କିଛି ବୁଝିପାରିଲାନି ପାକିସ୍ତାନ: ଏକ ସମୟରେ ଉଡ଼ିଲେ ମିରାଜ, ସୁଖୋଇ, ଆୱାକ୍ସ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାର ବିସ୍ମୟ ସୃଷ୍ଟିକାରୀ ରଣନୀତି ଦେଖି ପାକିସ୍ତାନ ଛାନିଆ ହୋଇଯାଇଛି। ୧୨ଟି ମିରାଜ୍‌-୨୦୦୦ ବିମାନର ଏକକାଳୀନ ଆକ୍ରମଣର ମୁକାବିଲା ପାଇଁ ପାକିସ୍ତାନ ଆଜି ସଂପୂର୍ଣ୍ଣ ଅସମର୍ଥ ପ୍ରମାଣିତ ହୋଇଛି। ଆଜି ଭାରତର ପଶ୍ଚିମ ଏବଂ କେନ୍ଦ୍ରୀୟ କମାଣ୍ଡ ଅଧୀନରେ ଥିବା ବିଭିନ୍ନ ବାୟୁସେନା ଘାଟିରୁ ଏକ ସମୟରେ ୧୨ଟି ମିରାଜ ବିମାନ, ସୁଖୋଇ ୩୦, ଆକାଶରେ ଇନ୍ଧନ ଯୋଗାଉଥିବା ବିମାନ ଏବଂ ଦୁଇଟି ଆୱାକ୍ସ ବିମାନ ଉଡ଼ାଣ ଆରମ୍ଭ‌ ହେବାପରେ ପାକିସ୍ତାନ ଦ୍ବନ୍ଦ୍ବରେ ପଡ଼ିଯାଇଥିଲା। କେଉଁ ଘାଟିରୁ ବାହାରିଥିବା ବିମାନ କେଉଁଆଡ଼େ ଯାଉଛି କେହି କିଛି ବୁଝିପାରିନଥିଲେ। ସାମରିକ ଅଧିକାରୀମାନେ ପରସ୍ପର ସହ ଯୋଗାଯୋଗ କରି ସ୍ଥିତି ସଂପର୍କରେ ଅବଗତ ହେବା ବେଳକୁ ମିରାଜ ଯୁଦ୍ଧ ବିମାନଗୁଡ଼ିକ ଏଲ୍‌ଓସି ଅତିକ୍ରମ କରି ଆକ୍ରମଣ ପାଇଁ ତୟାର ହୋଇଯାଇଥିଲା। ମାତ୍ର ୨୦ ମିନିଟ୍‌ର‌ ବୋମାମାଡ଼ରେ ୩୫୦ ଆତଙ୍କବାଦୀ ନିପାତ ହୋଇଥିଲେ। ବାୟୁସେନା ବାଲାକୋଟ୍‌ କ୍ୟାମ୍ପ୍‌ ଉପରେ ଆକ୍ରମଣକୁ ସର୍ବାଧିକ ଗୁରୁତ୍ବ ଦେଇଥିଲା ଏବଂ ଏଠାରେ ୬ଟି ବୋମା ନିକ୍ଷେପ କରାଯାଇଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବାଲାକୋଟରେ ୩ଟା ୪୫ରୁ ବୋମାମାଡ଼ ଆରମ୍ଭ ହୋଇଥିଲା ଏବଂ ଏହା ୩ଟା ୫୩ ପର୍ଯ୍ୟନ୍ତ ଚାଲିଥିଲା। ମୁଜାଫରାବାଦରୁ ବାଲାକୋଟର ଦୂରତା ହେଉଛି ୨୪ କିମି। ମୁଜାଫରାବାଦରେ ୩ଟା ୪୮ରୁ ୩ଟା ୫୫ ଭିତରେ ଆକ୍ରମଣ ହୋଇଥିଲା। ଏହାପରେ ଚକୋଟିରେ ୩ଟା ୫୮ରୁ ୪ଟା ୪ ପର୍ଯ୍ୟନ୍ତ ଆକ୍ରମଣ ଚାଲିଥିଲା। ସମସ୍ତ ଲଢ଼ୁଆ ବିମାନ ସୁରକ୍ଷିତ ଭାବେ ଫେରି ଆସିଥିଲେ।

ସମ୍ବନ୍ଧିତ ଖବର