ପାକିସ୍ତାନ ସଙ୍କଟ: ଇମ୍ରାନଙ୍କ ଚକ୍‌ମା, ଅନାସ୍ଥା ପୂର୍ବରୁ ସଂସଦ ଭଙ୍ଗ

ଇମ୍ରାନ୍ କାମଚଳା ପ୍ରଧାନମନ୍ତ୍ରୀ, ୯୦ ଦିନ ଭିତରେ ନିର୍ବାଚନ

ଇସଲାମାବାଦ: ପାକିସ୍ତାନରେ ରାଜନୈତିକ ସଙ୍କଟ ଘନୀଭୂତ ହେବାରେ ଲାଗିଛି। ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ବିରୋଧୀ ଦଳଙ୍କୁ ଚକମା ଦେଇ ସଂସଦ ଭଙ୍ଗ କରିଛନ୍ତି। ଆସନ୍ତା ୩ ମାସ ଭିତରେ ସଂସଦ ନିର୍ବାଚନ ହେବ ବୋଲି ଘୋଷଣା କରିଛନ୍ତି। ଏହାକୁ ନେଇ ଇମ୍ରାନଙ୍କ ବିରୋଧରେ ବିରୋଧୀ ଦଳ କ୍ଷୁବ୍‌ଧ ଥିବା ବେଳେ ସୁପ୍ରିମ କୋର୍ଟ ଏହି ମାମଲାରେ ହସ୍ତକ୍ଷେପ କରିଛନ୍ତି। ସଂସଦ ଭଙ୍ଗ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ସୁପାରିସ କ୍ରମେ ରାଷ୍ଟ୍ରପତି ଯେଉଁ ପଦକ୍ଷେପ ନେଇଛନ୍ତି, ତାହା ସାମ୍ବିଧାନିକ କି ନୁହେଁ, ସେସଂପର୍କରେ କାଲି ରାୟ ଦେଇପାରନ୍ତି। ଏଭଳି ସଙ୍କଟ ବେଳେ ପାକିସ୍ତାନର ସେନାର ରହସ୍ୟଜନକ ନିରବତା ରାଜନୈତିକ ବିଶେଷଜ୍ଞମାନଙ୍କୁ ବିସ୍ମିତ କରିଛି। ସେନା ଯେକୌଣସି ସମୟରେ ସରକାରକୁ ହଟାଇ କ୍ଷମତା ଦଖଲ କରିପ‌ାରେ ବୋଲି ଆଶଙ୍କା ପ୍ରକାଶ ପାଇଲାଣି।

ଇମ୍ରାନଙ୍କୁ ହଟାଇବା ଲାଗି ବିରୋଧୀ ଦଳ ସଂସଦରେ ଆଣିଥିବା ଅନାସ୍ଥା ପ୍ରସ୍ତାବକୁ ଆଜି ଉପବାଚସ୍ପତି ଖାରଜ କରିଦେବା ପରେ ପାକିସ୍ତାନ ରାଜନୀତିରେ ତମ୍ବିତୋଫାନ ସୃଷ୍ଟି ହୋଇଛି। ଅନାସ୍ଥା ଭୋଟ୍‌କୁ ଟାଳିବାକୁ ସକ୍ଷମ ହେବାପରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍ ସଂସଦ ଭଙ୍ଗ କରିବା ଲାଗି ରାଷ୍ଟ୍ରପତି ଅରିଫ୍‌ ଆଲ୍‌ଭିଙ୍କୁ ପରାମର୍ଶ ଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାଷ୍ଟ୍ରପତି ସଂସଦ ଭଙ୍ଗ କରିଛନ୍ତି। ୯୦ ଦିନ ମଧ୍ୟରେ ସାଧାରଣ ନିର୍ବାଚନ ପାଇଁ ବିଜ୍ଞପ୍ତି ମଧ୍ୟ ପ୍ରକାଶ କରିଛନ୍ତି। ତେବେ ବିରୋଧୀ ଦଳମାନେ ଉପବାଚସ୍ପତିଙ୍କ ନିଷ୍ପତ୍ତି ବିରୋଧରେ ଏକଜୁଟ ହୋଇ ସୁପ୍ରିମ୍‌କୋର୍ଟର ଦ୍ବାରସ୍ଥ ହୋଇଛନ୍ତି। ଏହା ସହିତ ସଂସଦ ସମ୍ମୁଖରେ ଗଣ ଆନ୍ଦୋଳାନ ମଧ୍ୟ ଆରମ୍ଭ କରିଛନ୍ତି। ଅନାସ୍ଥା ଭୋଟ୍‌ କାର୍ଯ୍ୟକାରୀ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଘୋଷଣା କରାଯାଇଛି।

ଇମ୍ରାନ୍ କାମଚଳା ପ୍ରଧାନମନ୍ତ୍ରୀ
୯୦ ଦିନ ଭିତରେ ନିର୍ବାଚନ
ବିରୋଧୀଙ୍କ ଆନ୍ଦୋଳନ ଆରମ୍ଭ
ହସ୍ତକ୍ଷେପ କରିବେ ସୁପ୍ରିମ୍‌କୋର୍ଟ

