ଇସଲାମାବାଦ: କୁହାଯାଏ ଜଳ ହିଁ ଜୀବନ । କିନ୍ତୁ କେବେ କେବେ ସେହି ଜଳ ହିଁ ଜୀବନ ନେଇଯାଏ । କେଉଁଠି ଜଳ ପାଲଟେ ଜହର ତ ପୁଣି କେଉଁଠି ନିର୍ଦ୍ଦୟ ପାଲଟେ ନଈ ନାଳର ବର୍ଷା ଜଳ । ବନ୍ୟାର ବିତ୍ପାତ ତ ବିପତ୍ତି ନେଇଆସେ । ଠିକ୍ ସେମିତି କିଛି ଏବେ ଘଟୁଛି ଭାରତରେ, ପଡୋଶୀ ଦେଶରେ । ପ୍ରବଳ ବର୍ଷା ପରେ ବନ୍ୟା ପରିସ୍ଥିତିରେ ବେହାଲ ହୋଇଛି ପଡୋଶୀ ପାକିସ୍ତାନ । ଉତ୍ତର ପାକିସ୍ତାନରେ ବନ୍ୟାର ତାଣ୍ଡବରେ ହାହାକାର ଖେଳିଯାଇଛି । କ୍ଷୟକ୍ଷତି ଯେତିକି ହୋଇଛି ମୃତ୍ୟୁ ସଂଖ୍ୟା ବି ସେତିକି ବଢୁଛି । ଅଗଷ୍ଟ ୧୫ ଠାରୁ ପାକିସ୍ତାନରେ ଲଗାଣ ବର୍ଷା କାଳ ସାଜିଛି । ବାଦଲ ଫଟା ବର୍ଷା କାରଣରୁ ପାକିସ୍ତାନରେ ବି ଧରାଲି ପରି ପରିସ୍ଥିତି ଉପୁଜିଛି ।
ତେବେ ବନ୍ୟାରେ ସବୁଠୁ ଅଧିକ ଖାଇବର ପଖତୁନଖ୍ବା ପ୍ରଭାବିତ ହୋଇଥିବା ବେଳେ ଇତିମଧ୍ଯରେ ବନ୍ୟା ଜନିତ ମୃତ୍ୟୁ ସଂଖ୍ଯା ୩୧୪ରେ ପହଞ୍ଚିଛି ଏବଂ ୧୫୬ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ସ୍ଥାନୀୟ ଲୋକେ ପ୍ରକୃତି ପ୍ରଳକୁ ଆଖିରେ ଦେଖି ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସେମାନେ ବଖାଣିଛନ୍ତି ଭୟଙ୍କର ଅନୁଭୂତି ।
କେମିତି ହଠାତ୍ କାଦୁଅ ମିଶା ପାଣି ମାଡିଆସିଲା ଆଉ ଜନଜୀବନ ଉପରେ ମାଡିଗଲା ତାର ଲୋମଟାଙ୍କୁରା ଚିତ୍ର ବଖାଣିଛନ୍ତି ଲୋକେ । ପାଣିର ପ୍ରଖର ସୁଅ ଗାଁ ଆଡକୁ ମାଡିଗଲା । ପାଣିରେ ବଡ ବଡ ପଥର ବି ଭାସି ଆସିଥିଲା ଆଉ ସେହି ପଥର ପାଡରେ ଘର ଦ୍ବାର ସବୁ ଭାଙ୍ଗି ରୁଜି ଚୁନା ହୋଇଗଲା । ଗୋଟେ ଗୋଟେ ଗାଁ କାଦୁଅ ପାଣିର ଆଁରେ ଫସିଗଲେ । ଘରେ ଘରେ ମାଟି ମିଶା ବନ୍ୟା ପାଣି ପଶିଯାଇଛି । ପୂରା ଅଞ୍ଚଳ ପାହାଡି ପଥର ତଳେ ଚାପି ହୋଇ ପଡିଛି । ବଡ ବଡ ମେସିନରେ ଉଦ୍ଧାର କାମ ଚାଲିଛି । କିଛି ଲୋକ ବିଲ୍ଡିଂ ତଳେ ଚାପି ହୋଇ ରହିଛନ୍ତି । ପଥର ତଳେ, ମାଟି ତଳେ ଅନେକ ଜୀବନ ଚାପି ହୋଇ ରହିଛି । ଉଦ୍ଧାରକାମ ଜୋରଦାର ଚାଲିଛି ।
ତେବେ ସବୁଠାରୁ ବଡ଼ କଥା ହେଉଛି ଏକ ବିବାହ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଏ ପ୍ରଳୟ ମାଡି ଆସିଥିଲା ଏବଂ ସମସ୍ତେ ସେଥିରେ ଫସିଯାଇଛନ୍ତି । ପାକିସ୍ତାନୀ ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ପ୍ରଳୟ ପରେ ମୃତ୍ୟୁ ସଂଖ୍ୟା ୧ ହଜାର ଛୁଇଁବା ଆଶଙ୍କା ରହିଛି ।