ଇସଲାମାବାଦ/ଅମୃତସର: ସିଆଲକୋଟ ସେକ୍ଟର ନିକଟ ନିୟନ୍ତ୍ରଣ ରେଖା(ଏଲ୍‌ଓସି)  ଅଞ୍ଚଳରେ ପାକିସ୍ତାନ ସେନାର ଅସାଧାରଣ ଗତିବିଧି ଚିହ୍ନଟ ହେବାପରେ  ସୀମାରେ ଉତ୍ତେଜନା ବୃଦ୍ଧି ପାଇଛି। ପାକ୍‌ ସେନାର ସଶସ୍ତ୍ର ୟୁନିଟ୍‌, କନ୍‌ଭୟ ଏବଂ ଲଜିଷ୍ଟିକ୍‌ ଉପାଦାନଗୁଡ଼ିକ ଆଗୁଆ ଅଞ୍ଚଳରେ ମୁତୟନ କରାଯାଇଛି।  ଏଭଳି ପଦକ୍ଷେପ ପୁଣି ଥରେ ଭାରତ-ପାକ୍‌ ଉତ୍ତେଜନାକୁ ଚରମରେ ପହଞ୍ଚାଇଛି।  ରଣନୈତିକ ଦୃଷ୍ଟିରୁ ଅତି ସମ୍ବେଦନଶୀଳ ଅଞ୍ଚଳ ଭାବେ ପରିସଚିତ ସିଆଲକୋଟ ବହୁ ବର୍ଷ ଧରି ଏକ ଐତିହାସିକ ବିବାଦର କେନ୍ଦ୍ରସ୍ଥଳ ପାଲଟିଛି।  ୧୯୬୫ ମସିହାର ଭାରତ-ପାକିସ୍ତାନ ଯୁଦ୍ଧ ସମୟରେ ଏଠାରେ ସବୁଠାରୁ ବଡ଼ ଟ୍ୟାଙ୍କ୍‌ ଯୁଦ୍ଧ ହୋଇଥିଲା। ସେହି ଯୁଦ୍ଧରେ ଭାରତୀୟ ସେଞ୍ଚୁରିଅନ୍ ଟ୍ୟାଙ୍କଗୁଡ଼ିକ ପାକିସ୍ତାନର ଏମ୍‌-୪୮କୁ ପ୍ରବଳ କ୍ଷତି ପହଞ୍ଚାଇଥିଲା।  ପାକିସ୍ତାନ ସମ୍ପ୍ରତି ଏହି ଅଞ୍ଚଳକୁ ହାଇଦର, ଅଲ୍-ଖାଲିଦ୍ ଏବଂ ଅଲ୍-ଜରାର ଟ୍ୟାଙ୍କ ପଠାଇଛି ଏବଂ ଏଭଳି ପଦକ୍ଷେପର ମୁକାବିଲା ପାଇଁ ଭାରତୀୟ ମଧ୍ୟ ଯଥୋଚିତ ପଦେକ୍ଷେପ ଗ୍ରହଣ କରିଛି। ସମଗ୍ର ପଞ୍ଜାବ ସୀମା ହାଇଆଲର୍ଟରେ ଥିବା ବେଳେ ଜମ୍ମୁ-କାଶ୍ମୀରର ସମସ୍ତ ସେକ୍ଟରରେ  ମଧ୍ୟ ସୁରକ୍ଷା କଡ଼ାକଡ଼ି କରାଯାଇଛି।   

Advertisment

ଉଲ୍ଲେଖଯୋଗ୍ୟ,  ଭାରତ‌ ବିରୋଧରେ ଇସଲାମାବାଦର  ଆକ୍ରମଣାତ୍ମକ ବୟାନବାଜି ମଧ୍ୟରେ ଏହି ଟ୍ୟାଙ୍କ ମୁତୟନ କରାଯାଇଛି। ପାକିସ୍ତାନ  ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ୍ ଏକ  ଚେତାବନୀ ଜାରି କରି ଗତକାଲି କହିଥିଲେ ଯେ ଭାରତ ସହିତ ଯୁଦ୍ଧ  ନିଶ୍ଚିତ ଏବଂ ତାଙ୍କ ଦେଶ ଭବିଷ୍ୟତର ଯେକୌଣସି ସଶସ୍ତ୍ର ସଂଘର୍ଷରେ ବଡ଼ ସଫଳତା ହାସଲ କରିବ ।  ନିକଟରେ ଭାରତୀୟ ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ରାଜସ୍ଥାନର ଶ୍ରୀଗଙ୍ଗାନଗର ଜିଲ୍ଲାର ଅନୁପଗଡ଼ର ଆଗୁଆ ଅଞ୍ଚଳରେ ସୈନିକମାନଙ୍କୁ ସମ୍ବୋଧିତ କରି କହିଥିଲେ,  ଯଦି ପାକିସ୍ତାନ ରାଷ୍ଟ୍ର ପ୍ରାୟୋଜିତ ଆତଙ୍କବାଦ ଜାରି ରଖେ, ତା’ହେଲେ ଏହାର ଅସ୍ତିତ୍ବ ବିପଦରେ ପଡ଼ିଯିବ।