ପାକିସ୍ତାନ ଆମ ଲାଗି କିଛି କରୁନାହିଁ: ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ଓ୍ଵାସିଂଟନ୍‌: ସାମରିକ ସହାୟତା ବାବଦରେ ପାକିସ୍ତାନକୁ ନିୟୁତ ନିୟୁତ ଡଲାର୍‌ ବନ୍ଦ କରିବା ନିମନ୍ତେ ତାଙ୍କ ପ୍ରଶାସନ ନେଇଥିବା ନିଷ୍ପତ୍ତିକୁ ପରାଷ୍ଟ୍ରପତି ଟ୍ରମ୍ପ୍‌ ସମର୍ଥନ କରିଛନ୍ତି।

ସେ କହିଛନ୍ତି: ଆମେ ପାକିସ୍ତାନକୁ ପ୍ରତିବର୍ଷ ୧. ୩ ବିଲିୟନ୍‌ ଡଲାର୍‌ ଦେଉଛୁ। ବିନ୍‌ ଲାଡେନ୍‌ ପାକିସ୍ତାନରେ ବାସ କରୁଥିଲା, ଆମେ ପାକିସ୍ତାନକୁ ସମର୍ଥନ କରୁଛୁ, ଆମେ ତାଙ୍କୁ ବର୍ଷକୁ ୧. ୩ ବିଲିୟନ୍‌ ଡଲାର୍‌ ଦେଉଛୁ– ସେ ଯାହା ହେଉ ଏବେ ଆମେ ଆଉ ଦେବୁନି। ସେମାନେ ଆମ ପାଇଁ କିଛି କରୁ ନ ଥିବାରୁ ମୁଁ ଡଲାର୍‌ ଦେବା ବନ୍ଦ କଲି। ସେମାନେ ଆମ ପାଇଁ କିଛି ହେଲେ କରୁ ନାହାନ୍ତି।

ଫକ୍ସ୍‍ ନିୟୁଜ୍‌ରେ ଆଙ୍କର୍‌ କ୍ରିସ୍‌ ଓ୍ଵାଲେସ୍‌ଙ୍କ ସହ ଏକ ସାକ୍ଷାତ୍‌କାରରେ ଟ୍ରମ୍ପ୍‌ ଏ ସବୁ କଥା କହିଛନ୍ତି।

ଟ୍ରମ୍ପ୍‌ ସ୍ପଷ୍ଟ ଭାବେ କହିଛନ୍ତି ଯେ ଆମେରିକା ଠାରୁ ସହାୟତା ଗ୍ରହଣ କରି ମଧ୍ୟ ଅନ୍ୟାନ୍ୟ ବିଷୟ ସହ ‘ଆତଙ୍କ ବିରୋଧରେ ଯୁଦ୍ଧ’ ଲାଗି ସେ ଆମେରିକାକୁ ସହଯୋଗ କରିନାହିଁ। ଓସାମା ବିନ୍‌ ଲାଡେନ୍‌କୁ ଆଶ୍ରୟ ଦେଇଥିବାରୁ ସେ ପାକିସ୍ତାନକୁ ନିନ୍ଦା କରିଛନ୍ତି।

ପାକିସ୍ତାନ ଉପରେ ଆମେରିକାର ହତାଶା ଭାବକୁ ଟ୍ରମ୍ପ୍‌ ପ୍ରଶାସନ୍‌ ଅନେକ ସମୟରେ ପଦାରେ ପକାଇଛି। ଦୁଇ ଦଶନ୍ଧି ଧରି ଦ୍ରୁତ ବେଗରେ ଚାଲୁଥିବା ଆଫଗାନ ଯୁଦ୍ଧ ପଛର ମୁଖ୍ୟ କାରଣ ପାକିସ୍ତାନ ବୋଲି ଓ୍ଵାସିଂଟନ୍‌ର ରାଜନୈତିକ ଆଲେଖ୍ୟ ସବୁରେ ଦେଖିବାକୁ ମିଳୁଛି।

ପାକିସ୍ତାନର ଆବୋତାବାଦରେ ଏକ ସୁରକ୍ଷିତ ପରିସର ମଧ୍ୟରେ ଅଲ୍‌ କାଏଦାର ମୁଖ୍ୟ ଓସାମା ବିନ୍‌ ଲାଡେନ୍‌ ବାସ କରୁଥିବା ଜଣାପଡ଼ିବା ପରେ, ପାକିସ୍ତାନ ନିଜେ ଆତଙ୍କବାଦର ଶିକାର ହୋଇଛି ବୋଲି କରିବା ଦାବିକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଥିଲା।

୨୦୧୧ରେ ଏକ ଦୁଃସାହସିକ ହେଲିକପ୍ଟର୍‌ ଚଢ଼ାଉ କରି ୟୁଏସ୍‌ ନାଭାଲ୍‌ ସ୍ପେସାଲ୍‌ ଓ୍ଵାର୍‌ଫେୟାର୍‌ ଡେଭେଲପ୍‌ମେଣ୍ଟ୍‌ ଗ୍ରୁପ୍‌ର ଯବାନମାନେ ଲାଡେନ୍‌କୁ ହତ୍ୟା କରି ସେ ପରିସରକୁ ଧ୍ୱଂସ କରିଥିଲେ।

ସମ୍ବନ୍ଧିତ ଖବର