ଇସଲାମାବାଦ: ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ଇଶାକ ଦାର କହିଛନ୍ତି ଯେ ଅପରେସନ ସିନ୍ଦୂର ସମୟରେ ପାକିସ୍ତାନର ଦୁଇଟି ଗୁରୁତ୍ୱପୂର୍ଣ୍ଣ ଏୟାର୍ବେସ୍ ରାୱଲପିଣ୍ଡିର ନୁର ଖାନ୍ ଓ ସୋରକୋଟ ଏୟାରବେସ୍ ଉପରେ ଭାରତ ଆକ୍ରମଣ କରିଥିଲା। ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ହେବାର କିଛି ଦିନ ପରେ ମେ ୭ ତାରିଖରେ ଭାରତ ଏହି ଏୟାର୍ ଷ୍ଟ୍ରାଇକ୍ କରିଥିଲା। ଭାରତର ଆକ୍ରମଣରେ ହୋଇଥିବା କ୍ଷୟକ୍ଷତିକୁ ପାକିସ୍ତାନ ସରକାର ଓ ସେନା ବାରମ୍ବାର ଅସ୍ୱୀକାର କରିବା ପରେ ଦାର ଏହି ବୟାନ ଦେଇଛନ୍ତି। ଜିଓ ନ୍ୟୁଜ୍ରେ ଦାର କହିଛନ୍ତି ଯେ ପାକିସ୍ତାନ ଏହାର ଜବାବ ଦେବାକୁ ପ୍ରସ୍ତୁତ ହେଉଥିବା ବେଳେ ଏହି ଆକ୍ରମଣ ହୋଇଥିଲା, ଯାହାର ଅର୍ଥ ଭାରତ ଦ୍ରୁତ ଗତିରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପାକିସ୍ତାନର ସାମରିକ ରଣନୀତିକୁ ବିଫଳ କରିଦେଇଥିଲା। ଏଭଳି ସ୍ଥିତିରେ ଆମେ ଭାରତକୁ ଅସ୍ତ୍ରବିରତି ପାଇଁ ଅନୁରୋଧ କରିଥିଲୁ ବୋଲି ଦାର କହିଛନ୍ତି। ଦାରଙ୍କ ଏହି ବୟାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଅସ୍ତ୍ରବିରତି ମଧ୍ୟସ୍ଥତା ଦାବିକୁ ମିଥ୍ୟା ପ୍ରମାଣିତ କରିଛି। ସୂଚନାଯୋଗ୍ୟ, ଟ୍ରମ୍ପ ତୁହାକୁ ତୁହା ଦାବି କରୁଛନ୍ତି ଯେ ତାଙ୍କର ଉଦ୍ୟମରେ ହିଁ ଭାରତ-ପାକିସ୍ତାନ ମଧ୍ୟରେ ଅସ୍ତ୍ରବିରତି ହୋଇଥିଲା।
ଏପ୍ରିଲ ୨୨ରେ ଜମ୍ମୁ-କାଶ୍ମୀରର ପହଲଗାମରେ ହୋଇଥିବା ନୃଶଂସ ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତର ଏହି ଅପରେସନ ହୋଇଥିଲା। କେବଳ ଆତଙ୍କବାଦୀ ଭିତ୍ତିଭୂମି ଓ ସୀମାପାର ଆକ୍ରମଣର ଯୋଜନା ବା ସମର୍ଥନ କରୁଥିବା ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ୍ କରି ଏହି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦିଷ୍ଟ ଲକ୍ଷ୍ୟଭିତ୍ତିରେ କରାଯାଇଥିଲା ବୋଲି ଭାରତ କହିଛି। ଦାର ଆହୁରି ପ୍ରକାଶ କରିଛନ୍ତି ଯେ ଭାରତୀୟ ଆକ୍ରମଣର ମାତ୍ର ୪୫ ମିନିଟ୍ ମଧ୍ୟରେ ସାଉଦି ପ୍ରିନ୍ସ ଫୈଜଲ ବିନ୍ ସଲମାନ ବ୍ୟକ୍ତିଗତ ଭାବେ ତାଙ୍କ ସହ ଯୋଗାଯୋଗ କରିଥିଲେ। ପରିସ୍ଥିତିକୁ ଶାନ୍ତ କରିବା ପାଇଁ ପାକିସ୍ତାନ ତରଫରୁ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କ ସହ କଥା ହେବାକୁ ଚାହୁଥିଲେ ସଲମାନ। ଏଥିରୁ ଜଣାପଡୁଛି ଯେ ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ କରିବାରେ ରିୟାଦ ଏକ ନୀରବ ତଥା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଦାର ଆହୁରି କହିଛନ୍ତି ଯେ ଭାରତକୁ ଯୁଦ୍ଧ ବନ୍ଦ କରିବାକୁ କହିବା ପାଇଁ ଇସଲାମାବାଦ ମଧ୍ୟ ଆମେରିକା ସହ ଯୋଗାଯୋଗ କରିଥିଲା। ପ୍ରଧାନମନ୍ତ୍ରୀ ଶେହବାଜ ସରିଫ୍ ଓ ପାକିସ୍ତାନର ଅନ୍ୟ ବରିଷ୍ଠ ଅଧିକାରୀମାନେ ଭାରତକୁ କଡ଼ା ଜବାବ ଦେଇଛନ୍ତି ବୋଲି କରିଥିବା ଦାବିକୁ ମଧ୍ୟ ଦାରଙ୍କ ସ୍ୱୀକାରୋକ୍ତି ଖଣ୍ଡନ କରିଛି। ପାକିସ୍ତାନ ପାଇଁ ଏହା ଅଡ଼ୁଆ ସୃଷ୍ଟି କରିଥିବା ବେଳେ ଟ୍ରମ୍ପଙ୍କ ମିଥ୍ୟା ବୟାନ ମଧ୍ୟ ଚର୍ଚ୍ଚାରେ ରହିଛି।