ଇସଲାମାବାଦ: ଅନେକ ରିପୋର୍ଟରୁ ଜଣାପଡ଼ିଛି ଯେ ବଲୁଚ ଲିବରେସନ୍ ଆର୍ମି (ବିଏଲ୍ଏ) ପାକିସ୍ତାନର ଅଶାନ୍ତ ବଲୁଚିସ୍ତାନ ପ୍ରଦେଶର ପ୍ରାୟ ଏକ ତୃତୀୟାଂଶ ଅଞ୍ଚଳକୁ ନିଜ ନିୟନ୍ତ୍ରଣକୁ ନେଇଛି, ଯେଉଁଥିରେ ପ୍ରମୁଖ ସେନା ପୋଷ୍ଟ, ଆଫଗାନିସ୍ତାନ ଓ ଇରାନକୁ ଲାଗିଥିବା ସୀମାନ୍ତ ଅଞ୍ଚଳ ଅନ୍ତର୍ଭୁକ୍ତ। ଆହୁରି ମଧ୍ୟ ସୂଚନା ମିଳିଛି ଯେ ପାକିସ୍ତାନୀ ସେନା ଅନେକ ପୋଷ୍ଟ ତଥା ଅଞ୍ଚଳ ଛାଡ଼ି ପଳାଇଯାଇଛି। ପାକିସ୍ତାନର ଏକାଧିକ ସ୍ଥାନରେ ଜରୁରିକାଳୀନ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ବାସିନ୍ଦାଙ୍କୁ ଘର ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ବିଏଲ୍ଏର ଅଞ୍ଚଳ ଦଖଲ ନେଇ ଇସଲାମାବାଦ ପକ୍ଷରୁ କୌଣସି ଆନୁଷ୍ଠାନିକ ସୂଚନା ମିଳିନାହିଁ।
ବିଏଲ୍ଏ ପକ୍ଷରୁ ଜାରି ବିବୃତି ଅନୁଯାୟୀ, ଏହି ସଙ୍ଗଠନ ମାସ୍ତୁଙ୍ଗ ଓ ଲାକ୍କି ଅଞ୍ଚଳରେ ପାକିସ୍ତାନୀ ସେନାକୁ ଟାର୍ଗେଟ୍ କରି ୬ଟି ସମନ୍ୱିତ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ସାମରିକ ଗୁଇନ୍ଦା ୟୁନିଟ୍ ଓ ଯୋଗାଯୋଗ ଟାୱାରକୁ ରିମୋଟ୍ ନିୟନ୍ତ୍ରିତ ଆଇଇଡି ଓ ଅନ୍ୟାନ୍ୟ ବିସ୍ଫୋରକ ଦ୍ବାରା ଟାର୍ଗେଟ କରାଯାଇଥିଲା। ବିଏଲ୍ଏ କହିଛି ଯେ ଗୁରୁବାର ଭୋର ପ୍ରାୟ ୪ଟା ବେଳେ ଏହାର କର୍ମକର୍ତ୍ତାମାନେ ଜାମରାନର ଧଙ୍ଗ ଅଞ୍ଚଳରେ ପାକିସ୍ତାନୀ ସେନାର ବୋମା ନିଷ୍କ୍ରିୟକାରୀ ସ୍କ୍ୱାଡ୍ (ବିଡିଏସ୍)ର ସଦସ୍ୟଙ୍କ ଉପରେ ଆକ୍ରମଣ କରିଥିଲେ। ଘଟଣାସ୍ଥଳରେ ଜଣେ ସାମରିକ ଅଧିକାରୀଙ୍କ ମୃତ୍ୟୁ ଘଟିଥିବା ବେଳେ ଏହି ସଙ୍ଗଠନ ପାକିସ୍ତାନର ବିଭିନ୍ନ ସ୍ଥାନରେ ଗ୍ରେନେଡ୍ ଆକ୍ରମଣ କରିଛି। ସୂଚନା ଅନୁଯାୟୀ, କ୍ୱେଟାରେ ଥିବା ଫ୍ରଣ୍ଟିୟର କର୍ପସ ମୁଖ୍ୟାଳୟ ନିକଟରେ ଗୁଳି ବିନିମୟ ଓ ବିସ୍ଫୋରଣ ଶବ୍ଦ ଶୁଣିବାକୁ ମିଳିଥିଲା ଏବଂ ସଶସ୍ତ୍ର ଆକ୍ରମଣକାରୀମାନେ କମ୍ବାରାନି ରୋଡ୍ରେ ଥିବା ସଫର ଖାନ୍ ଚେକ୍ପୋଷ୍ଟକୁ ଟାର୍ଗେଟ କରିଥିଲେ। ଆକ୍ରମଣକାରୀଙ୍କ ପରିଚୟ ମିଳିପାରିନାହିଁ। ବର୍ତ୍ତମାନ ସୁଦ୍ଧା ପାକିସ୍ତାନ ସରକାର ବିଏଲ୍ଏର ଦାବିକୁ ନିଶ୍ଚିତ କରିନାହିଁ କିମ୍ବା ଅସ୍ୱୀକାର କରିନାହିଁ।
୨୦ ପାକ୍ ସୈନିକଙ୍କୁ ହତ୍ୟାକଲା ତେହରିକ୍-ଏ-ତାଲିବାନ
ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଉତ୍ତେଜନା ଲାଗି ରହିଥିବା ବେଳେ ପାକିସ୍ତାନକୁ ଚାରି ଆଡ଼ୁ ବିପଦ ମାଡ଼ି ଆସିଛି। ଗତକାଲି ବଲୁଚିସ୍ତାନ ମୁକ୍ତି ସେନା ପାକିସ୍ତାନ ସେନା ବିରୋଧରେ ବିଦ୍ରୋହ କରି ସେମାନଙ୍କୁ ତଡ଼ିବା ସହ କ୍ବେଟା ଦଖଲ କରିଥିଲା। ଶୁକ୍ରବାର ତେହରିକ୍-ଏ-ତାଲିବାନ ପାକିସ୍ତାନ (ଟିଟିପି) ପକ୍ଷରୁ ଦକ୍ଷିଣ ୱଜିରିସ୍ତାନରେ ୨୦ ଜଣ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରାଯାଇଛି। ଗୁରୁବାର ରାତି କିମ୍ବା ଶୁକ୍ରବାର ପାହାନ୍ତିଆ ପ୍ରହରରେ ଏହି ଘଟଣା ଘଟିଥିବା କୁହାଯାଉଛି। ଟିଟିପି ପକ୍ଷରୁ ଲେଜର ରାଇଫଲ୍ ଜରିଆରେ ଆକ୍ରମଣ କରାଯିବାରୁ ପ୍ରଥମ ପର୍ଯ୍ୟାୟରେ ୬ ଜଣ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିଲା। ଏକ ସେନା ଗାଡ଼ିମାଳାକୁ ଆମ୍ବୁସ କରି ଆକ୍ରମଣ କରାଯାଇଥିଲା, ଯେଉଁଥିରେ ଦୁଇଟି ସେନା ଗାଡ଼ି ନଷ୍ଟ ହୋଇଥିଲା। ଟିଟିପିର ଦାବି ମୁତାବକ ୨୦ ପାକିସ୍ତାନୀ ଯବାନଙ୍କୁ ହତ୍ୟା କରାଯାଇଛି। ଏହି ଆକ୍ରମଣରେ ପାଞ୍ଚ ଜଣ ଆହତ ହୋଇଛନ୍ତି। ଏଥିସହିତ ସେମାନେ ପାଞ୍ଚଟି ରାଇଫଲ, ଗୋଟିଏ ରକେଟ୍ ଲଞ୍ଚର, ନାଇଟ୍ ଭିଜନ ଗିୟର ଓ ଅନ୍ୟାନ୍ୟ ସେନା ଉପକରଣ ମଧ୍ୟ ନେଇ ଯାଇଛନ୍ତି।
ମୁକ୍ତି ପତାକା ଉଡ଼ାଇଲେ ବଲୁଚ ବିଦ୍ରୋହୀ
କ୍ବେଟା: ଭାରତ-ପାକ୍ ସଂଘର୍ଷ ଭିତରେ ବଲୁଚ ବିଦ୍ରୋହୀମାନେ ପାକିସ୍ତାନ ସେନା ଉପରେ ଆକ୍ରମଣ ତୀବ୍ର କରିଛନ୍ତି। ବିଦ୍ରୋହୀଙ୍କ ଆକ୍ରମଣ ପାକିସ୍ତାନକୁ ଦୋହଲାଇ ଦେଇଥିବା ବେଳେ ଆଜି ବଲୁଚିସ୍ତାନର ବିଭିନ୍ନ ସ୍ଥାନରେ ପାକିସ୍ତାନୀ ପତାକା ବଦଳରେ ବଲୁଚିସ୍ତାନର ନିଜସ୍ବ ମୁକ୍ତି ପତାକା ଲଗାଯାଇଛି। ବଲୁଚିସ୍ତାନ ଏବେ ଏକ ସ୍ୱାଧୀନ ଦେଶ ଭାବରେ ସ୍ୱୀକୃତି ପାଇବାକୁ ନିର୍ଣ୍ଣାୟକ ଲଢ଼େଇରେ ଅବତୀର୍ଣ୍ଣ ହୋଇଛି।