଷ୍ଟ ଉଦ୍ଦେଶ୍ୟରେ ପାକିସ୍ତାନ ଆମେରିକାର ଏଫ୍‌-୧୬ ଲଢ଼ୁଆ ବିମାନର ବ୍ୟବହାର କରି ନଥିବା କହୁଥିବା ବେଳେ ଓ୍ୱିଙ୍ଗ କମାଣ୍ଡର ଅଭିନନ୍ଦନ ତାଙ୍କର ଡି ବ୍ରିଫିଙ୍ଗ୍‌ କାଳରେ ପ୍ରଦାନ କରିଥିବା ତଥ୍ୟ ପାକିସ୍ତାନର ଅସଲ ମୁଖାକୁ ଖୋଲି ଦେଇଚି।

ସମ୍ବନ୍ଧିତ ଖବର