ନିଜ ଲାଲକିଲ୍ଲା ଭାଷଣରେ ପାକିସ୍ତାନକୁ ଗୁରୁତ୍ୱ ଦେଲେନାହିଁ ମୋଦୀ

ନୂଆଦିଲ୍ଲୀ : ଗତ କାଲିଥିଲା ପାକିସ୍ତାନର ସ୍ୱାଧୀନତା ଦିବସ । ଏହି ଅବସରରେ ପାକ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଦେଇଥିବା ଭାଷଣରେ ବାରମ୍ବାର ଭାରତ ଓ କଶ୍ମୀରର ଉଲ୍ଲେଖ ଥିଲା । ବାରମ୍ବାର ସେ ଭାରତକୁ ଧମକ ଦେଇଚାଲିଥିଲେ । କିନ୍ତୁ ଆଜି ଭାରତର ସ୍ୱାଧୀନତା ଦିବସ ଅବସରରେ ଲାଲକିଲ୍ଲା ପ୍ରାଚୀରରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ଭାଷଣରେ ପାକିସ୍ତାନର ଆଦୌ ଉଲ୍ଲେଖ ନଥିଲା । କଶ୍ମୀରରୁ ଧାରା ୩୭୦ ଉଠିବା ବିରୋଧରେ ଇମ୍ରାନ ଖାଁ ବାରମ୍ବାର ଭାରତ ବିରୋଧରେ ବିଷୋଦଗାର କରିଚାଲିଛନ୍ତି ।

କିନ୍ତୁ ଆଜି ମୋଦୀ ନିଜର ପ୍ରାୟ ୯୨ ମିନିଟ ଅଭିଭାଷଣରେ ଆତଙ୍କବାଦ କଥା କହିଥିଲେ ମଧ୍ୟ ପାକିସ୍ତାନ କଥା ଆଦୌ ଉଚ୍ଚାରଣ କରିନଥିଲେ । ବିଶେଷଜ୍ଞମାନଙ୍କ ମତରେ କଶ୍ମୀରରୁ ଧାରା ୩୭୦ ଉଠାଇବା ଭାରତର ଅନ୍ତରୀଣ ମାମଲା ହୋଇଥିବାରୁ ତାହା ସହ ପାକିସ୍ତାନକୁ ଯୋଡିବା ପ୍ରଧାନମନ୍ତ୍ରୀଙ୍କ ପାଇଁ ଉଚିତ ହୋଇନଥାନ୍ତା । ସାରା ବିଶ୍ୱର ନଜର ମୋଦୀଙ୍କ ଭାଷଣ ଉପରେ ଥିବାରୁ ପାକିସ୍ତାନ କଥା କହିଥିଲେ ଅଯଥା ତାହା ଅନ୍ତର୍ଜାତୀୟ ସ୍ତରରେ ପ୍ରସଙ୍ଗ ହୋଇଥାନ୍ତା ।

ସମ୍ବନ୍ଧିତ ଖବର