ନୂଆଦିଲ୍ଲୀ : ପାକିସ୍ତାନରେ ହୋଇଥିବା ଭୟଙ୍କର ବନ୍ୟାକୁ ନେଇ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହିତ ବନ୍ୟା ପୀଡ଼ିତଙ୍କ ପରିବାର ଲୋକଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି । ପାକିସ୍ତାନରେ ସ୍ଥିତି ସ୍ବାଭାବିକ ହେଉ ବୋଲି ସେ ଆଶା ପ୍ରକଟ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ଏହି ବନ୍ୟା ଯୋଗୁଁ ପାକିସ୍ତାନରେ ମୃତ୍ୟୁସଂଖ୍ୟା ୧୧୩୬କୁ ବୃଦ୍ଧି ପାଇଛି । ଏହି ବନ୍ୟାରେ ପ୍ରାୟ ୩ କୋଟି ୩୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ବାସହୀନ ହୋଇପଡ଼ିଛନ୍ତି । ପ୍ରାୟ ୧୦ ଲକ୍ଷ ଘର ଭାଙ୍ଗିଯାଇଛି ।
ଏହି ଭୟଙ୍କର ବିପତ୍ତିକୁ ଦୃଷ୍ଟିରେ ରଖି ପାକିସ୍ତାନ ସରକାର ସମଗ୍ର ଦେଶରେ ଜାତୀୟ ଜରୁରୀ ପରିସ୍ଥିତି ଲାଗୁ କରିଛନ୍ତି । ଏହାକୁ ପାକ ସରକାର ଜଳବାୟୁ ଜନିତ ମାନବୀୟ ସଂକଟ ବୋଲି ଘୋଷଣା କରିଛନ୍ତି । ସହାୟତା ପାଇଁ ପାକିସ୍ତାନ ସରକାରଙ୍କ ନିବେଦନ ପରେ ଅନ୍ତର୍ଜାତୀୟ ସହାୟତା ପହଞ୍ଚିବାରେ ଲାଗିଛି । ତୁର୍କୀ, ୟୁଏଇ ପ୍ରଭୃତି ଦେଶ ପାକିସ୍ତାନକୁ ସହାୟତା ପଠାଇଛନ୍ତି ।
ଅନ୍ୟପକ୍ଷରେ ବନ୍ୟା ଯୋଗୁଁ ପାକିସ୍ତାନରେ ଦରଦାମ ବୃଦ୍ଧି ପାଇଥିବାରୁ ଭାରତରୁ ଜରୁରୀ ସାମଗ୍ରୀ ଆମଦାନୀ କରିବାକୁ ପାକ ସରକାର ମଂଜୁରୀ ଦେଇଛନ୍ତି ।
ପାକିସ୍ତାନୀ ପ୍ରଧାନମନ୍ତ୍ରୀ ବନ୍ୟା ପ୍ରଭାବିତ ଅଂଚଳ ବୁଲି ଦେଖିବା ସହ ପୀଡ଼ିତମାନଙ୍କୁ ଭେଟିଛନ୍ତି । ଏହା ସହିତ ସେନାକୁ ଉଦ୍ଧାର କାମରେ ଲଗାଯାଇଛି ।