ପୁଲ୍‌ୱାମା ଆକ୍ରମଣ ପଛରେ ପାକିସ୍ତାନ

ସଂସଦରେ ସ୍ୱୀକାର କଲେ ପାକ୍‌ ମନ୍ତ୍ରୀ, ଆକ୍ରମଣକୁ ଇମ୍ରାନ ସରକାରର ‘ବଡ଼ ସଫଳତା’ କହିଲେ

ନୂଆଦିଲ୍ଲୀ : ଗତବର୍ଷ ଜମ୍ମୁ-କାଶ୍ମୀରର ପୁଲ୍‌ୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପଛରେ ପାକିସ୍ତାନ ଥିଲା ବୋଲି ପାକିସ୍ତାନର ଜଣେ ମନ୍ତ୍ରୀ ଫୱାଦ ଚୌଧୁରୀ ପାକ୍ ସଂସଦରେ ସ୍ବୀକାର କରିଛନ୍ତି। କେବଳ ସେତିକି ନୁହେଁ, ଏହା ଇମ୍ରାନ୍ ସରକାରର ବଡ଼ ସଫଳତା ଥିଲା ବୋଲି କହିବାକୁ ସେ ପଛାଇ ନାହାନ୍ତି। ପ୍ରଥମ ଥର ପାଇଁ ଭାରତ ବିରୋଧରେ ଏକ ଆତଙ୍କବାଦୀ ଆକ୍ରମଣ ପାକିସ୍ତାନ ପ୍ରାୟୋଜିତ ଥିଲା ବୋଲି ପାକ୍ ମନ୍ତ୍ରୀଙ୍କ ଏହି ସ୍ବୀକାରୋକ୍ତି ଆଲୋଡ଼ନ ସୃଷ୍ଟି କରିଛି।

ସୂଚନାଯୋଗ୍ୟ, ୨୦୧୯ ଫେବ୍ରୁଆରି ୧୪ ତାରିଖରେ ପୁଲ୍‌ୱାମାରେ ହୋଇଥିବା ଏହି ଆତଙ୍କବାଦୀ ଆକ୍ରମଣରେ ୪୦ ଜଣ ଭାରତୀୟ ଯବାନ ସହିଦ ହୋଇଥିଲେ। ପାକିସ୍ତାନ ସ୍ଥିତ ଆତଙ୍କବାଦୀ ସଂଗଠନ ଜୈଶ୍-ଇ-ମହମ୍ମଦ ଘଟାଇଥିବା ଦାବି କରିଥିଲା। ଏହାକୁ ନେଇ ସେତେବେଳେ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିବାବେଳେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହାର ପ୍ରତିଶୋଧ ନେବାକୁ ଯାଇ ଭାରତୀୟ ଯୁଦ୍ଧ ବିମାନ ପାକିସ୍ତାନ ସୀମାରେ ପଶି ଆତଙ୍କବାଦୀ ଶିବିର ଉପରେ ବୋମା ବର୍ଷାଇଥିଲା।

