ପାକିସ୍ତାନ ବନ୍ୟା ସ୍ଥିତି ଅଣାୟତ୍ତ: ରିଲିଫ୍‌ କ୍ୟାମ୍ପ୍‌ରେ ୪୭ ହଜାର ଗର୍ଭବତୀ

ଝାଡ଼ାବାନ୍ତି ଓ ମ୍ୟାଲେରିଆରେ ୨ ଲକ୍ଷରୁ ଊର୍ଦ୍ଧ୍ବ ଆକ୍ରାନ୍ତ, ମୃତ୍ୟୁ ସଂଖ୍ୟା ୧୫ ଶହ ଟପିଲା

ଇସଲାମାବାଦ: ପାକିସ୍ତାନର ଭୟାନକ ବନ୍ୟାରେ ଦେଶର ଏକତୃତୀୟାଂଶ ଅଞ୍ଚଳ ଜଳମଗ୍ନ ରହିଥିବା ବେଳେ ଆଜି ମୃତ୍ୟୁ ସଂଖ୍ୟା ୧୫ ଶହ ଅତିକ୍ରମ କରିଛି। ୧୧୫ଟି ଜିଲ୍ଲାରୁ ୧୧୦ଟି ଜିଲ୍ଲାରେ ବନ୍ୟା ପ୍ରକୋପ ଲାଗି ରହିଛି ଏବଂ ୫ କୋଟିରୁ ଅଧିକ ଲୋକ ବିସ୍ତାପିତ ହୋଇଛନ୍ତି। ଜୁନ୍ ମଧ୍ୟଭାଗରୁ ଅଦ୍ୟାବଧି ପାକିସ୍ତାନରେ ସ୍ବାଭାବିକଠାରୁ ୧୦ ଗୁଣ ଅଧିକ ବର୍ଷା ଯୋଗୁଁ ନାହିଁନଥିବା କ୍ଷୟକ୍ଷତି ଘଟିଛି । ପ୍ରାୟ ୧୦ ଲକ୍ଷ ଲୋକ ବିଭିନ୍ନ ରିଲିଫ୍‌ କ୍ୟାମ୍ପରେ ରହିଥିବା ବେଳେ ସେମାନଙ୍କ ମଧ୍ୟରେ ୪୭ ହଜାର ଗର୍ଭବତୀ ମହିଳା ଅଛନ୍ତି। ଅନ୍ୟପକ୍ଷରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଝାଡ଼ାବାନ୍ତି ଓ ମ୍ୟାଲେରିଆ ଉଦ୍‌ବେଗଜନକ ଭାବେ ବୃଦ୍ଧି ପାଉଛି। ସପ୍ତାହକ ମଧ୍ୟରେ ୨ ଲକ୍ଷରୁ ଅଧିକ ଲୋକ ଏଥିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି। ଜାତିସଂଘ ସୂତ୍ରରୁ ଜଣାପଡ଼ିଛି ଯେ ପାକିସ୍ତାନର ବନ୍ୟା ପ୍ରଭାବିତ ଅଂଚଳରେ ପ୍ରାୟ ୬ ଲକ୍ଷ ୫୦ ହଜାର ଗର୍ଭବତୀ ମହିଳା ଅଛନ୍ତି। ଏହି ମହିଳାମାନଙ୍କୁ ମାତୃ ସ୍ବାସ୍ଥ୍ୟସେବା ଜରୁରୀ ଥିଲେ ମଧ୍ୟ ତାହା ଉପଲବ୍ଧ ହେଉନାହିଁ। ଡାଇରିଆ, ଚର୍ମ ସଂକ୍ରମଣ, ଶ୍ବାସନଳୀ ସଂକ୍ରମଣ, ମ୍ୟାଲେରିଆ ଓ ଡେଙ୍ଗୁ ଆଦି ରୋଗ ଅତି ଉଦ୍‌ବେଜନକ ଭାବେ ବ୍ୟାପୁଥିବାରୁ ଏ ଦିଗରେ ଅନ୍ତର୍ଜାତୀୟ ସହାୟତା ପାଇଁ ବିଭିନ୍ନ ମାନବାଧିକାର ସଂଗଠନ ନିବେଦନ କରିଛନ୍ତି।

ଝାଡ଼ାବାନ୍ତି ଓ ମ୍ୟାଲେରିଆରେ ୨ ଲକ୍ଷରୁ ଊର୍ଦ୍ଧ୍ବ ଆକ୍ରାନ୍ତ
ମୃତ୍ୟୁ ସଂଖ୍ୟା ୧୫ ଶହ ଟପିଲା
 ବନ୍ୟା ପାଇଁ ଲୋକେ ଚୀନ୍‌କୁ ଦାୟୀ କଲେ

ବନ୍ୟା ପ୍ରଭାବିତ ଖୈବର-ପଖ୍‌ତୁନଖ୍ବା, ଗିଲଗିଟ୍‌ ବାଲତିସ୍ତାନ, ପଂଜାବ, ବଲୁଚିସ୍ତାନ, ସିନ୍ଧ ଆଦି ଅଞ୍ଚଳରେ ଚୀନ୍‌ ନିର୍ମାଣ କରିଥିବା ବ୍ୟାପକ ଭିତ୍ତିଭୂମି ବରବାଦ ହୋଇଯାଇଛି ଏବଂ ଏହି ଅଂଚଳର ବାସିନ୍ଦାମାନେ ବନ୍ୟା ବିପର୍ଯ୍ୟୟ ପାଇଁ ଚୀନ୍‌କୁ ହିଁ ଦାୟୀ କରିଛନ୍ତି। ଚୀନ୍‌-ପାକିସ୍ତାନ ଆର୍ଥିକ କରିଡର ପାଇଁ ଅତି ବେପରୁଆ ଭାବେ ଭିତ୍ତିଭୂମି ପ୍ରସ୍ତୁତ ହୋଇଥିଲା ଏବଂ ପରିବେଶର ସୁରକ୍ଷା ପାଇଁ ସାମାନ୍ୟ ଧ୍ୟାନ ଦିଆଯାଇନଥିବା କୁହାଯାଇଛି। ବନ୍ୟା ଯୋଗୁଁ ଏହି ଅଞ୍ଚଳରେ ୮୦ ହଜାର କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି ଏବଂ ଚୀନ୍‌ର ବେପରୁଆ ନିର୍ମାଣ ହିଁ ବଡ଼ ବିପର୍ଯ୍ୟୟର କାରଣ ହୋଇଥିବାରୁ ଆଗକୁ ଚୀନ୍‌-ପାକ୍‌ ଆର୍ଥିକ କରିଡରର ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଚାଲିଯିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର