ପାକିସ୍ତାନ ବନ୍ୟାରେ ବଢିଚାଲିଛି ମୃତ୍ୟୁସଂଖ୍ୟା, କେବଳ ଶନିବାର ୫୭ ମୃତ

ଇସ୍ଲାମାବାଦ : ପାକିସ୍ତାନରେ ଦେଖାଦେଇଥିବା ବନ୍ୟା ବିଭୀଷିକା ଯୋଗୁଁ ମୃତ୍ୟୁସଂଖ୍ୟା ବଢି ବଢି ଚାଲିଛି । କେବଳ ଶନିବାରଦିନ ଆଉ ୫୭ ଜଣ ମୃତ୍ୟୁବରଣ କରିଛନ୍ତି । ସବୁଠାରୁ ଦୁଃଖଦ ବିଷୟ ହେଉଛି ଏହି ମୃତକଙ୍କ ମଧ୍ୟରେ ୨୫ ଜଣ ଶିଶୁ ଅଛନ୍ତି । ସିନ୍ଧ ପ୍ରଦେଶରେ ସୁକ୍କୁର ବ୍ୟାରେଜ ଦେଇ ବନ୍ୟା ଜଳ ପ୍ରବାହିତ ହେବା ଫଳରେ ଏହି ଲୋକମାନେ ମୃତ୍ୟୁବରଣ କରିଛନ୍ତି ।

ଏହି ବନ୍ୟାରେ ମୋଟ ମୃତ୍ୟୁସଂଖ୍ୟା ୧୨୬୫କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ରହିଛନ୍ତି ୪୪୧ ଜଣ ଶିଶୁ ।ଏହି ବନ୍ୟା ଦ୍ବାରା ପ୍ରାୟ ୩ କୋଟି ୩୦ ଲକ୍ଷ ଲୋକ  ପ୍ରଭାବିତ ହୋଇଛନ୍ତି ଏବଂ ବାସହୀନ ହୋଇପଡ଼ିଛନ୍ତି । ପ୍ରାୟ ୧୦ ଲକ୍ଷ ଘର ଭାଙ୍ଗିଯାଇଛି । ଏହି ବନ୍ୟା ଯୋଗୁଁ ପାକିସ୍ତାନ ଅର୍ଥନୀତି ପ୍ରାୟ ୧୦ ବିଲିୟନ ଡଲାରର କ୍ଷତି ସହିଥିବା ଆକଳନ କରାଯାଉଛି ।

ଇତି ମଧ୍ୟରେ ପାକିସ୍ତାନ ସରକାର ବନ୍ୟା ସହାୟତା ଓ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଛନ୍ତି । ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ସରିଫ ଶନିବାରଦିନ ଏକ ଉଚ୍ଚସ୍ତରୀୟ ବୈଠକରେ ସ୍ଥିତିର ସମୀକ୍ଷା କରିଛନ୍ତି ।

ଏହି ବନ୍ୟାରେ ଶିଶୁମାନଙ୍କ ମୃତ୍ୟୁସଂଖ୍ୟା ବଢିଚାଲିଥିବାରୁ ତାହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଚିନ୍ତା ପ୍ରକାଶ ପାଇଛି ।  ଏହି ବନ୍ୟାରେ ଶିଶୁଙ୍କ ମୃତ୍ୟୁସଂଖ୍ୟା ଆହୁରି ବଢିପାରେ ବୋଲି ୟୁନିସେଫ ଆଶଙ୍କା ପ୍ରକଟ କରିଛି ।

ପାକିସ୍ତାନ ଏବର୍ଷ ଜଳବାୟୁ ପରିବର୍ତ୍ତନର ପ୍ରଭାବର ସାମନା କରିଛି । ଏହି ବନ୍ୟା ପୂର୍ବରୁ ପାକିସ୍ତାନରେ ପ୍ରବଳ ଗ୍ରୀଷ୍ମପ୍ରବାହ ପଡ଼ିଥିଲା । ଏହା ଯୋଗୁଁ ହିମାଳୟର ଗ୍ଲାସିୟର ତରଳିବା ଯୋଗୁଁ ନଦୀରେ ବନ୍ୟା ଆସିଥିଲା । ପରେ ପ୍ରବଳ ବର୍ଷା ଯୋଗୁଁ ବି ନଦୀରେ ବନ୍ୟା ଆସିଥିଲା । ଏହା ଯୋଗୁଁ ବନ୍ୟା ପରିସ୍ଥିତି ସାଙ୍ଘାତିକ ହୋଇପଡ଼ିଛି ।

 

ସମ୍ବନ୍ଧିତ ଖବର