ନୂଆଦିଲ୍ଲୀ: ଭାରତ ମର୍ସିଡିଜ୍ କାର୍ ହେଲେ ପାକିସ୍ତାନ ଅଳିଆ ଟ୍ରକ୍। ଆମେରିକା ଗସ୍ତରେ ଥିବା ପାକିସ୍ତାନର ସେନାମୁଖ୍ୟ ଅସୀମ ମୁନିର କଥା କଥାରେ ନିଜ ଦେଶକୁ ଏଭଳି କହି ସମାଲୋଚିତ କରିଛନ୍ତି। ପାକିସ୍ତାନର ସେନାମୁଖ୍ୟ ଫିଲ୍ଡ ମାର୍ଶଲ ଅସୀମ ମୁନିର ଅପରେସନ ସିନ୍ଦୂର ପରେ ଦ୍ୱିତୀୟ ଥର ପାଇଁ ଆମେରିକା ଗସ୍ତ କରିଛନ୍ତି। ଏହି ସମୟରେ ସେ ଭାରତକୁ ନେଇ ବିଷ ଉଗାଳିବା ବେଳେ ପୁଣି ଥରେ ନିଜ ଦେଶକୁ ନେଇ ସତ୍ୟ କହିଛନ୍ତି। 

Advertisment

ଭାରତକୁ ପରମାଣୁ ଅସ୍ତ୍ର ପ୍ରୟୋଗ ଧମକ ଦେଇ ମୁନିର କହିଥିଲେ, ଯଦି ପାକିସ୍ତାନ କୌଣସି ବଡ଼ ବିପଦର ସମ୍ମୁଖୀନ ହୁଏ, ତେବେ ତାଙ୍କ ଦେଶ ପରମାଣୁ ଯୁଦ୍ଧରେ ଅବତୀର୍ଣ୍ଣ ହେବ। ଆମେ ଏକ ପରମାଣୁ ରାଷ୍ଟ୍ର। ଯଦି ଆମେ ଅନୁଭବ କରିବୁ ଯେ ଆମେ ପରାଜୟର ସମ୍ମୁଖୀନ ହେବାକୁ ଯାଉଛୁ, ତା’ହେଲେ ଆମେ ଅଧା ଦୁନିଆକୁ ଆମ ସହିତ ଧ୍ବଂସ କରିଦେବୁ। ସିନ୍ଧୁ ନଦୀ ଜଳ ରୋକିବା ପାଇଁ ଯଦି ଭାରତ ଡ୍ୟାମ୍ ନିର୍ମାଣ କରିବ ତା’ହେଲେ ଆମେ ସେହି ଡ୍ୟାମ୍‌କୁ ଉଡ଼ାଇ ଦେବୁ। ଆମେ ନଦୀବନ୍ଧ ନିର୍ମାଣ କରିବା ପର୍ଯ୍ୟନ୍ତ ଅପେକ୍ଷା କରିବୁ ଏବଂ ଯେତେବେଳେ ଭାରତ ନିର୍ମାଣ କରିସାରିବ, ଆମେ ୧୦ଟି କ୍ଷେପଣାସ୍ତ୍ର ନିକ୍ଷେପ କରିବୁ। ସିନ୍ଧୁ ନଦୀ ଭାରତର ପାରିବାରିକ ସମ୍ପତ୍ତି ନୁହେଁ। ଆମ ପାଖରେ କ୍ଷେପଣାସ୍ତ୍ରର କୌଣସି ଅଭାବ ନାହିଁ।"

ପାକିସ୍ତାନ ଭାରତକୁ କିପରି କ୍ଷତି ପହଞ୍ଚାଇପାରେ ତାହା ବୁଝାଇବା ପାଇଁ ମୁନିର ଏକ ଉଦାହରଣ ଦେଇ କହିଥିଲେ, "ମୁଁ ପରିସ୍ଥିତି ବୁଝାଇବା ପାଇଁ ଏକ ସରଳ ଉଦାହରଣ ଦେବି। ଭାରତ ହେଉଛି ଏକ ଚକଚକିଆ ମର୍ସିଡିଜ୍ କାର୍ ଯାହା ହାଇୱେରେ ଫରାରୀ ପରି ଆସୁଛି। କିନ୍ତୁ ଆମେ ଅଳିଆ, ଇଟା ଏବଂ ପଥରରେ ପୂର୍ଣ୍ଣ ଏକ ଟ୍ରକ୍। ଯଦି ଏହି ଟ୍ରକ୍ ସେହି କାର ସହିତ ଧକ୍କା ହୁଏ, ତେବେ କାହାର କ୍ଷତି ହେବ? ଆମେ ଭାରତର ପୂର୍ବ ଦିଗରୁ ଆରମ୍ଭ କରିବୁ, ଯେଉଁଠାରେ ସେମାନେ ସେମାନଙ୍କର ସବୁଠାରୁ ମୂଲ୍ୟବାନ ସମ୍ପଦ ସ୍ଥାପନ କରିଛନ୍ତି ଏବଂ ତା'ପରେ ପଶ୍ଚିମ ଦିଗକୁ ଯିବୁ।"

ଉଲ୍ଲେଖଯୋଗ୍ୟ, ମୁନିର ଆମେରିକାର ସେଣ୍ଟ୍ରାଲ କମାଣ୍ଡ (ସେଣ୍ଟକମ୍)ର ବିଦାୟୀ କମାଣ୍ଡର ଜେନେରାଲ ମାଇକେଲ କୁରିଲାଙ୍କ ଅବସର ସମାରୋହରେ ଯୋଗ ଦେବା ପାଇଁ ଆମେରିକା ଗସ୍ତରେ ଅଛନ୍ତି। ଆମେରିକା ମାଟିରୁ କୌଣସି ତୃତୀୟ ଦେଶ ବିରୋଧରେ ତାଙ୍କର ପରମାଣୁ ଧମକ ମନ୍ତବ୍ୟ ପ୍ରଥମ ବୋଲି କୁହାଯାଉଛି।