ଇସଲାମାବାଦ/ନୂଆଦିଲ୍ଲୀ: ପାକିସ୍ତାନରେ ଲଗାଣ ବର୍ଷା ସହ ପ୍ରଳୟଙ୍କରୀ ବନ୍ୟାରେ ମୃତ୍ୟୁସଂଖ୍ୟା ସୋମବାର ପ୍ରାୟ ୧,୦୬୧ ଛୁଇଁଛି। ପାକିସ୍ତାନ ସରକାର ଏ ବିପର୍ଯ୍ୟୟର ମୁକାବିଲା କରିବାକୁ ବିଫଳ ହୋଇ ଜାତିସଂଘ ଓ ବିଶ୍ବ ସମୁଦାୟକୁ ଆର୍ଥିକ ସହାୟତା ମାଗିଛନ୍ତି। ବନ୍ୟା ଯୋଗୁ ପାକିସ୍ତାନର ପ୍ରାୟ ୩୩ ନିୟୁତ ବା ଏକସପ୍ତମାଂଶ ଲୋକଙ୍କୁ ବିସ୍ଥାପିତ ହେବାକୁ ପଡ଼ିଛି। ପାକିସ୍ତାନରେ ଦେଖାଦେଇଥିବା ପ୍ରାକୃତିକ ବିପର୍ଯ୍ୟୟଜନିତ କ୍ଷତି ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି। ପରିସ୍ଥିତି ଶୀଘ୍ର ସ୍ବାଭାବିକ ହେବା ନେଇ ସେ ଆଶାବ୍ୟକ୍ତ କରିଛନ୍ତି। ପାକିସ୍ତାନର ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶେରୀ ରେହମାନ ଏହାକୁ ଏ ଦଶନ୍ଧିର ‘ଦାନବୀ ମୌସୁମୀ’ ବୋଲି ଅଭିହିତ କରିଛନ୍ତି। ଅର୍ଥମନ୍ତ୍ରୀ ମିଫତାହ ଇସମାଇଲ କହିଛନ୍ତି ଯେ ଏହି ବନ୍ୟା ଯୋଗୁ ପାକିସ୍ତାନର ୧୦୦୦ କୋଟି ଡଲାରର କ୍ଷତି ହୋଇଛି। ସୋମବାର ସୁଦ୍ଧା ଏହି ବନ୍ୟାରେ ୧୦୬୧ ଜଣ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ୧୫୭୫ ଜଣ ଆହତ ହୋଇଛନ୍ତି, ୯୯୨୮୭୧ ଘର ଭାଙ୍ଗିଛି ଏବଂ ୭୧୯୫୫୮ ଗୋରୁଗାଈ ମୃତ୍ୟୁବରଣ କରିଛନ୍ତି ବୋଲି ବିପର୍ଯ୍ୟୟ ପରିଚାଳନା ବିଭାଗ ସୂତ୍ରରୁ ଜଣାପଡ଼ିଛି।