ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ: ପାକିସ୍ତାନକୁ ବଡ଼ ଝଟ୍‌କା

ନୂଆଦିଲ୍ଲୀ: ଆତଙ୍କବାଦୀଙ୍କୁ ଆର୍ଥିକ ଓ ଅସ୍ତ୍ର ସହାୟତା ଯୋଗାଇଦେବା ପାକିସ୍ତାନ ପାଇଁ ଏବେ ମହଙ୍ଗା ସାବ୍ୟସ୍ତ ହୋଇଛି। ପ୍ୟାରିସ୍‌ରେ ଫାଇନାନ୍‌୍‌ସିଆଲ ଆକ୍‌ସନ ଟାସ୍କ ଫୋର୍ସ (ଏଫ୍‌୍‌ଏଟିଏଫ୍‌)ର ବୈଠକରେ ପାକିସ୍ତାନକୁ ସନ୍ଦିଗ୍ଧ ରାଷ୍ଟ୍ର ତାଲିକାରେ ଆଜି ସାମିଲ କରାଯାଇଛି। ଏହି ତାଲିକାରେ ସାମିଲ ରାଷ୍ଟ୍ରଗୁଡ଼ିକ ଉପରେ କଡ଼ା ନଜର ରଖାଯିବା ସହ ସଂପୃକ୍ତ ସରକାରଙ୍କ ଗତିବିଧି ଉପରେ ମଧ୍ୟ ନିୟମିତ ବ୍ୟବଧାନରେ ସମୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ଏଣିକି ପାକିସ୍ତାନ ପାଉଥିବା ଅନ୍ତର୍ଜାତୀୟ ସହାୟତା ଏବଂ ଋଣ ବ୍ୟବସ୍ଥା ମଧ୍ୟ କଡ଼ା ଯାଞ୍ଚର ସମ୍ମୁଖୀନ ହେବ। ପାକିସ୍ତାନ ବିରୋଧରେ ଆମେରିକା ଦ୍ୱାରା ଆଗତ ପ୍ରସ୍ତାବକୁ ଭାରତ, ବ୍ରିଟେନ ଏବଂ ଫ୍ରାନ୍‌୍‌ସ ଭଳି ରାଷ୍ଟ୍ରମାନେ ସମର୍ଥନ କରିଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ପାକିସ୍ତାନର ସ୍ଥାୟୀ ମିତ୍ର ବୋଲି କୁହାଯାଉଥିବା ଚୀନ୍‌ ମଧ୍ୟ ଏହି ମାମଲାରେ ପାକିସ୍ତାନକୁ ସମର୍ଥନ କରିନାହିଁ।

ଗତକାଲି ଚୀନ୍‌ ପାକିସ୍ତାନ ବିରୋଧରେ ଆମେରିକାର ପ୍ରସ୍ତାବକୁ ସମର୍ଥନ କରିବ ନାହିଁ ବୋଲି ଘୋଷଣା କରିଥିବା ବେଳେ ଆଜି ଆମେରିକା ଓ ଅନ୍ୟ ରାଷ୍ଟ୍ରଗୁଡ଼ିକର ପ୍ରବଳ ଚାପ ଆଗରେ ଚୀନ୍‌ ମୁଣ୍ଡ ନୁଆଁଇବଳକୁ ବାଧ୍ୟ ହୋଇଛି। ଅନ୍ତର୍ଜାତୀୟ ଆତଙ୍କବାଦ ବିରୋଧରେ ଲଢ଼େଇକୁ ସଫଳ କରିବା ପାଇଁ ଚୀନ୍‌ ଏଭଳି ପ୍ରସ୍ତାବୁକ ସମର୍ଥନ କରିବା ଜରୁରୀ ବୋଲି ବିଭିନ୍ନ ରାଷ୍ଟ୍ର ଚାପ ସୃଷ୍ଟି କରିଥିଲେ। ଫଳରେଏହି ପ୍ରସ୍ତାବ ବିରୋଧରେ ଚୀନ୍‌ ନିଜର ଅଭିଯୋଗ ପ୍ରତ୍ୟାହାର କରିନେବା ପରେ ପାକିସ୍ତାନ ଏବେ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେଉଥିବା ରାଷ୍ଟ୍ର ଭାବେ ବିବେଚିତ ହୋଇଛି। ଏଫ୍‌ଏଟିଏଫ୍‌ର ଏହି ପଦକ୍ଷେପ ପାକିସ୍ତାନ ପାଇଁ ଅନ୍ତର୍ଜାତୀୟସ୍ତରରେ ବିରାଟ ଧକ୍କା ହୋଇଥିବା ବେଳେ ଏହାକୁ ନେଇ ଦେଶ ଭିତରେ ମଧ୍ୟ ସରଗରମ ବାତାବରଣ ଦେଖିବାକୁ ମିଳିଛି। ପାକିସ୍ତାନ ସହିତ କାରବାର କରିବାକୁ ଚାହୁଥିବା ଅନ୍ତର୍ଜାତୀୟ କମ୍ପାନି, ବ୍ୟାଙ୍କ ଏବଂ ଋଣ ଦେଇଥିବା ସଂସ୍ଥାଗୁଡ଼ିକ ଏବେ ସେମାନଙ୍କ ନିଷ୍ପତ୍ତିରେ ପୁନର୍ବିଚାର କରିବେ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ପାକିସ୍ତାନରେ ବିଦେଶୀ ପୁଂଜି ନିବେଶ କମିବ ଏବଂ ପାକିସ୍ତାନ ନିଜ ଆର୍ଥିକ ସ୍ଥିତିକୁ ସୁଧାରିବାରେ ଘୋର ହଟହଟାର ସମ୍ମୁଖୀନ ହେବ ବୋଲି ଜଣାପଡ଼ିଛି। ମଂଗଳବାର ପାକିସ୍ତାନ ଦାବି କରିଥିଲା ଯେ ଏହି ମାମଲାରେ ପାକିସ୍ତାନକୁ ତିନି ମାସ ସମୟ ମିଳିବ। କିନ୍ତୁ ପାକିସ୍ତାନର ଏହି ଦାବି ଭୁଲ୍‌ ପ୍ରମାଣିତ ହେବା ସହ ଏଫ୍‌ଏଟିଏଫ୍‌ ବୈଠକରେ ପାକିସ୍ତାନକୁ ସନ୍ଦିଗ୍ଧ ରାଷ୍ଟ୍ର ତାଲିକାରେ ଆଜି ସାମିଲ କରାଯାଇଛି । ଗତ ମାସରେ ପାକିସ୍ତାନକୁ ଆମେରିକାଠାରୁ ମିଳିବାକୁ ଥିବା ବିପୁଳ ସାମରିକ ସହାୟତା ବନ୍ଦ କରାଯାଇଥିଲା।

ସମ୍ବନ୍ଧିତ ଖବର