ଉପବାଚସ୍ପତିଙ୍କ ନିଷ୍ପତ୍ତି ନେଇ ଦେଶବ୍ୟାପୀ ଉତ୍ତେଜନା ସୃଷ୍ଟି ହୋଇଥିବା ବେଳେ ଆଜି ମାମଲାକୁ ସୁପ୍ରିମ୍‌ କୋର୍ଟ ନିଜ ଆଡ଼ୁ ମଧ୍ୟ ବିଚାର ପାଇଁ ଗ୍ରହଣ କରିଛନ୍ତି। ଇମ୍ରାନ୍‌ଙ୍କ କ୍ୟାବିନେଟ୍‌ ଭଙ୍ଗ ହେବା ସହ ତାଙ୍କୁ କାମଚଳା ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତି ଦେବାକୁ ରାଷ୍ଟ୍ରପତିଙ୍କ ନିଷ୍ପତ୍ତି ମଧ୍ୟ ଅସାମ୍ବିଧାନିକ ବୋଲି ବିରୋଧୀ ଦଳମାନେ ଦର୍ଶାଇଛନ୍ତି। ଆସନ୍ତାକାଲି ଏହି ମାମଲାରେ ସୁପ୍ରିମ୍‌ କୋର୍ଟର ୫ ଜଣିଆ ଖଣ୍ଡପୀଠ ଶୁଣାଣି କରିବେ। ଅନାସ୍ଥା ଭୋଟ୍‌କୁ ନେଇ ସଂସଦର ଉପବାଚସ୍ପତି, ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ପଦକ୍ଷେପ ସୁପ୍ରିମ୍‌ କୋର୍ଟଙ୍କ ବିଚାର ପରିସରଭୁକ୍ତ ଏବଂ ଏହାର ତର୍ଜମା ଆରମ୍ଭ ହୋଇସାରିଛି ବୋଲି ଖଣ୍ଡପୀଠ କହିଛନ୍ତି।

ସୂଚନାଯୋଗ୍ୟ ଯେ ଅନାସ୍ଥା ଭୋଟରେ ଇମ୍ରାନ୍‌ଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିରୋଧୀ ଦଳ ଏକ ପ୍ରକାର ନିଶ୍ଚିତ ଥିଲେ। ବିରୋଧୀ ଦଳମାନେ ବାଚସ୍ପତି ଆସାଦ କ୍ବେସରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରିବା ପରେ ନିମ୍ନ ସଦନର ଗୁରୁତ୍ବପୂର୍ଣ୍ଣ ଅଧିବେଶନରେ ଉପବାଚସ୍ପତି କାସିମ ସୁରୀ ଅଧ୍ୟକ୍ଷତା କରିଥିଲେ। ଅଧିବେଶନ ଆରମ୍ଭ ହେବା ପରେ ସୂଚନାମନ୍ତ୍ରୀ ଫୱାଦ ଚୌଧାରୀ ସରକାରକୁ ଭାଙ୍ଗିବା ପାଇଁ ଏକ ବିଦେଶୀ ଷଡ଼୍‌ଯନ୍ତ୍ର କାମ କରୁଛି ବୋଲି ଇମ୍ରାନ୍‌ଙ୍କ ଦାବିକୁ ଦୋହରାଇଥିଲେ। ମନ୍ତ୍ରୀ ପ୍ରଶ୍ନ କରିଥିଲେ ଯେ ଏକ ବିଦେଶୀ ସରକାର ଦ୍ବାରା ଆମ ସରକାର ଭଙ୍ଗାଯିବାକୁ ଆମେ କେମିତି ବରଦାସ୍ତ କରିପାରିବା? ଅଧ୍ୟକ୍ଷଙ୍କୁ ଏହା ଉପରେ ରୁଲିଂ ଦେବାକୁ ଅନୁରୋଧ କରିଥିଲେ।
ଏହାପରେ ଉପବାଚସ୍ପତି ଅନାସ୍ଥା ପ୍ରସ୍ତାବକୁ ଏକ ଅନ୍ତର୍ଜାତୀୟ ଷଡ଼୍‌ଯନ୍ତ୍ରର ଅଂଶ ବୋଲି ଦର୍ଶାଇ ପ୍ରତ୍ୟାଖ୍ୟାନ କରିଦେଲେ। ଏକ ଷଡ଼୍‌ଯନ୍ତ୍ର ମାଧ୍ୟମରେ ସରକାରକୁ ଭାଙ୍ଗିବା ପାଇଁ କୌଣସି ବିଦେଶୀ ଶକ୍ତିକୁ ଅନୁମତି ଦିଆଯାଇ ପାରିବ ନାହିଁ ଏବଂ ସୂଚନାମନ୍ତ୍ରୀ ଯାହା କହିଲେ ତାହା ଠିକ୍ ବୋଲି ସେ କହିଥିଲେ। ଉପବାଚସ୍ପତିଙ୍କ ଏହି ନିଷ୍ପତ୍ତି ଇମ୍ରାନ୍‌ଙ୍କୁ ଅନାସ୍ଥା ଭୋଟ୍‌ର ସମ୍ମୁଖୀନ ହେବାରୁ ରକ୍ଷା କରିଥିଲେ ମଧ୍ୟ ଏହାକୁ ନେଇ ସାମ୍ବାଧାନିକ ସଙ୍କଟ ସୃଷ୍ଟି ହୋଇଛି। ଅନାସ୍ଥା ସପକ୍ଷରେ ପର୍ଯ୍ୟାପ୍ତ ସାଂସଦଙ୍କ ସମର୍ଥନ ଥିବାରୁ ଏହାକୁ କୌଣସି ପ୍ରକାରେ ଉପବାଚସ୍ପତି ଅଟକାଇବା ଅଧିକାର ରଖୁନାହାନ୍ତି ବୋଲି ବିରୋଧୀ ଦଳ ନେତାମାନେ କହିଛନ୍ତି।

ସମ୍ବନ୍ଧିତ ଖବର