ରାତାରାତି ବ୍ୟାଙ୍କ ଖାତାରେ ୧୦ କୋଟି ଟଙ୍କା ଜମା ହେବା ଘଟଣାକୁ ନେଇ ପୁଲିସ ଅଧିକାରୀ କହିଲେ ଏଭଳି କଥା…

ନୂଆଦିଲ୍ଲୀ: ପାକିସ୍ତାନର କରାଚି ସହରର ଜଣେ ପୁଲିସ ଅଧିକାରୀ ରାତାରାତି କୋଟିପତି ହୋଇଯିବାର ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ତେବେ ଜଣେ ପୁଲିସ ଅଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୧୦ କୋଟି ଟଙ୍କା ଆସିଥିବା ଖବର ମିଳିଥିଲା।

ପୁଲିସ ଅଧିକାରୀ ଆମୀର ଗୋପାଙ୍ଗ କହିଛନ୍ତି, ‘ମୋ ଆକାଉଣ୍ଟରେ ଏତେ ଟଙ୍କା ଦେଖି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି, କାରଣ ଏତେ ଟଙ୍କା ଦେଖିବା ତ ଦୂରର କଥା, ମୋ ଆକାଉଣ୍ଟରେ ଅନେକ ସମୟରେ ଅଳ୍ପ କିଛି ହଜାର ଟଙ୍କା ରହିଥାଏ। ମୋ ଜମା ଖାତାରେ ଏତେଗୁଡ଼ିଏ ଟଙ୍କା ଜମା ହୋଇଥିବା କଥା ମୁଁ ଜାଣି ନଥିଲି। ବ୍ୟାଙ୍କର ଜଣେ କର୍ମଚାରୀ ମୋତେ ଫୋନ କରି ଏହି ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଆଉ ମୋ ବ୍ୟାଙ୍କ ଖାତ‌ା ଓ ଏଟିଏମ କାର୍ଡକୁ ବ୍ଲକ କରି ଦିଆଯାଇଥିଲା। କାରଣ ହଠାତ ଏତେଗୁଡ଼ିଏ ଟଙ୍କା ଏକାଠି ଜମା ହେବା ଦେଖି ସେମାନେ ଯାଞ୍ଚ କରିବା ଆରମ୍ଭ କରି ଦେଇଥିଲେ।’

ଲରକାନା ଏବଂ ସୁକ୍କୁରେ ଘଟିଥିବା ଏହି ଘଟଣାରେ ଅନ୍ୟ ପୁଲିସ କର୍ମଚାରୀ ମଧ୍ୟ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ବିପୁଳ ପରିମାଣର ଟଙ୍କା ପାଇଥିଲେ। ଲରକାନାରେ ତିନିଜଣ ପୁଲିସ କର୍ମଚାରୀ ଜାଣିବାକୁ ପାଇଥିଲେ ଯେ ସେମାନଙ୍କ ଜମା ଖାତାକୁ ପାଞ୍ଚକୋଟି ଟଙ୍କା ଲେଖାଏଁ ଆସିଛି। ଏହି କ୍ରମରେ ସୁକ୍କୁରରେ ଜଣେ ପୁଲିସ ଅଧିକାରୀଙ୍କ ଜମାଖାତାକୁ ୧୦କୋଟି ଟଙ୍କା ଆସିଥିଲା।

ଲରକାନା ପୁଲିସର ମୁଖପାତ୍ରଙ୍କ ଅନୁଯାୟୀ, ପୁଲିସ ଘଟଣାର ତଦନ୍ତ କରୁଛି। ସେ କହିଛନ୍ତି ଯେ ତିନିଜଣ ପୁଲିସ କର୍ମଚାରୀ ସେମାନଙ୍କ ଆକାଉଣ୍ଟକୁ  କିପରି ବିପୁଳ ପରିମାଣର ଟଙ୍କା ଆସିଛି ସେ ସମ୍ପର୍କରେ କିଛି ଜାଣି ନାହାନ୍ତି।

 

ସମ୍ବନ୍ଧିତ ଖବର