କଶ୍ମୀର ପ୍ରସଙ୍ଗରେ ପାକିସ୍ତାନକୁ ବଡ଼ ଝଟ୍‌କା: ମଧ୍ୟସ୍ଥତା ପାଇଁ ମନାକଲା ଜାତିସଂଘ

ନୂଆଦିଲ୍ଲୀ: ପାକିସ୍ତାନକୁ ଆଜି ଜାତିସଂଘରୁ ଏକ ବଡ଼ ଝଟ୍‌କା ମିଳିଛି। ଜାତିସଂଘ ମହାସଚିବ ଏଣ୍ଟୋନିଓ ଗଟ୍‌ରେସ କଶ୍ମୀର ମାମଲାରେ ମଧ୍ୟସ୍ଥତା ପାଇଁ ପାକିସ୍ତାନ ଦେଇଥିବା ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଉଭୟ ଭାରତ ଏବଂ ପାକିସ୍ତାନ ୧୯୭୨ ସିମ୍‌ଲା ଚୁକ୍ତି ଆଧାରରେ ବିବାଦର ସମାଧାନ ପାଇଁ ସେ କହିଛନ୍ତି। ଜମ୍ମୁ କଶ୍ମୀରରୁ ଭାରତ ସ୍ବତନ୍ତ୍ର ପାହ୍ୟା ପ୍ରତ୍ୟାହାର କରିବା ପରେ ଏଥିରେ ତୁରନ୍ତ ହସ୍ତକ୍ଷେପ କରିବାକୁ ପାକିସ୍ତାନ ଜାତିସଂଘ ମହାସଚିବଙ୍କୁ ଅନୁରୋଧ କରିଥିଲା। ପ୍ରସ୍ତାବ ପ୍ରତ୍ୟାଖ୍ୟାତ ହେବାପରେ ପାକିସ୍ତାନ ଏବେ ଧାରା ୩୭୦ ହଟାଯିବା ମାମଲାକୁ ଜାତିସଂଘରେ ଯେନତେନ ପ୍ରକାରେ ବିବାଦୀୟ ପ୍ରସଙ୍ଗ କରିବାକୁ ଯୋଜନା କରିଛି। ତେବେ ଏହାର ମୁକାବିଲା ପାଇଁ ମଧ୍ୟ ଭାରତ ସମସ୍ତ ପ୍ରସ୍ତୁତି କରିଛି। ଭାରତ କଶ୍ମୀର ପ୍ରସଙ୍ଗରେ ଜାତିସଂଘର ୫ ସ୍ଥାୟୀ ସଦସ୍ୟ ଏବଂ ୧୦ ଅସ୍ଥାୟୀ ସଦସ୍ୟଙ୍କୁ ଏହି ମାମଲାରେ ନିଜର ନୀତି ଏବଂ ସ୍ଥିତି ସ୍ପଷ୍ଟ କରିଦେଇଛି ଏବଂ ପୂର୍ବ ଭଳି ଏହି ପ୍ରସଙ୍ଗରେ ଭାରତ ସପକ୍ଷରେ ଦୃଢ଼ ସମର୍ଥନ ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ଜାତିସଂଘର ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ରଙ୍କୁ ଭାରତ କଶ୍ମୀର ମାମଲା ସଂପର୍କରେ ଅବଗତ କରାଇବାକୁ ମଧ୍ୟ ପ୍ରୟାସ ଜାରି ରଖିଛି ଏବଂ ନ୍ୟୁୟର୍କରେ ଅବସ୍ଥାପିତ ସ୍ଥାୟୀ ମିସନ୍‌ ଏ ଦିଗରେ ଅହରହ କାମ କରୁଛି ।

ଜମ୍ମୁ କଶ୍ମୀରକୁ ଦେଶର ବିକାଶର ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ଭାରତ ଯେଉଁ ପଦକ୍ଷେପ ନେଇଛି ତାହା ସଂପୂର୍ଣ୍ଣ ଆଭ୍ୟନ୍ତରୀଣ ବ୍ୟାପାର ବୋଲି ଭାରତ ଭାରତ ସ୍ପଷ୍ଟ କରିଛି। ପୂର୍ବରୁ ପାକିସ୍ତାନ ଜାତିସଂଘରେ କହିଥିଲା ଯେ ଧାରା ୩୭୦ ଏବଂ ୩୫ଏକୁ ଭାରତ କେବେ ସମ୍ମାନ ଦେଇନାହିଁ ଏବଂ କଶ୍ମୀରରେ ଏହାର ପ୍ରାସଙ୍ଗିକତା କିଛି ନାହିଁ। ପାକିସ୍ତାନର ଏହି ପୂର୍ବ ବୟାନ ଏବେ ତା’ ପାଇଁ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି । ପୁଲୱାମା ଆକ୍ରମଣ ପରେ ପାକିସ୍ତାନର ବାଲାକୋଟରେ ଭାରତୀୟ ବାୟୁସେନାର କାର୍ଯ୍ୟାନୁଷ୍ଠାନକୁ ଅନ୍ତର୍ଜାତୀୟ ସମୁଦାୟ ସମର୍ଥନ କରିଥିଲା ଏବଂ ପାକିସ୍ତାନର ଅସଲ ଚେହେରା ସାମ୍ନାକୁ ଆସିଥିଲା।

ସମ୍ବନ୍ଧିତ ଖବର