ଇସଲାମାବାଦ/ନୂଆଦିଲ୍ଲୀ: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍‌ ଭାରତ ବିରୋଧରେ ପୁଣି ଥରେ ଆକ୍ରମଣାତ୍ମକ ବୟାନ ଦେଇଛନ୍ତି। ଏକ ଟିଭି ସାକ୍ଷାତ୍‌କାରରେ ସେ କହିଛନ୍ତି ଯେ ଭାରତ ସହିତ ଯୁଦ୍ଧର ସମ୍ଭାବନା ବାସ୍ତବ ଓ ପ୍ରବଳ।   ଯଦି ଯୁଦ୍ଧ ହୁଏ, ତେବେ ପାକିସ୍ତାନକୁ ପୂର୍ବ  ଅପେକ୍ଷା ଅଧିକ ଭଲ ପରିଣାମ ମିଳିବ ବୋଲି ସେ କହିଛନ୍ତି। ଏହି ବୟାନ ଏପରି ସମୟରେ ଆସିଛି ଯେତେବେଳେ ‘ଅପରେସନ୍‌ ସିନ୍ଦୂର’ରେ ପାକିସ୍ତାନକୁ ଭୀଷଣ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି।

Advertisment

ଆସିଫ୍‌ କହିଛନ୍ତି, ଭାରତ ସହ ଯଦି ଲଢ଼େଇ ହୁଏ, ତେବେ ଆଲ୍ଲା ଆମକୁ ବହୁତ ଭଲ ଫଳ ଦେବେ। ସେ ଭାରତ ଉପରେ କଟାକ୍ଷ କରି କହିଛନ୍ତି ଯେ ଭାରତ ଔରଙ୍ଗଜେବ୍‌ଙ୍କ ଶାସନ ବ୍ୟତୀତ କେବେ ବି ଏକତ୍ରିତ ହୋଇନାହିଁ।  ଅନ୍ୟପକ୍ଷରେ ପାକିସ୍ତାନର ଆଧାର ଦୃଢ଼ ବିଚାରଧାରା ଉପରେ ଆଧାରିତ ଏବଂ ଭାରତ ବିରୋଧରେ ଲଢ଼ିବା ବେଳେ ଆମେ ପାକିସ୍ତାନୀ ସର୍ବଦା ଏକାଠି ହୋଇଥାଉ  ବୋଲି ସେ କହିଛନ୍ତି।  ଆସିଫ୍‌ଙ୍କ ଏହି ହାସ୍ୟାସ୍ପଦ ବୟାନ ଏବେ ଚର୍ଚ୍ଚାରେ ରହିଛି। ଆସିଫ୍‌ ଜୋର ଦେଇ କହିଛନ୍ତି ଯେ ଭାରତ ସହ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ନିରପେକ୍ଷ ଦେଶଗୁଡ଼ିକ ଇସଲାମାବାଦର ସପକ୍ଷରେ ରହିଛନ୍ତି। ସେ କହିଛନ୍ତି, ଭାରତ-ପାକିସ୍ତାନ ବିବାଦ ସମୟରେ ନିରପେକ୍ଷ ଥିବା ଦେଶମାନେ ଆମ ଶିବିରରେ ଯୋଗ ଦେଇଛନ୍ତି  ଏବଂ ଯେଉଁମାନେ ଭାରତକୁ ସମର୍ଥନ କରିଥିଲେ ସେମାନେ ଏବେ ନିରବ ଅଛନ୍ତି । ଏହା ଭାରତକୁ ବର୍ଷ ବର୍ଷ ଧରି ବ୍ୟଥିତ କରିବ। ଆସିଫ୍ ପାକିସ୍ତାନ ଉପରେ ଭାରତର କଥିତ ସାମରିକ କାର୍ଯ୍ୟାନୁଷ୍ଠାନକୁ ବିହାର ନିର୍ବାଚନ ସହିତ ଯୋଡିଛନ୍ତି।  ସେ କହିଛନ୍ତି, ମୋର ସୀମିତ ଜ୍ଞାନ ଅନୁସାରେ, ବିହାର ନିର୍ବାଚନ ଏହି ଉତ୍ତେଜନାର ଏକ କାରଣ ହୋଇପାରେ। ପାକିସ୍ତାନ ଅପରେସନ ବୁନ୍‌ୟାନ ଅଲ୍ ମାର୍ସୁସ୍ ଆରମ୍ଭ କରିବା ପରଠାରୁ ମୋଦୀଙ୍କ ଲୋକପ୍ରିୟତା ହ୍ରାସ ପାଇଛି। ଯେଉଁମାନେ କଠୋରପନ୍ଥୀ ମୋଦୀ ସମର୍ଥକ ଥିଲେ ସେମାନେ ମଧ୍ୟ ଏବେ ତାଙ୍କୁ ସମାଲୋଚନା କରୁଛନ୍ତି ବୋଲି ସେ କହିଛନ୍ତି।  ସୂଚନାଯୋଗ୍ୟ, ବୈଶ୍ବିକ ଆତଙ୍କବାଦୀଙ୍କ ଗଡ଼ ପାଲଟିଥିବା ପାକିସ୍ତାନରେ ଏବେ ଘୋର ଅସ୍ଥିରତା ଲାଗି ରହିଥିବା ବେଳେ ସେନାର ଇଙ୍ଗିତରେ ସରକାର ପରିଚାଳିତ ହେଉଛି ଏବଂ ପାକ୍‌ ନେତା ଓ ମନ୍ତ୍ରୀମାନେ ଭାରତ ବିରୋଧୀ ବିଷୋଦ୍‌ଗାର ଜାରି ରଖିଛନ୍ତି।