ଇସଲାମାବାଦ: ଚୀନ୍ ଏବଂ ରୁଷିଆ ପରେ ଇସ୍ରାଏଲ ସହିତ ସାମରିକ ସଂଘର୍ଷରେ ଜଡିତ ଇରାନକୁ ପାକିସ୍ତାନର ସମର୍ଥନ ମିଳିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ସହ କଥା ହୋଇ ତାଙ୍କର ସମର୍ଥନ ପ୍ରକାଶ କରିଛନ୍ତି। ସରିଫ ଇସ୍ରାଏଲର ଆକ୍ରମଣକୁ ସମାଲୋଚନା କରି ଏହାକୁ ଏକ ସ୍ପଷ୍ଟ ଉତ୍ତେଜନା ବୋଲି କହିଛନ୍ତି।
ସେ ଇସ୍ରାଏଲ ବିରୁଦ୍ଧରେ ଏକତ୍ରିତ ହେବାକୁ ମୁସଲିମ ଦେଶଙ୍କୁ ମଧ୍ୟ ନିବେଦନ କରିଛନ୍ତି। ଇସ୍ରାଏଲ ଶୁକ୍ରବାରଠାରୁ ଇରାନର ପରମାଣୁ ଏବଂ ସାମରିକ ଘାଟି ଉପରେ ଆକ୍ରମଣ ଆରମ୍ଭ କରିଛି। ଏହି ଆକ୍ରମଣରେ ଇରାନର ଅନେକ ବରିଷ୍ଠ ସାମରିକ କମାଣ୍ଡର ଏବଂ ପରମାଣୁ ବୈଜ୍ଞାନିକଙ୍କର ମୃତ୍ୟୁ ଘଟିଛି। ପ୍ରତିଶୋଧ ସ୍ୱରୂପ ଇରାନର ପ୍ରମୁଖ ସହର ତେଲ ଅଭିଭ ଉପରେ ମଧ୍ୟ କ୍ଷେପଣାସ୍ତ୍ର ମାଡ଼ କରାଯାଇଛି।
ଶନିବାର ଇରାନର ରାଷ୍ଟ୍ରପତି ପେଜେଶକିୟାନଙ୍କ ସହ ଫୋନ୍ ଯୋଗେ କଥାବାର୍ତ୍ତା କରି ଶାହବାଜ ସରିଫ ଇରାନ ବିରୁଦ୍ଧରେ ଇସ୍ରାଏଲର ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି। ସେ କହିଛନ୍ତି ଯେ, ଏହି ଆକ୍ରମଣ ଇରାନର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତା ଏବଂ ଜାତିସଂଘ ଚାର୍ଟର ଏବଂ ଅନ୍ତର୍ଜାତୀୟ ଆଇନର ସମ୍ପୂର୍ଣ୍ଣ ଉଲ୍ଲଂଘନ।
ସରିଫ ସୋସିଆଲ ମିଡିଆ ଏକ୍ସରେ ପୋଷ୍ଟ କରିଛନ୍ତି, ଆଜି ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ସହ କଥା ହୋଇଛି ଏବଂ ଇସ୍ରାଏଲ ଦ୍ୱାରା ବିନା ପ୍ରରୋଚନାରେ ଆକ୍ରମଣର ସମ୍ମୁଖୀନ ହେଉଥିବା ଇରାନର ଲୋକଙ୍କ ସହିତ ପାକିସ୍ତାନର ସମର୍ଥନ ପ୍ରକାଶ କରିଛି।
