ପାକିସ୍ତାନର ପୂର୍ବତନ ସେନାଧ୍ୟକ୍ଷ ମୁସାରଫଙ୍କ ମୃତ୍ୟୁଦଣ୍ଡାଦେଶ ରଦ୍ଦ କଲେ ଲାହୋର ହାଇକୋର୍ଟ
ଇସଲାମାବାଦ : ପାକିସ୍ତାନର ପୂର୍ବତନ ସେନାଧ୍ୟକ୍ଷ ତଥା ରାଷ୍ଟ୍ରପତି ଜେନେରାଲ ପରଭେଜ୍ ମୁସାରଫଙ୍କ ଫାଶୀ ଦଣ୍ଡାଦେଶକୁ ରଦ୍ଦ କରିଛି ଲାହୋର ହାଇକୋର୍ଟ । ଆଜି ଲାହୋର ହାଇକୋର୍ଟର ଏକ ତିନିଜଣିଆ ବେଞ୍ଚ କହିଛନ୍ତି ଯେ ମୁସାରଫଙ୍କୁ ଏକ ସ୍ୱତନ୍ତ୍ର କୋର୍ଟ ଦେଇଥିବା ମୃତ୍ୟୁଦଣ୍ଡାଦେଶ ଅସାମ୍ବିଧାନିକ । କୋର୍ଟ କହିଛନ୍ତି ଯେ ସ୍ୱତନ୍ତ୍ର କୋର୍ଟରେ ମୁସାରଫଙ୍କ ବିରୋଧରେ ଯେଉଁ ଦେଶଦ୍ରୋହ ମାମଲା ଚାଲିଥିଲା ତାହା ନିୟମଅନୁସାରେ ହୋଇନଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ଗତ ଡିସେମ୍ବର ୧୭ରେ ପାକିସ୍ତାନର ଏକ ସ୍ୱତନ୍ତ୍ର କୋର୍ଟ ମୁସାରଫଙ୍କୁ ଦେଶଦ୍ରୋହ ଅପରାଧରେ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଦେଇଥିଲେ । ପାକିସ୍ତାନ ଇତିହାସରେ ପ୍ରଥମଥର ପାଇଁ ଜଣେ ପୂର୍ବତନ ସେନାଧ୍ୟକ୍ଷଙ୍କୁ ଫାଶୀ ଦଣ୍ଡାଦେଶ ଦିଆଯାଇଥିଲା । ଏହି ଦଣ୍ଡାଦେଶ ବେଳେ ମୁସାରଫ କୋର୍ଟରେ ନଥିଲେ । ଗତ ୨୦୧୬ରୁ ସେ ଦୁବାଇରେ ରହି ଚିକିତ୍ସିତ ହେଉଛନ୍ତି । ତେବେ ଏହି ରାୟକୁ ପାକିସ୍ତାନ ସେନା ପକ୍ଷରୁ ଖୋଲାଖୋଲି ବିରୋଧ କରାଯାଇଥିଲା । ପାକିସ୍ତାନ ସେନାର ମୁଖପାତ୍ର ଆସିଫ ଗଫୁର କହିଥିଲେ ଯେ ଜଣେ ବ୍ୟକ୍ତି ଯିଏକି ପାକିସ୍ତାନ ସେନାର ପୂର୍ବତନ ମୁଖ୍ୟ, ଷ୍ଟାଫ କମିଟିର ଯୁଗ୍ମ ମୁଖ୍ୟ ଓ ପୂର୍ବତନ ରାଷ୍ଟ୍ରପତି ଥିଲେ, ଯିଏ ୪୦ ବର୍ଷ ଧରି ଦେଶର ସେବା କରିଥିଲେ, ଯିଏ ଦେଶରକ୍ଷା ପାଇଁ ଯୁଦ୍ଧ ଲଢିଥିଲେ, ସେ କେବେହେଲେ ଦେଶଦ୍ରୋହୀ ହୋଇପାରିବେ ନାହିଁ । ସ୍ୱତନ୍ତ୍ର କୋର୍ଟରେ ବିଚାର ବେଳେ କେତେକ ଆଇନଗତ ପ୍ରକ୍ରିୟା ପାଳନ କରାଯାଇନଥିଲା, ତାଙ୍କୁ ନିଜର ମତ ରଖିବାକୁ ଦିଆଯାଇନଥିଲା ଓ ତରବରିଆ ଭାବେ ବିଚାର କରାଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ ।