ଇସ୍ଲାମାବାଦ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ଵାଜ ସରିଫଙ୍କ ବିରୋଧରେ ଚାଲିଥିବା ବହୁଚର୍ଚ୍ଚିତ ଆଭେନ୍ଫିଲ୍ଡ ଦୁର୍ନୀତି ମାମଲାର ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ଇସ୍ଲାମାବାଦ କୋର୍ଟ ସରିଫଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଦେଇଛନ୍ତି। ସେହିଭଳି ଅନ୍ୟତମ ଅଭିଯୁକ୍ତ ସରିଫଙ୍କ ଝିଅ ମରିୟମ୍ଙ୍କୁ ମଧ୍ୟ କୋର୍ଟ ଦୋଷୀସାବ୍ୟସ୍ତ କରିବା ସହିତ ତାଙ୍କୁ ୭ ବର୍ଷ କାରାଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏହା ସହିତ ନଓ୍ଵାଜଙ୍କ ଦୁଇପୁଅଙ୍କୁ କୋର୍ଟ ପଳାତକ ଘୋଷିତ କରିଛନ୍ତି। ସରିଫଙ୍କ ଉପରେ ୧୦ ନିୟୁତ ପାଉଣ୍ଡ ଜରିମାନା ଲାଗୁ କରାଯାଇଛି। ସରିଫଙ୍କ ଜ୍ୱାଇଁ କ୍ୟାପ୍ଟେନ୍ ସଫ୍ଦରଙ୍କୁ ୧ ବର୍ଷ ଜେଲ ଦଣ୍ଡାଦେଶ ଦିଆଯାଇଥିବା ଜଣାଯାଇଛି।
ଲଣ୍ଡନରେ ରହୁଥିବା ସରିଫ ଓ ତାଙ୍କ ପରିବାର ବର୍ଗ ଜାମିନ ପାଇଁ କୋର୍ଟରେ ଆବେଦନ କରିଥିଲେ। ଶୁଣାଣିକୁ ବିଳମ୍ବ କରିବା ପାଇଁ ଗୁରୁବାର ସେ କୋର୍ଟଙ୍କୁ ଅନୁରୋଧ କରିଥିଲେ। ତାଙ୍କ ପତ୍ନୀ ବେଗମ୍ କୁଲ୍ସୁମ୍ ନଓ୍ଵାଜଙ୍କର ସ୍ୱାସ୍ଥ୍ୟାବସ୍ଥା ଅତ୍ୟନ୍ତ ଖରାପ ଥିବା ଏବଂ ସେ ଲଣ୍ଡନରେ ଚିକତ୍ସାଧୀନ ଥିବାରୁ ରାୟକୁ କିଛିଦିନ ଗଡ଼େଇ ଦେବାକୁ ସେ କହିଥିଲେ। କିନ୍ତୁ କୋର୍ଟ ସରିଫଙ୍କର କୌଣସି ଅନୁରୋଧକୁ ନ ଶୁଣି ଏହି ଆବେଦନକୁ ଖାରଜ କରିବା ସହିତ ଆଗୁଆ ରାୟ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଥିଲେ। ଆଜି ଅପରାହ୍ନ ୧୨.୩୦ରେ ରାୟ ପ୍ରକାଶ ପାଇଁ ନିଷ୍ପତ୍ତି ହୋଇଥିଲା।
ପାକିସ୍ତାନର ନ୍ୟାସ୍ନାଲ୍ ଆକାଉଣ୍ଟେବିଲିଟି ବ୍ୟୁରୋ (ଏନ୍ଏବି) ପକ୍ଷରୁ ସରିଫ ଓ ତାଙ୍କ ପରିବାର ବିରୋଧରେ ୩ଟି ଦୁର୍ନୀତି ମାମଲା ଦାଏର କରାଯାଇଥିଲା। ସମସ୍ତ ୩ଟିଯାକ ମାମଲାରେ ସରିଫଙ୍କ ପୁଅ ହୁସେନ୍ ଓ ହସନ୍ ଦୋଷୀ ସାବ୍ୟସ୍ତ ହୋଇଥିଲେ। ସେହିଭଳି ମରିୟମ୍ ଓ ତାଙ୍କ ସ୍ୱାମୀ ସଫ୍ଦର ଆଭେନ୍ଫିଲ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଅଭିଯୋଗ ଅନୁସାରେ, ୧୯୯୦ରେ ଲଣ୍ଡନରେ ଦାମୀ ଆପାର୍ଟମେଣ୍ଟ କିଣିଥିଲେ। କିନ୍ତୁ ସରକାରଙ୍କ ପକ୍ଷରୁ ଏ ନେଇ ଜାରି ହୋଇଥିବା ନୋଟିସ୍ର ଜବାବ ଦେଇପାରି ନ ଥିଲେ। ଅଘୋଷିତ ଆୟ ଦ୍ୱାରା ସେମାନେ ଏହି ସମ୍ପତ୍ତି କିଣିଥିଲେ ବୋଲି ସ୍ପଷ୍ଟ ଜଣାପଡ଼ିଥିଲା।