ଅର୍ଥନୀତି ଭୁଶୁଡ଼ିବ, ରାଷ୍ଟ୍ରଦୂତଙ୍କୁ ଗୁହାରି ଜଣାଇଲା

ନୂଆଦିଲ୍ଲୀ/ପ୍ୟାରିସ୍‌: ପୁଲ୍‌ୱାମାରେ ସିଆର୍‌ପିଏଫ୍‌ ଯବାନଙ୍କ ଉପରେ  ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଏବେ ପାକିସ୍ତାନ ବିରୋଧରେ ଜୋର୍‌ଦାର କୂଟନୈତିକ ଯୁଦ୍ଧ ଆରମ୍ଭ କରିଛି। ପାକିସ୍ତାନକୁ ବିଶ୍ବରେ ଏକଘରିଆ କରିବା ଏବଂ ଏହାର ଅର୍ଥନୀତିକୁ କଳାତାଲିକାଭୁକ୍ତ କରିବା ପାଇଁ ପ୍ରୟାସ ଜୋର୍‌ଦାର ହୋଇଥିବାରୁ ଏବେ ପାକିସ୍ତାନ ଆତଙ୍କିତ ହୋଇପଡ଼ିଛି। ବିଶ୍ବବ୍ୟାପୀ ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ଏବଂ ମନି ଲଣ୍ଡ୍ରିଂ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରହିଥିବା ସଂସ୍ଥା ଫାଇନାନ୍‌ସିଆଲ୍‌  ଏକ୍ସନ ଟାସ୍କ୍‌ ଫୋର୍ସ (ଏଫ୍‌ଏଟିଏଫ୍‌) କୁ ଭାରତ ପାକିସ୍ତାନର ଆତଙ୍କବାଦୀ କାର୍ଯ୍ୟକଳାପ ନେଇ ଦସ୍ତାବିଜ ପ୍ରଦାନ କରିବ ବୋଲି ଗତକାଲି ଘୋଷଣା କରିବା ପରେ ଆଜି ପାକିସ୍ତାନ ଇସ୍‌ଲାମାବାଦରେ ଅବସ୍ଥାପିତ ବିଭିନ୍ନ ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କୁ ଭେଟି ଗୁହାରି ଜଣାଇଛି। ପୁଲ୍‌ୱାମା ଆକ୍ରମଣରେ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ ଏ ମହମ୍ମଦ ସାମିଲ ଥିବାରୁ ଏବେ ଭାରତ ଏମ୍‌ଏଫ୍‌ଏନ୍‌ ମାନ୍ୟତା ପ୍ରତ୍ୟାହାର କରିନେଇଛି ଏବଂ ପାକିସ୍ତାନରୁ ଆସୁଥିବା ସାମଗ୍ରୀ ଉପରେ ସୀମାଶୁଳ୍କ ୨୦୦ ପ୍ରତିଶତ ବଢ଼ାଇ ଦିଆଯାଇଛି। ଆତଙ୍କବାଦୀ ସଂଗଠନଗୁଡ଼ିକ ଉପରେ  କୌଣସି ନିୟନ୍ତ୍ରଣ ନାହିଁ  ବୋଲି ପାକିସ୍ତାନ ସଫେଇ ଦେଉଥିବା ଜଣାପଡ଼ିଛି।

ପାକିସ୍ତାନକୁ ଏଫ୍‌ଏଟିଏଫ୍‌ କଳାତାଲିକାଭୁକ୍ତ କଲେ ବିଶ୍ବର ସମସ୍ତ ପ୍ରମୁଖ ରାଷ୍ଟ୍ର ପାକିସ୍ତାନ ବିରୋଧରେ ଆର୍ଥିକ କଟକଣା ଲାଗୁ କରିବାକୁ ବାଧ୍ୟହେବେ ଏବଂ ପାକିସ୍ତାନର ଅର୍ଥନୀତି ସଂପୂର୍ଣ୍ଣ ଭୁଶୁଡ଼ି ପଡ଼ିବ। ପାକିସ୍ତାନ ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୋଧରେ କଠୋର ପଦକ୍ଷେପ ଗ୍ରହଣ ନକଲେ  ଏହା ପସ୍ତାଇବ ବୋଲି ଆମେରିକାର ଚେତାବନୀ  ଦେଇଛି ଭାରତର ସମସ୍ତ ପଦକ୍ଷେପକୁ ସମର୍ଥନ କରିବ ବୋଲି ଘୋଷଣା କରିଛି।   ପାକିସ୍ତାନରେ  ଜୈସ  ଏବଂ ଲସ୍କର ଆତଙ୍କବାଦୀ ସଂଗଠନକୁ ଶକ୍ତିଶାଳୀ କରିବା ଦିଗରେ ପାକ୍‌ ସେନା ଏବଂ ଆଇଏସ୍‌ଆଇ ସବୁ ସହାୟତା ଦେଉଥିବାରୁ ଏବେ ଏହାର  ଦୋମୁହାଁ ନୀତି ଧରାପଡ଼ିଯାଉଛି।  ପାକିସ୍ତାନ ବିରୋଧରେ ବିଶ୍ବ ବ୍ୟାଙ୍କ, ଆଇଏମ୍‌ଏଫ୍‌, ଏଡିବି, ୟୁରୋପୀୟ ସଂଘ ଭଳି  ସଂସ୍ଥା କଠୋର ଆର୍ଥିକ କଟକଣା ଲଗାଇବାକୁ ଭାରତ  ଆଜି  ଦୃଢ଼ ଦାବି ଉପସ୍ଥାପନ କରିଛି।

ସମ୍ବନ୍ଧିତ ଖବର