ଭାରତର ଯାତ୍ରୀବାହୀ ବିମାନକୁ ସହାୟତା କଲା ପାକିସ୍ତାନ ଏଟିସି

ଇସ୍‌ଲାମାବାଦ : ଭାରତର ଏକ ଯାତ୍ରୀବାହୀ ବିମାନକୁ ଆକାଶ ମାର୍ଗରେ ସଠିକ୍‌ ରାସ୍ତା ଦେଖାଇ ପାକିସ୍ତାନ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲର ମାନବିକତାର ପରିଚୟ ଦେଖାଇଛି। ଆଜି ଜୟପୁରରୁ ଓମାନ୍‌ ରାଜଧାନୀ ମସ୍କଟ ଅଭିମୁଖେ ଯାତ୍ରା କରୁଥିବା ଭାରତୀୟ ଯାତ୍ରୀବାହୀ ବିମାନ ପାକିସ୍ତାନ ଆକାଶମାର୍ଗରେ ଯାଉଥିବା ସମୟରେ ହଠାତ୍‌ ପାଣିପାଗ ବଦଳି ଯାଇଥିଲା। ଆକାଶରେ ପ୍ରଚଣ୍ଡ ବିଜୁଳି ଓ ଘଡ଼ଘଡ଼ି ମାରିବାରୁ ପାକିସ୍ତାନର କରାଚୀ ଆକାଶରେ ଉଡୁଥିବା ବିମାନକୁ ୩୬,୦୦୦ ଫୁଟରୁ ୩୪,୦୦୦ ଫୁଟ ତଳକୁ ଖସାଇବାକୁ ପଡ଼ିଥିଲା। ନିର୍ଦ୍ଦିଷ୍ଟ ଉଚ୍ଚତାରୁ ନିମ୍ନକୁ ଖସିବା ବେଳେ ଭାରତୀୟ ଯାତ୍ରୀବାହୀ ବିମାନର ପାଇଲଟ୍‌ ପାକିସ୍ତାନର ଷ୍ଟେସନକୁ ଜରୁରୀକାଳୀନ ସଂକେତ ଦେଇଥିଲେ। ପାକିସ୍ତାନ ଏୟାର ଟ୍ରାଫିକ୍‌ କଣ୍ଟ୍ରୋଲର ଭାରତୀୟ ପାଇଲଟ୍‌ଙ୍କ ସଂକେତକୁ ଗ୍ରହଣ କରି ଆକାଶ ମାର୍ଗରେ ଉଚିତ ସହାୟତା କରିଥିଲା ଏବଂ ଭାରତୀୟ ବିମାନ ସୁରୁଖୁରୁରେ ପାକିସ୍ତାନ ବାୟୁସୀମା ଅତିକ୍ରମ କରିଥିଲା। ସୂଚନାଯୋଗ୍ୟ, ଫେବ୍ରୁଆରି ୨୬ ବାଲାକୋଟ୍‌ ବିମାନ ଆକ୍ରମଣ ଘଟଣା ପରେ ପରେ ପାକିସ୍ତାନ ନିଜର ଆକାଶ ମାର୍ଗକୁ ଭାରତୀୟ ବିମାନ ପାଇଁ ବନ୍ଦ ଘୋଷଣା କରିଥିଲା।

ସମ୍ବନ୍ଧିତ ଖବର