ୱାସିଂଟନ: ପାକିସ୍ତାନର ଏଫ-୧୬ ବିମାନକୁ ଭାରତ ଖସାଇ ନାହିଁ। ପାକିସ୍ତାନକୁ ଆମେରିକା ଯେେତ ଏଫ-୧୬ ଦେଇଥିଲା ସେହିସବୁ ସୁରକ୍ଷିତ ଅଛି। ଗତକାଲି ଆମେରିକାର ଏକ ନିର୍ଦିଷ୍ଟ ଗଣମାଧ୍ୟମରେ ଏହି ରିପୋର୍ଟ ପ୍ରକାଶ ପାଇବା ପରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ଆମେରିକା ପ୍ରତିରକ୍ଷା ବିଭାଗ ପେଣ୍ଟାଗନ ପକ୍ଷରୁ ଆଜି ଏସଂପର୍କରେ ସଫେଇ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ ଆମେରିକା ପକ୍ଷରୁ ଏନେଇ କୌଣସି ରିପୋର୍ଟ ଦିଆଯାଇ ନାହିଁ। ଏସଂପର୍କରେ ଗଣମାଧ୍ୟମରେ ଯେଉଁ ରିପୋର୍ଟ ପ୍ରକାଶ ପାଇଛି ତାହା ସହ ପ୍ରଶାସନର କୌଣସି ସଂପର୍କ ନାହିଁ।
ସୂଚନାଯୋଗ୍ୟ ଆମେରିକାର ‘ଫରେନ ପଲିସି’ ମାଗାଜିନ୍ କିଛି ଅଜଣା ନିରାପତ୍ତା ଅଧିକାରୀଙ୍କ ମତାମତକୁ ଉଦ୍ଧାର କରି ଭାରତ ଆକ୍ରମଣରେ ପାକିସ୍ତାନର କୌଣସି ଏଫ-୧୬ ବିମାନ ଧ୍ବଂସ ହୋଇନଥିଲା ବୋଲି ପ୍ରକାଶ କରି ବିବାଦକୁ ବଢ଼ାଇଦେଇଥିଲା। ଆମେରିକା ନିରାପତ୍ତା ବିଭାଗର ଜଣେ ପ୍ରବକ୍ତା ‘ଏଭଳି ନିରୀକ୍ଷଣ ବିଷୟରେ ଆମେ କିଛି ଜାଣିନାହୁଁ’ ବୋଲି କହିଛନ୍ତି ା ଅନ୍ୟପକ୍ଷରେ ଆମେରିକା ଏଭଳି ବିବାଦୀୟ ମାମଲାରୁ ମଧ୍ୟ ଦୂରେଇ ରହିବାକୁ ଚେଷ୍ଟା କରିଛି I ଆମେରିକା ତରଫରୁ କୁହାଯାଇଛି ଯେ ଜାନୁଆରୀ ୨୦୧୮ ପରେ ଆମେରିକା ପାକିସ୍ତାନକୁ ନିରାପତ୍ତା ସହାୟତା ଦେବା ବନ୍ଦ କରିଦେଇଥିଲା। ଆମେରିକା ପକ୍ଷରୁ ଏହା ମଧ୍ୟ କୁହାଯାଇଛି ଯେ ଆମେରିକା ଭାରତ ପକ୍ଷରେ ରହିଛି। ଭାରତୀୟ ବାୟୁସେନା ପାକିସ୍ତାନର ଏଫ-୧୬ ବିମାନ ଧ୍ବଂସ କରିଥିବା ନେଇ ଯେଉଁ ‘ଇଲେକ୍ଟ୍ରୋନିକ୍ ସିଗ୍ନେଚର୍’ ବା ପ୍ରମାଣ ଦେଇଥିଲା ତାହା ଆମେରିକା ଗ୍ରହଣ କରିଥିବା ସ୍ପଷ୍ଟ କରାଯାଇଛି। ପୁଲୱାମାରେ ଆତଙ୍କବାଦୀ ଆକ୍ରମଣ ପରେ ବାଲାକୋଟରେ ଭାରତ କ୍ଷେପଣାସ୍ତ୍ର ମାଡ଼ କରିଥଥିଲା। ଏହାର ଗୋଟିଏ ଦିନ ପରେ ଅର୍ଥାତ ଫେବୃଆରୀ ୨୭ରେ ପାକିସ୍ତାନର ଏକ ଏଫ୍-୧୬ ବିମାନ ଭାରତୀୟ ସୀମାରେ ପଶି ଆସିଥିବା ବେଳେ ଭାରତୀୟ ମିଗ ବିମାନ ଏହାକୁ ଧ୍ବଂସ କରିଦେଇଥିବା ଦାବି କରିଥିଲା ଭାରତୀୟ ବାୟୁସେନା ା ୱିଙ୍ଗ୍ କମାଣ୍ଡର୍ ଅଭିନନ୍ଦନ ଉଡାଉଥିବା ମିଗ୍-୨୧ବିସନ୍ ବିମାନ ପାକିସ୍ତାନର ଏକ ଏଫ୍-୧୬କୁ ଖସାଇଦେଇଥିଲା। ପ୍ରମାଣ ସ୍ୱରୂପ ଧ୍ବଂସ ହୋଇଥିବା ଏଫ୍-୧୬ ବିମାନର ଧ୍ୱଂସାବଶେଷ ଓ ଆକାଶରୁ ଆକାଶରେ ଲକ୍ଷଭେଦ କରୁଥିବା ଏଏମ୍ଆର୍ଏଏଏମ୍ କ୍ଷେପଣାସ୍ତ୍ରର ଧ୍ବଂସଖଣ୍ଡକୁ ଦେଖାଇଥିଲେ ବାୟୁସେନା ଅଧିକାରୀ ା