ଶ୍ରୀନଗର: ଗୋଟିଏ ପଟେ ଜମ୍ମୁ-କଶ୍ମୀରର ସୁଞ୍ଜଓ୍ଵାନ୍ ସେନା କ୍ୟାମ୍ପ ଉପରେ ପାକ୍ ଆତଙ୍କବାଦୀଙ୍କ ଆକ୍ରମଣ ଜାରି ରହିଥିବା ବେଳେ ଅନ୍ୟ ପଟେ ନିୟନ୍ତ୍ରଣ ରେଖା ଅଂଚଳରେ ପାକ୍ ଗୁଳିବର୍ଷା ଚାଲିଛି । ଗତକାଲିଠାରୁ ଏଲ୍ଓସି ନିକଟସ୍ଥ ରାଜୌରୀ ଜିଲ୍ଲାରେ ପାକିସ୍ତାନ ଗୁଳିବର୍ଷା ଜାରି ରଖିଛି। ଜିଲ୍ଲାର ନାଇକା,ପଞ୍ଜଗ୍ରେନ୍, ଖୋରିନାର ଆଦି ଅଂଚଳରେ ଆଗୁଆ ପୋଷ୍ଟ ଗୁଡ଼ିକୁ ଟାର୍ଗେଟ କରି ପାକିସ୍ତାନୀ ରେଞ୍ଜର୍ସ ଗୁଳି ଓ ମୋର୍ଟାର ମାଡ଼ କରୁଛନ୍ତି। ଗତ ରାତିରେ ପୁଞ୍ଚ ସେକ୍ଟରର ପ୍ରବୀଣ ଅକ୍ତର ନାମକ ଜଣେ ଯୁବକ ମୋର୍ଟାର ମାଡ଼ରେ ଗୁରତର ଆହତ ହୋଇ ପ୍ରାଣ ହରାଇଥିବା ଜାଣିବାକୁ ମିଳିଛି। ଏହାସହିତ ସୀମାବର୍ତ୍ତୀ ଗ୍ରାମ ଗୁଡ଼ିକରେ ମଧ୍ୟ ଆଉ ୩ ଜଣ ଆହତ ହୋଇଥିବା ସେନା ପକ୍ଷରୁ କୁହାଯାଇଛି। ଦୁଇଦିନ ପୂର୍ବେ ପୁଞ୍ଚ ସେକ୍ଟରରେ ପାକିସ୍ତାନ ଗୁଳିମାଡ଼ରେ ଜଣେ ୪୫ବର୍ଷିୟା ମହିଳାଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ଆଜିକୁ ମିଶାଇ ଚଳିତବର୍ଷ ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରେ ୧୧ ଜଣ ଯବାନଙ୍କ ସମେତ ମୃତ୍ୟୁସଂଖ୍ୟା ୨୩ ଛୁଇଁଥିବା ବେଳେ ଆହତଙ୍କ ସଂଖ୍ୟା ୮୦ରେ ପହଞ୍ଚିଛି।
ଆମେରିକାର ଯୁଦ୍ଧାସ୍ତ୍ରକୁ ଭାରତ ବିରୋଧରେ ବ୍ୟବହାର କରୁଛି ପାକିସ୍ତାନ
ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ଦମନ ପାଇଁ ଆମେରିକା ଦେଇଥିବା ଯୁଦ୍ଧାସ୍ତ୍ରକୁ ଭାରତ ବିରୋଧରେ ପାକିସ୍ତାନ ବ୍ୟବହାର କରୁଛି। ଏହି ମାମଲା ନେଇ ଆଜି ଭାରତ ସରକାର ଆମେରିକା ସହ ଆଲୋଚନା କରିଛନ୍ତି। ନିକଟରେ ପାକିସ୍ତାନ ସୀମାରେ ଥିବା ଭାରତୀୟ ବଙ୍କରଗୁଡ଼ିକୁ ଧ୍ୱଂସ କରିବା ସହ ସୀମା ନିକଟବର୍ତ୍ତୀ ଗ୍ରାମ ଗୁଡ଼ିକରେ ଆକ୍ରମଣ ପାଇଁ କ୍ଷୁଦ୍ର କ୍ଷେପଣାସ୍ତ୍ର ଟାଓ-୨ଏ ବ୍ୟବହାର କରିଛି। ଉଲ୍ଲେଖଯୋଗ୍ୟ, ପାକିସ୍ତାନ ବ୍ୟବହାର କରିଥିବା ଏହି କ୍ଷୁଦ୍ର କ୍ଷେପଣାସ୍ତ୍ର ଆତଙ୍କବାଦୀଙ୍କ ଦମନ ପାଇଁ ପ୍ରଦାନ କରାଯାଇଥିଲା। ପାକିସ୍ତାନର ଆକ୍ରମଣ ପରେ ଏହି ବ୍ୟବହୃତ ମିସାଇଲ୍ ଗୁଡ଼ିକୁ ସଂଗ୍ରହ କରାଯାଇ ପ୍ରମାଣ ରୂପେ ନୂଆଦିଲ୍ଲୀ ପଠାଯାଇଥିଲା। ସୂଚନାଥାଉକି,୨୦୧୫ ମସିହାରେ ଭାରତ ସହ ଆମେରିକା ଏହାର ପ୍ରତିରକ୍ଷା ସହଯୋଗ ଚୁକ୍ତିକୁ ଆଉ ୧୦ ବର୍ଷ ପାଇଁ ସମ୍ପ୍ରସାରିତ କରିଛି। କିନ୍ତୁ ଆମେରିକା ପ୍ରଦତ୍ତ ଅସ୍ତ୍ରରେ ଭାରତ କ୍ଷତି ସହୁଥିବାରୁ ଏନେଇ ଆମେରିକା ସରକାରଙ୍କୁ ପ୍ରମାଣ ସହ ଅବଗତ କରାଯାଇଛି। ନିକଟରେ ଆମେରିକା ମଧ୍ୟ ପାକିସ୍ତାନ ଆତଙ୍କବାଦକୁ ପ୍ରଶୟ ଦେଉଥିବାରୁ ସମସ୍ତ ପ୍ରକାର ସହାୟତା ବନ୍ଦ କରିଦେଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/2018_2largeimg11_Sunday_2018_012809534.jpg)