‘ଡଲାର ଦିଅ..’ ସାଉଦି ଆରବ, ଚୀନ, ୟୁଏଇକୁ ସହାୟତା ମାଗିଲା ପାକିସ୍ତାନ

ଇସ୍ଲାମାବାଦ : ଶ୍ରୀଲଙ୍କା ପରି ପାକିସ୍ତାନର ଆର୍ଥିକ ଅବସ୍ଥା ମଧ୍ୟ ଏବେ ଦେବାଳିଆ ସ୍ଥିତିରେ । ଦେଶର ବିଦେଶୀ ମୁଦ୍ରା ଭଣ୍ଡାର ଶେଷ ହୋଇ ଆସୁଛି । ଏପରି ସ୍ଥିତିରେ ପାକିସ୍ତାନ ସରକାର ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ବା ଆଇଏମଏଫଠାରୁ ୧.୭ ବିଲିୟନ ଡଲାର ଋଣ ପାଇଁ ଆମେରିକାର ସହାୟତା ଲୋଡ଼ିଛନ୍ତି ।

ଚଳିତ ମାସ ଶେଷ ବେଳକୁ ଆଇଏମଏଫର ଏକଜକ୍ୟୁଟିଭ ବୋର୍ଡ ବସି ପାକିସ୍ତାନକୁ ଋଣ ଦେବା ପ୍ରସ୍ତାବ ଉପରେ ବିଚାର କରି ମଂଜୁର କରିବାର ସମ୍ଭାବନା ରହିଛି । ତେବେ ଏହା ପୂର୍ବରୁ ପାକିସ୍ତାନ ନିଜର ମିତ୍ର ଦେଶମାନଙ୍କଠାରୁ ଅତି କମରେ ୪ ବିଲିୟନ ଡଲାରର ଗ୍ୟାରେଣ୍ଟି ହାସଲ କରୁ ବୋଲି ଆଇଏମଏଫ କହିଛି । ଏପରି ସ୍ଥିତିରେ ପାକିସ୍ତାନ ସରକାର ନିଜର ମିତ୍ର ଦେଶ ଚୀନ, ସାଉଦି ଆରବ, ୟୁଏଇର ଦ୍ବାରସ୍ଥ ହୋଇ ଆର୍ଥିକ ସହାୟତା ମାଗିଛନ୍ତି ।

ପାକିସ୍ତାନର ସେନାମୁଖ୍ୟ ଜେନେରାଲ କମର ଜାଭେଜ ବାଜଓ୍ବା ଆର୍ଥିକ ସହାୟତା ପାଇଁ ସାଉଦିଆରବ ଓ ୟୁଏଇକୁ ନିବେଦନ କରିଛନ୍ତି । ତେବେ ବାଜଓ୍ବାଙ୍କୁ କାହିଁକି ହାତ ପତେଇବାକୁ ପଡ଼ିଲା ?

ଏହାର କାରଣ ହେଉଛି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଗତ ଏପ୍ରିଲ ମାସରେ ସାଉଦି ଆରବ ଗସ୍ତ କରି ସହାୟତା ମାଗିଥିଲେ ବି ସାଉଦି ଆରବ କୌଣସି ଆଶ୍ବାସନା ଦେଇନଥିଲା । ସେହିପରି ୟୁଏଇ ମଧ୍ୟ ପାକିସ୍ତାନକୁ ସହାୟତା ଦେବାକୁ ସିଧାସଳଖ ମନା କରିଦେଇଥିଲା । ଫଳରେ ଏଥର ବାଜଓ୍ବାଙ୍କୁ ସହାୟତା ମାଗିବାକୁ ପଡ଼ିଛି । କାରଣ ପାକିସ୍ତାନ ସେନା ଅନେକ ସମୟରେ ଏହି ଦୁଇ ଦେଶ ପାଇଁ ଭଡ଼ାରେ ନିଜର ଯବାନ ପଠାଇଥାଏ ।

 

ସମ୍ବନ୍ଧିତ ଖବର