ପାକିସ୍ତାନ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଜାତିସଂଘ ଚାର୍ଟରର ଧାରା ୫୧ ଅନୁଯାୟୀ, ଇରାନର ଆତ୍ମରକ୍ଷା କରିବାର ଅଧିକାର ଅଛି। ଇସ୍ରାଏଲର ଆକ୍ରମଣ ଆଞ୍ଚଳିକ ଏବଂ ବିଶ୍ୱ ଶାନ୍ତି ଓ ସ୍ଥିରତା ପାଇଁ ଏକ ଗମ୍ଭୀର ବିପଦ। ରେଡିଓ ପାକିସ୍ତାନ ରିପୋର୍ଟ କରିଛି ଯେ, ସରିଫ ପାଲେଷ୍ଟାଇନୀମାନଙ୍କ ବିରୁଦ୍ଧରେ ଇସ୍ରାଏଲର 'ନରସଂହାର' ଅଭିଯାନକୁ ମଧ୍ୟ ଦୃଢ଼ ନିନ୍ଦା କରିଛନ୍ତି।
ଅଧିକ ପଢ଼ନ୍ତୁ: ଇରାନର ଧମକ: ଚୀନ୍-ଭାରତର ଚିନ୍ତା ବଢ଼ିଲା, ତେଲ ଦର ଆକାଶ ଛୁଆଁ ହେବା ଆଶଙ୍କା
ଶାହବାଜ ସରିଫ ଇସ୍ରାଏଲର ଆକ୍ରମଣାତ୍ମକ ଆଭିମୁଖ୍ୟ ଏବଂ ଏହାର ବେଆଇନ କାର୍ଯ୍ୟକୁ ରୋକିବା ପାଇଁ ତୁରନ୍ତ ପ୍ରଭାବଶାଳୀ ପଦକ୍ଷେପ ନେବାକୁ ଅନ୍ତର୍ଜାତୀୟ ସମୁଦାୟ, ଜାତିସଂଘ ଏବଂ ମୁସଲିମ ଦେଶମାନଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି ଯେ, ପାକିସ୍ତାନ ଏହି ଅଞ୍ଚଳରେ ଶାନ୍ତି ପ୍ରୋତ୍ସାହନ ପାଇଁ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ ଏବଂ ଏହି କ୍ଷେତ୍ରରେ ନିଜର ଭୂମିକା ଗ୍ରହଣ କରିବାକୁ ପ୍ରସ୍ତୁତ।
ଇରାନ ରାଷ୍ଟ୍ରପତି ପେଜେଶକିୟାନ ପ୍ରଧାନମନ୍ତ୍ରୀ ସରିଫଙ୍କୁ ଏଭଳି ସଙ୍କଟଜନକ ସମୟରେ, ବିଶେଷକରି ଜାତିସଂଘ ସୁରକ୍ଷା ପରିଷଦରେ, ପାକିସ୍ତାନର ସମର୍ଥନ ଏବଂ ଇରାନ ପ୍ରତି ଏକତା ପାଇଁ ଧନ୍ୟବାଦ ଜଣାଇଛନ୍ତି। ସେ କହିଛନ୍ତି, ସରିଫଙ୍କ ଏହି ପଦକ୍ଷେପ ଦୁଇ ଦେଶ ମଧ୍ୟରେ ଘନିଷ୍ଠ ସମ୍ପର୍କକୁ ପ୍ରତିଫଳିତ କରେ। ଇରାନକୁ ଚୀନ୍ ଏବଂ ରୁଷିଆ ଭଳି ପ୍ରମୁଖ ଶକ୍ତିଠାରୁ ମଧ୍ୟ ସମର୍ଥନ ମିଳିସାରିଛି ବୋଲି ସେ କହିଛନ୍ତି।
ଅଧିକ ପଢ଼ନ୍ତୁ: ‘ଶୃଙ୍ଖଳିତ ଓ ସୁରକ୍ଷିତ ରଥଯାତ୍ରା ନେଇ ସବୁ ବିଭାଗ ସହ ଆଲୋଚନା ସରିଛି’
israel | Israel Iran War | pakistan | shahbaz-sharif
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-09-12t092703765z-halim.jpeg)
/sambad/media/media_files/2025/06/15/Z5FlSFlFFTFsVbp280Ia.jpg)