ପାକିସ୍ତାନର ଦାବି: ରିଭ୍ୟୁ ପିଟିସନ୍ ଫାଇଲ୍‌ କରିବାକୁ ମନାକଲେ କୁଳଭୂଷଣ ଯାଦବ, କ୍ଷମା ଯାଚିକାକୁ ନେଇ ଆଗେଇବେ

ନୂଆଦିଲ୍ଲୀ: ପାକିସ୍ତାନରେ ବନ୍ଦୀ ହୋଇଥିବା ଭାରତୀୟ ନାଗରିକ କୁଳଭୂଷଣ ଯାଦବ ରିଭ୍ୟୁ ପିଟିସନ୍ ଫାଇଲ୍ କରିବାକୁ ମନା କରି ଦେଇଛନ୍ତି। ପଡ଼ିରହିଥିବା କ୍ଷମା ଯାଚିକାକୁ ନେଇ ଆଗେଇବାକୁ ସେ ସ୍ଥିର କରିଥିବା କଥା ପାକିସ୍ତାନ ସରକାର କହିଛନ୍ତି।

ପାକିସ୍ତାନର ଅତିରିକ୍ତ ଆଟର୍ଣ୍ଣି ଜେନେରାଲ୍ କହିଛନ୍ତି, ଦଣ୍ଡ ଓ ରାୟର ପୁନର୍ବିଚାର ନିମନ୍ତେ ରିଭ୍ୟୁ ପିଟିସନ୍‌ ଫାଇଲ୍ କରିବା ପାଇଁ ୨୦୨୦ ଜୁନ୍ ୧୭ ତାରିଖ ଦିନ ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କୁ ଆମନ୍ତ୍ରଣ କରାଯାଇଥିଲା। ତାଙ୍କ ଆଇନଗତ ଅଧିକାର ସାବ୍ୟସ୍ତ କରି ସେ ତାଙ୍କ ଦଣ୍ଡ ଓ ରାୟର ପୁନର୍ବିଚାର ନିମନ୍ତେ ରିଭ୍ୟୁ ପିଟିସନ୍ ଫାଇଲ୍ କରିବାକୁ ଅଗ୍ରାହ୍ୟ କରିଥିଲେ।

ପାକିସ୍ତାନ ତାଙ୍କୁ ଦ୍ବିତୀୟ ବାର କନ୍‌ସୁଲାର୍‌ ଆକ୍ସେସ୍ ଦେଇଥିବା କଥା ବୁଧବାର ଦିନ ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ କରିଛି। ଗତ ମେ ମାସରେ ପାକିସ୍ତାନ କହିଥିଲା କି, କୁଳଭୂଷଣ ଯାଦବ ମାମଲାରେ  ‘ଇଣ୍ଟର୍‌ନ୍ୟାସ୍‌ନାଲ୍ କୋର୍ଟ ଅଫ୍ ଜଷ୍ଟିସ୍’ଙ୍କ ରାୟ ସମ୍ପୂର୍ଣ୍ଣ ପାଳନ କରିଛି। ମୃତ୍ୟୁ ଦଣ୍ଡ ପାଇବାକୁ ଥିବା କୁଳଭୂଷଣଙ୍କୁ ‘ବ୍ୟାକ୍ ଚାନେଲ୍’ ମାଧ୍ୟମରେ ମୁକ୍ତ କରିବାକୁ ନୂଆଦିଲ୍ଲୀ ଇସ୍‌ଲାମାବାଦକୁ ବୁଝାଇବାରେ ସମର୍ଥ ହେବ ବୋଲି ଭାରତର ପ୍ରମୁଖ କାଉନ୍‌ସେଲ୍ କହିବାର କିଛି ଦିନ ପରେ ପାକିସ୍ତାନ ଏ କଥା କହିଛି।

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ଗୁପ୍ତଚରଗିରି ଏବଂ ଆତଙ୍କବାଦ ଅଭିଯୋଗରେ ୨୦୧୭ ଏପ୍ରିଲ୍ ମାସରେ ପାକିସ୍ତାନୀ ସାମରିକ ଅଦାଲତ ଯାଦବଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେଇଥିଲା। ଏହାର କିଛି ସପ୍ତାହ ପରେ ଭାରତ ‘ଇଣ୍ଟର୍‌ନ୍ୟାସ୍‌ନାଲ୍ କୋର୍ଟ ଅଫ୍ ଜଷ୍ଟିସ୍’ଙ୍କ ଠାରେ କୁଳଭୂଷଣଙ୍କୁ ଦିଆଯାଇଥିବା ମୃତ୍ୟୁ ଦଣ୍ଡକୁ ଚାଲେଞ୍ଜ୍ କରିଥିଲା।

 

ସମ୍ବନ୍ଧିତ ଖବର