ଭାରତର କୃଷକ ଆନ୍ଦୋଳନରେ ଆମେରିକା ମୁଣ୍ଡ ପୁରାଇବାକୁ ଦାବି କଲା ପାକିସ୍ତାନ 

ନୂଆଦିଲ୍ଲୀ: ଭାରତରେ ଚାଲିଥିବା କୃଷକ ଆନ୍ଦୋଳନରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ମୁଣ୍ଡ ପୁରାଇବାକୁ ପାକିସ୍ତାନ ଆଗ୍ରହ ପ୍ରକାଶ କରିଛି | ପାକିସ୍ତାନର ବିଦେଶ ମନ୍ତ୍ରାଳୟର ସଂସଦୀୟ କମିଟି ଜାନୁୟାରୀ ୨୬ରେ ଦିଲ୍ଲୀରେ ହୋଇଥିବା ବିରୋଧ ପ୍ରଦର୍ଶନକୁ ନେଇ ମୁହଁ ଖୋଲିଛି | ସଂସଦୀୟ କମିଟି ଦାବି କରିଛି ଯେ ଭାରତରେ ଚାଷୀଙ୍କ ପ୍ରତି ହେଉଥିବା ମାନବାଧିକାର ଉଲ୍ଲଙ୍ଘନ ପ୍ରସଙ୍ଗରେ ପାକିସ୍ତାନ ସରକାର ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସରକାର ସହ ଅନ୍ତଃରାଷ୍ଟ୍ରୀୟ  ସଂଗଠନ ସାମ୍ନାରେ ଉଠାନ୍ତୁ |

ଇସଲାମାବାଦର ସଂସଦ ଭବନରେ ଗୁରୁବାର ଦିନ ପ୍ରାୟ ତିନି ଘଣ୍ଟା ଧରି ଚାଲିଥିବା ବୈଠକର ଅଧ୍ୟକ୍ଷତା କରିଥିଲେ ସାଂସଦ ମୁସେଦ ହୁସେନ | ଏହି ବୈଠକରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ସାହ ମହମ୍ମଦ କ୍ୟୁରେସି ଉପସ୍ଥିତ ଥିଲେ | ସଂସଦୀୟ କମିଟି ପକ୍ଷରୁ କୁହାଯାଇଥିଲା ଯେ ‘ଭାରତର ଆରଏସଏସ(ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନ)ର ମୁଖା ପାକିସ୍ତାନ ସରକାର ଅନ୍ତଃରାଷ୍ଟ୍ରୀୟ ଫୋରମରେ ଖୋଲନ୍ତୁ |  ଜାନୁୟାରୀ ୨୬ରେ ମୋଦି ସରକାରଙ୍କ ଅତ୍ୟାଚାରକୁ ବିରୋଧ କରୁଥିବା ଲୋକଙ୍କ ପାଇଁ ଦିନଟି କଳାଦିନ ଥିଲା | ନୂଆଦିଲ୍ଲୀର ଲାଲକିଲ୍ଲାରେ ଶିଖ ଚାଷୀମାନେ ନିଜ ପବିତ୍ର ପତାକା ଉଡାଇଛନ୍ତି ଓ ପାକିସ୍ତାନ ସବୁବେଳେ ତାଙ୍କ ସହ ଅଛି |

ଭାରତରେ ୨୦୧୯ ମସିହାରେ ୧୦ ହଜାରରୁ ଅଧିକ କୃଷକ ଆତ୍ମହତ୍ୟା କରିଛନ୍ତି | ଆଉ ଅନେକ ମୁସଲମାନଙ୍କୁ ସେମାନଙ୍କ ଧର୍ମ ପାଇଁ ଉଦ୍ଦେଶ୍ୟମୂଳକ ଭାବେ ଟାର୍ଗେଟ କରାଯାଇଛି | ଆମେ ଚାଁହୁଛୁ ଯେ ଭାରତ ସରକାରଙ୍କ ପକ୍ଷରୁ କରାଯାଉଥିବା ଏହି ମାନବାଧିକାର ଉଲ୍ଲଙ୍ଘନ ପ୍ରସଙ୍ଗକୁ ସମସ୍ତଙ୍କ ସାମ୍ନାରେ କୁହାଯାଉ’ | ସୂଚନା ଥାଉ କି କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଏହା ପୂର୍ବରୁ ଅନ୍ତଃରାଷ୍ଟ୍ରୀୟ ସଂଗଠନମାନଙ୍କର ଦୃଷ୍ଟି ଆକର୍ଷଣ କରିବାକୁ ପ୍ରୟାସ କରିଥିଲା | କିନ୍ତୁ ଏହା ବିଫଳ ହୋଇଥିଲା |

ସମ୍ବନ୍ଧିତ ଖବର