ନୂଆଦିଲ୍ଲୀ: ଭାରତ ସୀମାରେ ଶକ୍ତି ବୃଦ୍ଧି ପାଇଁ ପାକିସ୍ତାନ ଏବେ ବଡ଼ ଯୋଜନା କରୁଛି। ୬୦୦ ଯୁଦ୍ଧ ଟ୍ୟାଙ୍କ୍‌ ଖରିଦ୍‌ କରିବାପାଇଁ ପାକିସ୍ତାନ ଯୋଜନା କରିଛି ଏବଂ ଏଥିରେ ରୁଷ୍‌ ନିର୍ମିତ ମହାଶକ୍ତିଶାଳୀ ଟି-୯୦ ଟ୍ୟାଙ୍କ୍‌ ମଧ୍ୟ ସାମିଲ ରହିଛି। ଗୁଇନ୍ଦା ସୂତ୍ରରୁ ଖବର ମିଳିବାପରେ ପାକିସ୍ତାନର ଏହି ବିଶାଳ ଖରିଦ ପ୍ରକ୍ରିୟା ଉପରେ ଭାରତ ସତର୍କ ନଜର ରଖିଛି। ଏହା ବ୍ୟତୀତ ଇଟାଲିରୁ ୨୪୫ଟି ୧୫୫ ଏମ୍‌ଏମ୍‌ ଏସ୍‌ପି ମାଇକ୍‌-୧୦ ତୋପ କିଣିବାପାଇଁ ପାକିସ୍ତାନ ସମସ୍ତ ପ୍ରକ୍ରିୟା‌ ‌ଶେଷ କରିଛି। ୧୨୦ଟି ତୋପ ପାକିସ୍ତାନ ହାସଲ ମଧ୍ୟ କରି ସାରିଛି ଏବଂ ଏହାକୁ ଭାରତ ସୀମାରେ ମୁତୟନ କରିବାପାଇଁ ପ୍ରସ୍ତୁତି ଚାଲିଛି। ତେବେ ରୁଷ୍‌ରୁ ଟି-୯୦ ଟ୍ୟାଙ୍କ୍‌ ହାସଲ ପାଇଁ ପାକ୍‌ ଉଦ୍ୟମକୁ ଭାରତ ବିରୋଧ କରିବ ବୋଲି କୂଟନୈତିକ ମହଲରେ ଚର୍ଚ୍ଚା ହେଉଛି। ପାକିସ୍ତାନ ଭଳି ଅବିଶ୍ବାସୀ ଏବଂ ଶତ୍ରୁ ରାଷ୍ଟ୍ରକୁ ଟି-୯୦ ଯୁଦ୍ଧ ଟ୍ୟାଙ୍କ୍‌ ମିଳିଲେ ଏହା ସମସ୍ୟା ସୃଷ୍ଟି କରିବ ବୋଲି ପ୍ରତିରକ୍ଷା ବିଶେଷଜ୍ଞମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି। ପାକିସ୍ତାନ ୨୦୨୫ ସୁଦ୍ଧା ଭାରତର ସାମରିକ ଶକ୍ତି ସହ ତାଳ‌ ଦେଇ ସୀମାରେ ନିଜ ଶକ୍ତି ବୃଦ୍ଧି କରିବାକୁ ଚାହୁଛି। ରୁ‌ଷ୍‌ ଭାରତର ଅତ୍ୟନ୍ତ ବିଶ୍ବସ୍ତ ସାମରିକ ସହଯୋଗୀ ହୋଇଥିବାରୁ ଏ କ୍ଷେତ୍ରରେ ଭାରତ ଅତ୍ୟନ୍ତ ସତର୍କତାର ସହ ପଦକ୍ଷେପ ଗ୍ରହଣ କରିବ ଏବଂ ଚୀନ୍‌ର ଘନିଷ୍ଠ ବନ୍ଧୁ ସାଜିଥିବା ପାକିସ୍ତାନର ସାମରିକ ଶକ୍ତି ବୃଦ୍ଧିକୁ ରୋକିବାପାଇଁ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ହେବ ବୋଲି ଜଣାପଡ଼ିଛି। ଜମ୍ମୁ କଶ୍ମୀର ନିୟନ୍ତ୍ରଣ ରେଖା ଅଞ୍ଚଳରେ ପାକିସ୍ତାନର ପ୍ରତ୍ୟେକ ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଭାରତ ଦେଉଛି। ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକ୍ ପରେ ପାକ୍ ଅଧିକୃତ କଶ୍ମୀରରେ ପାକ୍‌ ସେନା ଏବେ ତା’ର ରଣନୀତି ବଦଳାଇଛି। ଆତଙ୍କବାଦୀ ଶିବିରଗୁଡ଼ିକୁ ପାକ୍‌ ସେନା ଅଧିକ ସୁରକ୍ଷା ଯୋଗାଉଛି। ଭାରତ ସେନାର ଆଧୁନିକୀକରଣ ପାଇଁ ଏବେ ବହୁତ ବଡ଼ ଯୋଜନା ହାତକୁ ନେଇଥିବାବେଳେ ୬୦,୦୦୦ କୋଟି ଟଙ୍କା ବ୍ୟୟରେ ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ଯୋଜନା ହୋଇଛି। ଭାରତୀୟ ସେନାରେ ଏବେ ଅଧିକାଂଶ ଟି-୯୦, ଟି-୭୦ ଏବଂ ଅର୍ଜୁନ ଟ୍ୟାଙ୍କ୍‌ ରହିଛି। ଭାରତ ସହ ତାଳ‌ ଦେଇ ଶକ୍ତି ବୃଦ୍ଧି ନିମନ୍ତେ ପାକିସ୍ତାନର ଯୋଜନାକୁ ଚୀନ୍‌ ପ୍ରୋତ୍ସାହିତ କରୁଥିବା ଜଣାପଡ଼ିଛି।