୯/୧୧ ପରେ ଆତଙ୍କବାଦ ବିରୋଧୀ ଲଢେଇରେ ଆମେରିକାକୁ ସହାୟତା କରିବା ପାକିସ୍ତାନର ଏକ ବଡ଼ ଭୁଲ ଥିଲା : ଇମ୍ରାନ ଖାଁ

ନ୍ୟୁୟର୍କ : ଆମେରିକା ଗସ୍ତରେ ଥିବା ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ସ୍ୱୀକାର କରିଛନ୍ତି ଯେ ଆତଙ୍କବାଦ ବିରୋଧୀ ଲଢେଇରେ ଆମେରିକାକୁ ସହାୟତା କରିବା ଏକ ମସ୍ତବଡ଼ ଭୁଲଥିଲା । ଏଠାରେ କାଉନସିଲ ଅଫ ଫରେନ ରିଲେସନ୍ସ ଦ୍ୱାରା ଆୟୋଜିତ ଏକ ଆଲୋଚନାଚକ୍ରରେ ସେ କହିଛନ୍ତି ଯେ ପୂର୍ବତନ ପାକିସ୍ତାନ ସରକାର ଏପରି ଭୁଲ କରିବାର ନଥିଲା । ଯାହା ପୂରଣ କରିହେବ ନାହିଁ ସେଥିପାଇଁ ପ୍ରତିଶ୍ରୁତି ଦେବାର ନଥିଲା ।

ସେ କହିଛନ୍ତି ଯେ ପାକିସ୍ତାନରେ ଥିବା ଆତଙ୍କବାଦୀଙ୍କୁ ଗଢିବାରେ ଆମେରିକା ଦାୟୀ । ଅଶୀ ଦଶକରେ ଆଫଗାନିସ୍ତାନ ଉପରେ ସୋଭିଏତ ଋଷର ଆକ୍ରମଣ ବେଳେ ଆମେରିକାର ସିଆଇଏର ଆର୍ଥିକ ସହଯୋଗରେ ମୁଜାହିଦ୍ଦିନମାନଙ୍କୁ ପାକିସ୍ତାନ ଦ୍ୱାରା ତାଲିମ ଦିଆଯାଇଥିଲା ଓ ସେମାନେ ସୋଭିଏତ ସହିତ ଲଢିଥିଲେ । ବିଭିନ୍ନ ମୁସଲିମ ଦେଶରୁ ମୁସଲିମ ଯୁବକମାନେ ଆସି ସୋଭିଏତ ବିରୋଧରେ ଲଢି ବିଜୟ ହାସଲ କରିଥିଲେ । ସେତେବେଳ ସେମାନଙ୍କୁ କୁହାଯାଇଥିଲା ଯେ ସେମାନେ ଜିହାଦ କରୁଛନ୍ତି । ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନକୁ ସେତେବେଳେ ସ୍ୱୀକୃତି ଦେଇଥିବା ୩ଟି ଦେଶ ମଧ୍ୟରେ ପାକିସ୍ତାନ ଅନ୍ୟତମ ଥିଲା । କିନ୍ତୁ ୯/୧୧ ପରେ ଆମେରିକା ଆଫଗାନିସ୍ତାନ ଆସି ତାଲିବାନ ଉପରେ ଆକ୍ରମଣ କଲା । ସେତେବେଳେ ଏହି ମୁଦାହିଦ୍ଦିନ ମାନଙ୍କୁ ଆତଙ୍କବାଦୀ କୁହାଗଲା । ଏହି ଯୁଦ୍ଧରେ ପାକିସ୍ତାନ ଆମେରିକା ପକ୍ଷରେ ରହିଲା । ନିଜେ ତିଆରି କରିଥିବା ମୁଜାହିଦ୍ଦିନ ସେନା ବିରୋଧରେ ପାକିସ୍ତାନ ନିଜେ ଲଢିଲା, ଯାହାକି ଏକ ବଡ଼ ଭୁଲ ଥିଲା ।

ସମ୍ବନ୍ଧିତ ଖବର