ଭାରତୀୟ ବାୟୁ ସେନା କମାଣ୍ଡର ଅଭିନନ୍ଦନଙ୍କୁ ବନ୍ଦୀ କରିଛି ବୋଲି ପାକିସ୍ତାନର ଦାବି, ଜାରି କଲା ଭିଡିଓ

ନୂଆଦିଲ୍ଳୀ: ପାକିସ୍ତାନ ସେନା ବୁଧବାର ସୀମା ପାର୍‌ କରି ଦୁଇଟି ଭାରତୀୟ ବାୟୁ ସେନା ବିମାନକୁ ଗୁଳି କରି ଖସାଇ ଦେବା ସହ ଜଣେ ଭାରତୀୟ ପାଇଲଟ୍‌ଙ୍କୁ ବନ୍ଦୀ କରି ନେଇଛି ବୋଲି ଦାବି କରିଛି। ପାଇଲଟ୍‌ଙ୍କ ନାମ ଅଭିନନ୍ଦନ ବର୍ଥମାନ ବୋଲି ପାକିସ୍ତାନ ଏକ ଭିଡିଓ ରିଲିଜ୍‌ କରି ପ୍ରକାଶ କରିଛି।

ପାକିସ୍ତାନ ସେୟାର୍‌ କରିଥିବା ଭିଡିଓରେ ବ୍ୟକ୍ତି ଜଣକ ବୈମାନିକ ପୋଷାକ ପିନ୍ଧିଥିବା ଦେଖିବାକୁ ମିଳିଛନ୍ତି। ସେ ଓ୍ଵିଙ୍ଗ୍‌ କମାଣ୍ଡର୍‌ ଅଭିନନ୍ଦନ ବୋଲି ଭିଡିଓରେ କହୁଥିବାର ଦେଖିବାକୁ ମିଳିଛନ୍ତି। ତାଙ୍କ ଆଖିରେ ପଟି ବନ୍ଧା ହୋଇଛି। ନିଜ ନାମ ସହ ସେ ନିଜର ସର୍ଭିସ ନମ୍ବର ବି କହୁଥିବା ଓ ସେ ପିନ୍ଧିଥିବା ପୋଷାକରେ ଅଭି ଲେଖାଥିବା ଭିଡିଓରେ ଦେଖାଯାଇଛି।

ପାକିସ୍ତାନ ଟୁଇଟ୍‌ କରି ପ୍ରକାଶ କରିଛି ଯେ ଭାରତୀୟ ବାୟୁସେନାର ଓ୍ଵିଙ୍ଗ୍‌ କମାଣ୍ଡର୍‌ (ସର୍ଭିସ ନମ୍ବର ୨୭୯୮୧) ଅଭିନନ୍ଦନଙ୍କୁ ଏବେ ପାକିସ୍ତାନ ସେନା ହସ୍ପିଟାଲ୍‌ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପାକିସ୍ତାନ ଗୁଳି ମାରି ଖସାଇଥିବା ବିମାନ ଭିତରୁ ତାଙ୍କୁ ବନ୍ଦୀ କରାଯାଇଛି।

ପାକିସ୍ତାନ ସଶସ୍ତ୍ର ବାହିନୀର  ମୁଖପାତ୍ର ମେଜର ଜେନେରାଲ୍‌ ଅସିଫ୍‌ ଗଫୁର୍‌ ସାମ୍ବାଦିକ ସମ୍ମିଳନୀ କରିବା ପରେ ଏହି ଭିଡିଓ ଜାରି କରାଯାଇଛି। ସାମ୍ବାଦିକ ସମ୍ମିଳନୀରେ ଗଫୁର୍‌ କହିଛନ୍ତି କି ଭାରତୀୟ ବାୟୁସେନା କରିଥିବା ଏୟାର୍‌ ଷ୍ଟ୍ରାଇକ୍‌ର ଜବାବ ଦେବା ପାଇଁ ପାକିସ୍ତାନ ପାଖରେ ଅନ୍ୟ କୌଣସି ବାଟ ନ ଥିଲା।

ସମ୍ବନ୍ଧିତ ଖବର