ନୂଆଦିଲ୍ଲୀ: ପାକିସ୍ତାନ, ଚୀନ୍ ଓ ବାଂଲାଦେଶ ଏକ ନୂତନ ଆଞ୍ଚଳିକ ସଂଗଠନ ପାଇଁ ପ୍ରସ୍ତୁତି ଚଳାଇଛନ୍ତି, ଯାହା ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ସଂଘ (ସାର୍କ)କୁ ବଦଳାଇବ। ବର୍ତ୍ତମାନର ଆଞ୍ଚଳିକ ଗୋଷ୍ଠୀରେ ଆଫଗାନିସ୍ତାନ, ବାଂଲାଦେଶ, ଭୁଟାନ, ଭାରତ, ମାଳଦ୍ୱୀପ, ନେପାଳ, ପାକିସ୍ତାନ ଓ ଶ୍ରୀଲଙ୍କା ସାମିଲ ଅଛନ୍ତି। 

Advertisment

ଖବର ଅନୁଯାୟୀ, ଆଞ୍ଚଳିକ ଏକୀକରଣ ଓ ଯୋଗାଯୋଗକୁ ସୁଗମ କରିବା ପାଇଁ ଏକ ନୂତନ ପ୍ଲାଟଫର୍ମର ଆବଶ୍ୟକତାକୁ ସ୍ୱୀକାର କରି ଏସବୁ ଦେଶ ସେମାନଙ୍କ ଆଲୋଚନାରେ ଉଲ୍ଲେଖନୀୟ ଅଗ୍ରଗତି କରିଛନ୍ତି। ନିକଟରେ ଚୀନ୍‌ର କୁନମିଙ୍ଗଠାରେ ପାକିସ୍ତାନ, ଚୀନ୍ ଓ ବାଂଲାଦେଶ ମଧ୍ୟରେ ହୋଇଥିବା ତ୍ରିମୁଖୀ ବୈଠକ ଏ ଦିଗରେ ଏକ ରଣନୈତିକ ପଦକ୍ଷେପ ଥିଲା। ଜୁନ୍ ୧୯ରେ କୁନମିଙ୍ଗ ବୈଠକରେ ଅନ୍ୟ ପୂର୍ବତନ ସାର୍କ ସଦସ୍ୟ ରାଷ୍ଟ୍ରମାନଙ୍କୁ ଏହି ନୂତନ ମେଣ୍ଟରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ତେବେ କିଛି ଦିନ ତଳେ ବାଂଲାଦେଶର ବୈଦେଶିକ ବ୍ୟାପାର ପରାମର୍ଶଦାତା ଏମ୍ ତୌହିଦ ହୁସେନ୍ ବାଂଲାଦେଶ, ଚୀନ୍ ଓ ପାକିସ୍ତାନ ମଧ୍ୟରେ କୌଣସି ଉଦୀୟମାନ ମେଣ୍ଟର ଧାରଣାକୁ ପ୍ରତ୍ୟାଖ୍ୟାନ କରି କହିଥିଲେ ଯେ ନିକଟରେ ତିନି ଦେଶ ମଧ୍ୟରେ ହୋଇଥିବା ବୈଠକ ରାଜନୈତିକ ପ୍ରକୃତିର ନୁହେଁ।

ଆମେ କୌଣସି ମେଣ୍ଟ ଗଠନ କରୁନାହୁଁ ବୋଲି ସେ ବୈଦେଶିକ ମନ୍ତ୍ରଣାଳୟରେ ସାମ୍ବାଦିକମାନଙ୍କୁ କହିଛନ୍ତି। ରିପୋର୍ଟ ଅନୁଯାୟୀ, ଚୀନ୍ ଓ ପାକିସ୍ତାନ ଏହି ପ୍ରସ୍ତାବ ପାଇଁ ଭାରତକୁ ନିମନ୍ତ୍ରଣ କରିବାକୁ ଯୋଜନା କରୁଛନ୍ତି। ଶ୍ରୀଲଙ୍କା, ମାଳଦ୍ୱୀପ ଓ ଆଫଗାନିସ୍ତାନ ସମେତ ଅନ୍ୟାନ୍ୟ ରାଷ୍ଟ୍ର ମଧ୍ୟ ଏହି ନୂତନ ଗୋଷ୍ଠୀରେ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରଣ ପାଇବାର ସମ୍ଭାବନା ରହିଛି। ଉନ୍ନତ ବାଣିଜ୍ୟ ଓ ଯୋଗାଯୋଗ ମାଧ୍ୟମରେ ଆଞ୍ଚଳିକ ସମ୍ପର୍କକୁ ପ୍ରୋତ୍ସାହିତ କରିବା ଉପରେ ଏହି ପଦକ୍ଷେପ ଗୁରୁତ୍ୱାରୋପ କରୁଛି।