ଭାରତ ବିରୋଧୀ କାର୍ଯ୍ୟକଳାପ ଜାରି ରଖିଛି ପାକିସ୍ତାନ

ଉଦ୍ଧମପୁର: ନିୟନ୍ତ୍ରଣ ସୀମାରେଖାରେ ପାକିସ୍ତାନ ଭାରତ ବିରୋଧୀ କାର୍ଯ୍ୟକଳାପ ଜାରି ରଖିଛି। ପାକିସ୍ତାନ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ସହିତ ନିଶାଦ୍ରବ୍ୟ କାରବାରକୁ ପ୍ରତ୍ସାହନ ଦେଉଛି ବୋଲି ଭାରତୀୟ ସେନାର ଉତ୍ତର କମାଣ୍ଡ୍‌ର ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ରଣବୀର ସିଂହ କହିଛନ୍ତି।ସିଂହ କହିଛନ୍ତି, ପାକିସ୍ତାନ ନିୟନ୍ତ୍ରଣ ସୀମାରେଖାରେ ଯୁଦ୍ଧବିରତି ଉଲ୍ଲଙ୍ଘନ କରୁଛି। ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶକୁ ପ୍ରତ୍ସାହନ ଦେଉଛି। ନିଶାଦ୍ରବ୍ୟ କାରବାର ସହିତ ପାକିସ୍ତାନ ନିୟନ୍ତ୍ରଣ ସୀମାରେଖା ଅଂଚଳରେ ଜାଲ୍‌ ନୋଟ୍‌ ପ୍ରଚଳନ ମଧ୍ୟ କରୁଛି। ଭାରତ ସହ ଛାୟା ଯୁଦ୍ଧ ଜାରି ରଖିବାକୁ ଚାହୁଛି। ସିଂହ ଏହା ମଧ୍ୟ କହିଛନ୍ତି, ଏବେ ସୀମା ନିକଟତର ଅଂଚଳରେ ଆତଙ୍କବାଦୀ ନେଟ୍‌ୱର୍କ ଚାଲୁରହିଛି ଏବଂ ଏହା ଭାରତ ବିରୋଧରେ ବ୍ୟବହାର କରାଯାଉଛି। ତେବେ ପାକିସ୍ତାନ ଯେତେ ଉଦ୍ୟମ କଲେ ମଧ୍ୟ ଏଥିରେ ସଫଳ ହେବ ନାହିଁ। ପାକିସ୍ତାନର ଭାରତ ବିରୋଧୀ ଯୋଜନାକୁ ବିଫଳ କରିବା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କାର୍ଯ୍ୟକ୍ଷମ ରହିଛି ବୋଲି ସିଂହ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି।

ସିଂହ ଆହୁରି କହିଛନ୍ତି ଯେ ଭାରତ ପକ୍ଷରୁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରାଯାଉଛି ଯାହାଦ୍ୱାରା ଦୁଇ ଦେଶ ମଧ୍ୟରେ କୌଣସି ମତଭେଦ ସୃଷ୍ଟି ହେବ ନାହିଁ। ଦୁଇ ଦେଶ ମଧ୍ୟରେ ବିଶ୍ୱାସ ବଢାଇବାକୁ ଉଦ୍ୟମ କରାଯାଉଛି। କୌଣସି ପ୍ରକାରର ଅବ୍ୟବସ୍ଥା ବା ବିବାଦ ସୃଷ୍ଟି ହେଲେ ଏହାକୁ ପ୍ରତିହତ କରିବା ପାଇଁ ବ୍ୟବସ୍ଥା କରାଯାଇଛି ଯାହା ଠିକ୍‌ ସମୟରେ କାର୍ଯ୍ୟକ୍ଷମ ହେବ। ସେ କହିଛନ୍ତି ନିୟନ୍ତ୍ରଣରେଖା ଅଂଚଳରେ ଶାନ୍ତିପୂର୍ଣ ପରିସ୍ଥିତି ରହିଛି ଏବଂ ଚୀନ ସହ ଶାନ୍ତି ପ୍ରତିଷ୍ଠା କରିବାରେ ସେନା ସଫଳ ହୋଇଛି।

ତେବେ ଜମ୍ମୁ କଶ୍ମୀରରେ ସୁରକ୍ଷା ସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି ଲେଫ୍ଟନାଣ୍ଟ ଜେନେରାଲ ସିଂହ ସୂଚନା ଦେଇ କହିଛନ୍ତି, ଚଳିତ ବର୍ଷ ସେନା ପକ୍ଷରୁ ହୋଇଥିବା ଆତଙ୍କବାଦ ବିରୋଧୀ ଅଭିଯାନରେ ୮୬ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ୨୦୧୮ରେ ମୋଟ ୨୧୭ ଜଣ କଶ୍ମୀର ଯୁବକ ଆତଙ୍କବାଦୀ ହୋଇଥିବା ବେଳେ ଚଳିତ ବର୍ଷ ମାତ୍ର ୪୦ ଜଣ ଅସ୍ତ୍ର ଧରିଛନ୍ତି। ଅନେକ ଆତଙ୍କବାଦୀଙ୍କୁ ମୁଖ୍ୟସ୍ରୋତକୁ ଫେରାଇ ଅଣାଯାଇଛି। ଜମ୍ମୁ ଅଂଚଳର ପିର୍‌ ପାଞ୍ଚଲ ଠାରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରାଯାଇପାରିଛି ବୋଲି କହିବା ସହ ସିଂହ ସୂଚନା ଦେଇଛନ୍ତି, ସେଠାରେ ବର୍ତ୍ତମାନ କୌଣସି ଆତଙ୍କବାଦୀ ନାହାନ୍ତି। ଆଗକୁ ମଧ୍ୟ ସେନା ପକ୍ଷରୁ ଏହି ଅଭିଯାନ ଜାରି ରହିବ। କୌଣସି ପରିସ୍ଥିତିରେ ଉକ୍ତ ଅଂଚଳଙ୍କୁ ଆତଙ୍କବାଦୀଙ୍କ ନିୟନ୍ତ୍ରଣକୁ ଯିବାକୁ ଦିଆଯିବ ନାହିଁ ବୋଲି ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର