ସରିଫ୍ଙ୍କ ନାତୁଣୀ ବାହାଘରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଯୋଗଦାନ ମହଙ୍ଗା ସାବ୍ୟସ୍ତ, ପାକିସ୍ତାନ ଦାବି କଲା ୧.୪୯ ଲକ୍ଷ ଟଙ୍କା
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍ଙ୍କ ନାତୁଣୀ ବାହାଘରରେ ଯୋଗଦେବା ଉଦ୍ଦେଶ୍ୟରେ ଆଫ୍ଗାନିସ୍ତାନ୍ରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କାଳରେ ଲାହୋରଠାରେ ଯେଉଁ ସ୍ୱଳ୍ପ ରହଣି କରିଥିଲେ, ସେଥିପାଇଁ ଭାରତ ସରକାରଙ୍କ ଠାରୁ ୧.୪୯ ଲକ୍ଷ ଟଙ୍କା ଦାବି କରି ଏକ ବିଲ୍ ପଠାଇଛି ପାକିସ୍ତାନ।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫ୍ ତାଙ୍କ ନାତୁଣୀ ବାହାଘରରେ ଯୋଗଦେବା ପାଇଁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ କରିଥିଲେ। ତେବେ, ଏହି ବାହାଘରରେ ଯୋଗଦେବା ପାଇଁ ମୋଦିଙ୍କର କୌଣସି ପ୍ରକାରର ପୂର୍ବ ପ୍ରସ୍ତୁତ କାର୍ଯ୍ୟକ୍ରମ ନଥିଲା। ତେବେ ଦୁଇ ଦିନିଆ ଋଷିଆ ଗସ୍ତରେ ଯାଇଥିବା ମୋଦି ଆଫ୍ଗାନିସ୍ତାନ ବାଟ ଦେଇ ୨୦୧୬, ଡିସେମ୍ବର ୨୫ ତାରିଖରେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରୁଥିବା ବେଳେ, ମୋଦିଙ୍କୁ ନେଇ ଆସୁଥିବା ଭାରତୀୟ ବାୟୁସେନାର ବୋଇଂ ୭୩୭ ବିମାନଟି ସଂପୂର୍ଣ୍ଣ ଅପ୍ରତ୍ୟାଶିତ ଭାବେ ଲାହୋର ବିମାନ ବନ୍ଦରରେ ଅବତରଣ କରିଥିଲା। କାରଣ, ମଝି ବାଟରେ ପ୍ରଧାନମନ୍ତ୍ରୀ ମୋଦି ନିଷ୍ପତ୍ତି ନେଇଥିଲେ, ନଓ୍ଵାଜ ସରିଫ୍ଙ୍କ ନାତୁଣୀ ବାହାଘରରେ ଯୋଗଦେବା ପାଇଁ।

ଅପରାହ୍ନ ୪ଟା ୫୦ରେ ମୋଦିଙ୍କ ବିମାନ ଲାହୋର ବିମାନ ବନ୍ଦରରେ ଅବତରଣ କରିବା ପରେ ସେଠାରେ ତାଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ସରିଫ୍। ପରେ, ସରିଫ୍ ମୋଦିଙ୍କୁ ଧରି ଏକ ହେଲିକପ୍ଟରରେ ଲାହୋର ଉପକଣ୍ଠରେ ଥିବା ରିଓ୍ଵିନ୍ଦସ୍ଥିତ ତାଙ୍କ ବାସଭବନକୁ ଯାଇଥିଲେ। ସେଠାରେ ମୋଦି କିଛି ସମୟ ଅତିବାହିତ କରିବା ସହ ନବବଧୂକୁ ଆଶୀର୍ବାଦ କରି ଭାରତ ଅଭିମୁଖେ ବାହାରିଥିଲେ। ଫେରିବା ବେଳେ ମଧ୍ୟ ସରିଫ୍ ମୋଦିଙ୍କୁ ଏକ ହେଲିକପ୍ଟରରେ ନେଇ ଲାହୋର ବିମାନ ବନ୍ଦରକୁ ଆସିଥିଲେ ଏବଂ ମୋଦିଙ୍କୁ ବିଦାୟ ଦେଇଥିଲେ। ପ୍ରାୟ ଦୁଇଘଣ୍ଟାରୁ କିଛି କମ୍ ସମୟ ପାକିସ୍ତାନରେ ବିତାଇବା ପରେ ଭାରତୀୟ ବାୟୁସେନାର ବୋଇଂ ୭୩୭ ବିମାନଟି ମୋଦିଙ୍କୁ ଧରି ଲାହୋର ବିମାନ ବନ୍ଦରରୁ ଭାରତ ଅଭିମୁଖେ ଉଡ଼ାଣ ଭରିଥିଲା।
ତେବେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ଗସ୍ତପାଇଁ ଭାରତ ସରକାରଙ୍କ ଠାରୁ ୧.୪୯ ଲକ୍ଷ ଟଙ୍କା ଦାବି କରି ପାକିସ୍ତାନ ଏବେ ଏକ ବିଲ୍ ପଠାଇଥିବା ଜଣାପଡ଼ିଛି।