ଗୁରୁଦ୍ୱାର ନାନକନ ସାହିବ ଭଙ୍ଗାରୁଜା ମାମଲାରେ ତିନି ଅଭିଯୁକ୍ତଙ୍କୁ ଜେଲ୍‌ ଦଣ୍ଡାଦେଶ ଦେଲେ ପାକିସ୍ତାନୀ ଅଦାଲତ

ନୂଆଦିଲ୍ଲୀ: ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ଗୁରୁଦ୍ୱାର ନାନକନ ସାହିବ ଭଙ୍ଗାରୁଜା କରିଥିବା ତିନିଜଣ ବ୍ୟକ୍ତିଙ୍କୁ ସେଠାକାର ଏକ ଅଦାଲତ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ୨୦୨୦ ଜାନୁଆରିରେ ଦଳେ ଉତ୍ତ୍ୟକ୍ତ ଲୋକ ଗୁରୁଦ୍ୱାର ଆକ୍ରମଣ ଥିଲେ। ‘ଗୁଲାମନ୍‌-ଏ-ମୁସ୍ତାଫା’ ପୀଠ ନିର୍ମାଣ କରିବା ଲାଗି ‘ଗୁରୁଦ୍ୱାର ଜନମସ୍ଥାନ’କୁ ଧ୍ୱଂସ କରିବା ଲାଗି ଧମକ ଦେବା ସହ ସେମାନେ ଟେକାପଥର ଫିଙ୍ଗାଫିଙ୍ଗି କରିଥିଲେ।

ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ତିନିଜଣ ବ୍ୟକ୍ତିଙ୍କୁ ମଙ୍ଗଳବାର ଦିନ ‘ପାକିସ୍ତାନୀ ଆଣ୍ଟି-ଟେରରିଜମ୍‌ କୋର୍ଟ’ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି।
ଅଦାଲତର ଜଣେ ଅଧିକାରୀ କହିଛନ୍ତି, ମୁଖ୍ୟ ଅଭିଯୁକ୍ତ ଇମ୍ରାନ୍‌ ଚିସ୍ତିଙ୍କୁ ମଙ୍ଗଳବାର ଦିନ ଲାହୋରର ‘ଏଟିସି’ ଦୁଇ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେବା ସହ ପାକିସ୍ତାନୀ ମୁଦ୍ରା ହିସାବରେ ୧୦ ହଜାର ଟଙ୍କା ଜରିମାନା ଦେବାକୁ ଆଦେଶ ଦେଇଛନ୍ତି। ଅନ୍ୟ ଦୁଇ ଅଭିଯୁକ୍ତ ମହମ୍ମଦ ସଲ୍‌ମନ୍‌ ଏବଂ ମହମ୍ମଦ ଅହମଦ୍‌ଙ୍କୁ ୬ ମାସ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ହୋଇଛି। କିନ୍ତୁ, ପ୍ରମାଣ ଅଭାବର ଆଉ ଚାରିଜଣ ଅଭିଯୁକ୍ତଙ୍କୁ ଦୋଷମୁକ୍ତ କରାଯାଇଛି।

Image Courtesy of The Tribune India

ଏହି ମାମଲାରେ ପଞ୍ଜିକୃତ ହୋଇଥିବା ଏତଲାରୁ ଜଣାପଡ଼ିଛି ଯେ, ମତ୍ସ୍ୟ ବିଭାଗରେ କାର୍ଯ୍ୟରତ ସରକାରୀ କର୍ମଚାରୀ ଇମ୍ରାନ୍‌ ଚିସ୍ତି ଧର୍ମକୁ କେନ୍ଦ୍ର କରି କିଛି ଉତ୍ତ୍ୟକ୍ତ ଲୋକଙ୍କୁ ଶିଖ୍‌ମାନଙ୍କ ବିରୋଧରେ ଉସ୍‌କାଇ ଥିଲେ।

ନିଜ ପରିବାର କୌଣସି ଏକ ସମସ୍ୟା ସମାଧାନ କରିବାକୁ ଚାହୁଁଥିବା ଚିସ୍ତି ନାନକନ ସହରରେ ଏଭଳି ପରିସ୍ଥିତି ସୃଷ୍ଟି କରିଥିବା କଥା ଜଣାପଡ଼ିଛି। ପୁଲିସ କହିବା ଅନୁସାରେ, ‘ପାରିବାରିକ ସମସ୍ୟା’ ସମାଧାନ କରିବାକୁ ଯାଇ ଚିସ୍ତି ଜାଣିଶୁଣି ମୁସଲମାନ ସମ୍ପ୍ରଦାୟଙ୍କୁ ବିଭ୍ରାନ୍ତ କରାଇଥିଲେ।

୨୦୨୦ ଗୁରୁଦ୍ୱାର ଆକ୍ରମଣ ଅଭିଯୋଗରେ ଚିସ୍ତି ଏବଂ ଅନ୍ୟ ସନ୍ଦିଗ୍ଧମାନଙ୍କୁ ଗିରଫ କରାଯାଇଥିଲା। ସେତେବେଳେ ଭାରତ ଏହି ଘଟଣାକୁ ତୀବ୍ର ନିନ୍ଦା କରିବା ସହ ପାକିସ୍ତାନରେ ଥିବା ଶିଖ୍‌ ସମ୍ପ୍ରଦାୟଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ପାକିସ୍ତାନ ସରକାରଙ୍କୁ କହିଥିଲା।

ସମ୍ବନ୍ଧିତ ଖବର