ଗୁରୁବାର ପାକ୍ ସଂସଦରେ ଏହି ପ୍ରସଙ୍ଗ ଉଠାଇ ମନ୍ତ୍ରୀ ଫାୱାଦ କହିଥିଲେ, ‘ହମ୍‌ନେ ହିନ୍ଦୁସ୍ତାନ କୋ ଘୁସ୍‌ କେ ମାରା’। ଇମ୍ରାନ୍‌ ଖାନ୍‌ଙ୍କ ନେତୃତ୍ବରେ ପୁଲ୍‌ୱାମା ଆକ୍ରମଣ ଆମ ଦେଶବାସୀଙ୍କ ବଡ଼ ସଫଳତା ବୋଲି ମନ୍ତ୍ରୀ ଫାୱା‌ଦ ଦୋହରାଇଥିଲେ। ସେ ଏହି ବକ୍ତବ୍ୟ ରଖିଲାବେଳେ ଅନ୍ୟ ସାଂସଦମାନେ ଟେବୁଲ ବାଡେଇ ଏହାକୁ ସମର୍ଥନ କରିଥିଲେ।
ପାକିସ୍ତାନର ବିଦେଶ ମନ୍ତ୍ରୀ ଶାହ ମେହମୁଦ କ୍ୟୁରେସି ଏବଂ ଆର୍ମି ଚିଫ୍‌ ଜେନେରାଲ୍‌ କମର୍‌ ଜାଭେଦ ବାଜ୍‌ୱାଙ୍କ ମଧ୍ୟରେ ହୋଇଥିବା ଗୁପ୍ତ ବୈଠକ ସମ୍ପର୍କରେ ପାକ୍‌ ବିରୋଧୀ ଦଳ ନେତା ଆୟାଜ୍‌ ସାଦିକ୍ବି ପ୍ରଘଟ କରିଦେବା ପରେ ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣ ଘଟଣାରେ ପାକିସ୍ତାନର ହାତ ଥିବା ସଂକ୍ରାନ୍ତ ତଥ୍ୟ ସାମ୍ନାକୁ ଆସିଛି। ପାକିସ୍ତାନ ନିଜ ମାଟିରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରଶ୍ରୟ ଦେବନାହିଁ ବୋଲି ଆନ୍ତର୍ଜାତିକ ମଞ୍ଚରେ କହି ଆସୁଥିବା ବେଳେ ଅସଲରେ ଏହା ଆତଙ୍କବାଦୀଙ୍କ ପାଳନପୋଷଣର ଏକ ବଡ଼ କେନ୍ଦ୍ର ପାଲଟିଥିବା ସ୍ପଷ୍ଟ ହୋଇଛି।

ପୁଲୱାମା ଆତଙ୍କବାଦୀ ଆକ୍ରମଣ ଘଟଣାର ତଦନ୍ତ କରୁଥିବା ଏନ୍‌ଆଇଏ କିଛିଦିନ ତଳେ ‌ଏ ନେଇ ଯେଉଁ ଚାର୍ଜସିଟ୍‌ ଦାୟର କରିଥିଲା, ସେଥିରେ ଆକ୍ରମଣ ପାଇଁ ପାକିସ୍ତାନ ସରକାର ଏବଂ ଏହାର ଗୁଇନ୍ଦା‌ ସଂସ୍ଥା ଆଇଏସ୍‌ଆଇର ହାତ ଥିବା ଉଲ୍ଲେଖ କରିଥିଲା। ମାତ୍ର ପାକ୍ ସରକାର ଏହାକୁ ଖାରଜ କରିଥିଲେ ଏବଂ ପାକିସ୍ତାନକୁ ବଦନାମ କରିବା ପାଇଁ ଭାରତ ଅପଚେଷ୍ଟା କରୁଥିବା ଅଭିଯୋଗ କରିଥିଲେ। ତେବେ ଆଜି ପାକ୍ ମନ୍ତ୍ରୀଙ୍କ ଏହି ସ୍ବୀକ‌ାରୋକ୍ତି ପରେ ପାକିସ୍ତାନର ମୁଖା ଖସିପଡ଼ିଛି। ପାକିସ୍ତାନ ସେନା ଓ ସରକାର ଆତଙ୍କବାଦୀଙ୍କୁ ଅର୍ଥ ଓ ଅସ୍ତ୍ର ଯୋଗାଇବାଠାରୁ ଆରମ୍ଭ କରି ଭାରତରେ ଅନୁପ୍ରବେଶ କରାଇବା କାମରେ ଅହରହ ଲିପ୍ତ ରହିଛି ବୋଲି ଭାରତ ଯେଉଁ ଅଭିଯୋଗ କରି ଆସୁଥିଲା, ତାହା ପ୍ରମାଣିତ ହୋଇଛି।

ସମ୍ବନ୍ଧିତ ଖବର