ଡ୍ରୋନ୍ ଦ୍ବାରା ପଂଜାବରେ ଅସ୍ତ୍ରବୃଷ୍ଟି କରୁଛି ପାକିସ୍ତାନ, ଶାହଙ୍କ ସହାୟତା ଲୋଡ଼ିଲେ ଅମରିନ୍ଦର

ସାମରିକ ଡ୍ରୋନ୍‌ ପଶିବା ମାତ୍ରେ ଖସାଇ ଦିଆଯିବ: ସେନା

ଚଣ୍ଡିଗଡ଼ : ପାକିସ୍ତାନ ଭାରତରେ ହିଂସା ସୃଷ୍ଟି କରିବା ପାଇଁ ଅନବରତ ଷଡଡ଼ନ୍ତ୍ର ଜାରି ରଖିଛି। ଭାରତର କେତେକ ପ୍ରମୁଖ ସହରକୁ ଟାର୍ଗେଟ୍‌ କରିବାପାଇଁ ପାକିସ୍ତାନ ବିଭିନ୍ନ ଆତଙ୍କବାଦୀ ଗୋଷ୍ଠୀକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେଉଛି। ଏବେ ଜଣାପଡ଼ିଛି ଯେ ଆତଙ୍କବାଦୀଙ୍କ ପାଖକୁ ଅସ୍ତ୍ର ପଠାଇବାପାଇଁ ପାକିସ୍ତାନର ଆତଙ୍କବାଦୀ ଗୋ‌ଷ୍ଠୀ ଚୀନ୍‌ ନିର୍ମିତ ଡ୍ରୋନ୍‌ ବ୍ୟବହାର କରୁଛନ୍ତି। । ପାକିସ୍ତାନର ଖଲିସ୍ତାନୀ ଆତଙ୍କବାଦୀ ଗୋଷ୍ଠୀ ଦ୍ବାରା ଚଳିତ ମାସ ୯ରୁ ୧୬ ମଧ୍ୟରେ ପଂଜାବକୁ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ପଠାଯାଇଛି। ପ୍ରାୟ ୮ଟି ଡ୍ରୋନ୍‌ ଦ୍ବାରା ୮୦ କେଜି ଅସ୍ତ୍ରଶସ୍ତ୍ର ପଂଜାବ ପହଞ୍ଚିଥିବା ଜଣାପଡ଼ିଛି।

ଗତ ରବିବାର ଦିନ ପଂଜାବ ପୁଲିସ ତରନ ଜିଲ୍ଲା ଅଧିନସ୍ଥ ଖର୍ଲା ନିକଟସ୍ଥ ରା‌ଜକୋଟ୍‌ ଗ୍ରାମରୁ ପାକିସ୍ତାନୀ ଡ୍ରୋନ୍‌ ଦ୍ବାରା ପକାଯାଇଥିବା ୫ଟି ଏକେ-୪୭ ବନ୍ଧୁକ, ପିସ୍ତଲ, ସାଟେଲାଇଟ୍‌ ଫୋନ୍‌ ଏବଂ ଗ୍ରେନେଡ୍‌ ଜବତ କରିଥିଲା। ଏନେଇ ତଦନ୍ତ ହେବାପରେ ପୁଲିସ କହିଛି ଯେ, ଏହି ଡ୍ରୋନ୍‌ଗୁଡ଼ିକରେ ଜିପିଏସ୍‌ ସଂଯୋଗ ହୋଇଛି ଏବଂ କେଉଁ ସ୍ଥାନରେ ଅସ୍ତ୍ର ପକାଯିବ ସେ ନେଇ ଆତଙ୍କବାଦୀଙ୍କୁ ପୂର୍ବରୁ ସୂଚନା ମିଳୁଛି। ‌ ଏହି ପ୍ରସଙ୍ଗରେ ପଂଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ‌‌ଯୋଗ ଲୋଡ଼ିଛନ୍ତି। ଡ୍ରୋନ୍‌ ସମସ୍ୟାର ତତ୍କାଳ ସମାଧାନ ପାଇଁ ଅମରିନ୍ଦର କେନ୍ଦ୍ର ସରକାରଙ୍କ ସହଯୋଗ ଲୋଡ଼ିଛନ୍ତି। ଆଗୁଆ ସମସ୍ୟାର ମୁକାବିଲା ପାଇଁ ଭାରତୀୟ ବାୟୁ‌ ସେନା ଏବଂ ବିଏସଏଫ୍‌ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ଅମରିନ୍ଦର ନିବେଦନ କରିଛନ୍ତି। ସମ୍ପୃକ୍ତ ମାମଲାରେ ଏବେ ତଦନ୍ତ ଜାରି ରହିଛି ଏବଂ ୫ ଜଣଙ୍କୁ ପଂଜାବ ପୁଲିସ ଗିରଫ କରିଛି।

ଭାରତରେ ପାକିସ୍ତାନୀ ଡ୍ରୋନ୍‌ ଦ୍ବାରା ଅସ୍ତ୍ର ଚାଲାଣ ମାମଲା ସାମ୍ନାକୁ ଆସିବା ପରେ ସେନା ମଧ୍ୟ ଏହାକୁ ଗମ୍ଭୀରତାର ସହ ନେଇଛି । ଭାରତ ସୀମାରେ ପ୍ରବେଶ କରିବାମାତ୍ରେ ଯେ କୌଣସି ସାମରିକ ଡ୍ରୋନ୍‌କୁ ଗୁଳି କରି ଖସାଇ ଦିଆଯିବ ବୋଲି ଦକ୍ଷିଣ ପଶ୍ଚିମ କମାଣ୍ଡ ମୁଖ୍ୟ ଆଲୋକ ସିଂହ କ୍ଲେର୍‌ କହିଛନ୍ତି। ପାକିସ୍ତାନ ପଟୁ ଆସୁଥିବା ଡ୍ରୋନ୍‌ ଉପରେ ନଜର ରଖିବା ପାଇଁ କେତେକ ସ୍ବତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ପଂଜାବ ସୀମାରେ ସୁରକ୍ଷା କଡ଼ାକଡ଼ି ହେଉଛି।

ସମ୍ବନ୍ଧିତ ଖବର