ଚୀନ୍‌ର କଠୋର ସର୍ତ୍ତ ପରେ ମତ ବଦଳାଇଲା ପାକିସ୍ତାନ

ବେଜିଂ: ଚୀନ୍‌ ନିଜର ବ୍ୟବସାୟିକ ଆଧିପତ୍ୟ ବିସ୍ତାର ପାଇଁ ଓ୍ଵାନ୍‌ ବେଲ୍‌ଟ ଓ୍ଵାନ୍‌ ରୋଡ୍‌ (ଓବିଓଆର୍‌) ପ୍ରକଳ୍ପକୁ ସର୍ବାଧିକ ଗୁରୁତ୍ୱ ଦେଉଥିବା ବେଳେ ଆଜି ପାକିସ୍ତାନ ଏ ବାବଦରେ ଚୀନ୍‌କୁ ଝଟ୍‌କା ଦେଇଛି। ପାକ୍‌ ଅଧିକୃତ କଶ୍ମୀର (ପିଓକେ)ରେ ଓବିଓଆର୍‌ ଅନ୍ତର୍ଗତ ଚୀନ୍‌ର ପାକ୍‌-ଚୀନ୍‌ ଆର୍ଥିକ କରିଡର କାର୍ଯ୍ୟକୁ ଭାରତ ବିରୋଧ କରିଆସୁଥିଲେ ସୁଦ୍ଧା ଚୀନ୍‌ ଏହାକୁ ଭ୍ରୁକ୍ଷେପ ନକରି ନିଜର ବିସ୍ତାରବାଦୀ ନୀତି ଜାହିର କରି ଆସିଛି। ଚୀନ୍‌ ପିଓକେରେ ଡାମର-ଭାସା ଜଳଭଣ୍ଡାର ପ୍ରକଳ୍ପରେ ୧୪ ବିଲିୟନ ଡଲାର ଖର୍ଚ୍ଚ କରିବା ସହ ଏହାକୁ ନିଜର କଠୋର ସର୍ତ୍ତ ମୁତାବକ ଅକ୍ତିଆରରେ ରଖିବାକୁ ଚାହୁଥିଲା। ତେବେ ଏହି ଡ୍ୟାମ୍‌କୁ ସିପିଇସିରୁ ବାଦ ଦେବାପାଇଁ ଆଜି ପାକିସ୍ତାନ ଚୀନ୍‌କୁ ଜଣାଇଦେଇଛି।

ପିଓକେରେ ଏହି ଜଳଭଣ୍ଡାର ପ୍ରକଳ୍ପ ପାଇଁ ଚୀନ୍‌ର ଆର୍ଥିକ ସହଯୋଗକୁ ପାକିସ୍ତାନ ଆଜି ପ୍ରତ୍ୟାଖ୍ୟାନ କରିଦେବାପରେ ଏହାକୁ ନେଇ ଚୀନ୍‌ରେ ସମୀକ୍ଷା ଆରମ୍ଭ ହୋଇଯାଇଛି। ସିନ୍ଧୁ ନଦୀ ଉପରେ ଏହି ଜଳଭଣ୍ଡାର ପ୍ରକଳ୍ପ ପାଇଁ ଚୀନ୍‌ର ୧୪ ଶହ କୋଟି ଡଲାର ସହାୟତାକୁ ପ୍ରତ୍ୟାଖ୍ୟାନ କରି ପାକିସ୍ତାନ କହିଛି ଯେ ଏହା ନିଜସ୍ୱ ଉଦ୍ୟମରେ ଏହାର ବିକାଶ କରିବ ଓ ନିଜ ନିୟନ୍ତ୍ରଣରେ ରଖିବ। ପାକିସ୍ତାନ ସ୍ୱାଧୀନ ଭାବେ ଏହି ପ୍ରକଳ୍ପ କାର୍ଯ୍ୟ ଶେଷ କରିବାର ନିଷ୍ପତ୍ତି ନେଇଥିବାରୁ ଏହାର ପ୍ରଭାବ ସିପିଇସିର ଅନ୍ୟ ପ୍ରକଳ୍ପଗୁଡ଼ିକ ଉପରେ ମଧ୍ୟ ପଡ଼ିବ ବୋଲି ଚୀନ୍‌ ଆଶଙ୍କା କରୁଛି। ପାକ୍‌ ଜଳ ଏବଂ ଶକ୍ତି ବିକାଶ ପ୍ରଶାସନର ଅଧ୍ୟକ୍ଷ ମୁଜାମିଲ୍‌ ହୁସେନ କହିଛନ୍ତି ଯେ ଡ୍ୟାମ୍‌ ପ୍ରକଳ୍ପ ପାଇଁ ସହାୟତ ରାଶି ଦେବାଲାଗି ଚୀନ୍‌ ଯେଉଁ ସର୍ତ୍ତ ରଖିଛି ତାହା ପାକିସ୍ତାନର ସ୍ୱାର୍ଥ ବିରୋଧୀ। ଏହି ବିଶାଳ ଜଳ ଏବଂ ଶକ୍ତି ପ୍ରକଳ୍ପର ସ୍ଥିତି ଉପରେ ସଂସଦର ପବ୍ଲିକ୍‌ ଆକାଉଣ୍ଟ୍‌ସ କମିଟି (ପିିଏସି)ର ବିସ୍ତୃତ ବିବରଣୀ ଦେବା ସମୟରେ ହୁସେନ କହିଛନ୍ତି ଚୀନ୍‌ ପ୍ରକଳ୍ପର ପରିଚାଳନା ଦାୟିତ୍ୱ ସହ ଏହାର ମାଲିକାନା ନେବାକୁ ଚାହୁଁଛି। କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବେ ଦେଶର ସ୍ୱାର୍ଥବିରୋଧୀ। ଅନ୍ୟପକ୍ଷରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସାହିଦ ଖକାନ୍‌ ଆଓ୍ଵାସୀ ପ୍ରକଳ୍ପ ଲାଗି ବିକଳ୍ପ ବ୍ୟବସ୍ଥା ବାଛି ସାରିଛନ୍ତି। ଦେଶର ନିଜସ୍ୱ ସମ୍ବଳରୁ ପ୍ରକଳ୍ପ ଲାଗି ବ୍ୟୟବରାଦ କରିବାକୁ ସେ ନିଷ୍ପତ୍ତି ନେଇଛନ୍ତି।

ପାକିସ୍ତାନ ଏହି ପ୍ରକଳ୍ପ ପାଇଁ ବିଭିନ୍ନ ଅନ୍ତର୍ଜାତୀୟ ଅନୁଷ୍ଠାନ ତଥା ବିଶ୍ୱ ବ୍ୟାଙ୍କ୍‌ରୁ ଅର୍ଥ ସଂଗ୍ରହ କରିବାକୁ ଚେଷ୍ଟା କରିଆସିଥିଲେ ମଧ୍ୟ ଏଥିରେ ସଫଳ ହୋଇନାହିଁ। ତେବେ ଚୀନ୍‌ ଅଧିକାରୀମାନଙ୍କ ସହ ବିଚାରବିିମର୍ଶ ନକରି ପାକିସ୍ତାନ ଏ ବାବଦରେ ଏକତରଫା ନିଷ୍ପତ୍ତି ନେଇଥିବାରୁ ଏହା ସିପିଇସିକୁ ପ୍ରଭାବିତ କରିବ ବୋଲି ଚୀନ୍‌ ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର