ଶିଖ୍‌ ତୀର୍ଥଯାତ୍ରୀଙ୍କ ଲାଗି ପାକିସ୍ତାନ ପଞ୍ଜାବ ସୀମାରେ ରାସ୍ତା ଖୋଲିବ: ନିଷ୍ପତ୍ତିକୁ ସ୍ୱାଗତ କଲେ ସିଦ୍ଧୁ

ନୂଆଦିଲ୍ଲୀ: ପାକିସ୍ତାନରେ ଇମ୍ରାନ୍‌ ଖାନ୍‌ଙ୍କ ସରକାର ଶାସନକୁ ଆସିବା ପରେ ଆଜି ଘୋଷଣା କରିଛନ୍ତି ଯେ ଭାରତର ଶିଖ୍‌ ତୀର୍ଥଯାତ୍ରୀଙ୍କ ଲାଗି ଖୁବ୍‌ ଶୀଘ୍ର କର୍ତ୍ତାରପୁର ସୀମାରେ ଏକ ରାସ୍ତା ଖୋଲାଯିବ। ପାକିସ୍ତାନର ପଞ୍ଜାବ ପ୍ରଦେଶର ନରୋଓ୍ଵାଲ ଜିଲ୍ଲାରେ ଅବସ୍ଥିତ କର୍ତ୍ତାରପୁର ସାହିବ ଗୁରୁଦ୍ୱାରରେ ଶିଖମାନଙ୍କର ପ୍ରଥମ ଗୁରୁଙ୍କର ସମାଧି ରହିଛି। ଗୁରୁ ନାନକଙ୍କର ୫୫୦ତମ ଜନ୍ମତିଥି ଅବସରରେ କର୍ତ୍ତାର ସାହିବକୁ ଯିବା ଲାଗି ଇଚ୍ଛୁକ ତୀର୍ଥଯାତ୍ରୀଙ୍କ ସୁବିଧା ନିମନ୍ତେ ପାକିସ୍ତାନ ପକ୍ଷରୁ ସୀମାନ୍ତରେ ଏକ ଗେଟ୍‌ ତିଆରି କରାଯିବା ସହ ରାସ୍ତା ନିର୍ମାଣ ହେବ ବୋଲି ପାକିସ୍ତାନୀ ସରକାର ଘୋଷଣା କରିଛନ୍ତି। ଗୁରୁ ନାନକଙ୍କ ୫୫୦ତମ ଜନ୍ମତିଥି ୨୦୧୯ ନଭେମ୍ବରରେ ଅନୁଷ୍ଠିତ ହେବ।

ଏହି ଘୋଷଣାକୁ ସ୍ୱାଗତ କରିଛନ୍ତି ପଞ୍ଜାବର କ୍ୟାବିନେଟ ମନ୍ତ୍ରୀ ତଥା ପୂର୍ବତନ କ୍ରିକେଟର ନବଜୋତ ସିଂ ସିଦ୍ଧୁ। ସେ କହିଛନ୍ତି, ବହୁ ଶିଖ୍‌ ଧର୍ମାବଲମ୍ବୀଙ୍କର ବହୁ ବର୍ଷ ଧରି ଇଚ୍ଛା ରହିଥିଲା କି କର୍ତ୍ତାରପୁର ସାହିବ ଯାଇ ସମାଧି ଦର୍ଶନ କରିବା, ଯାହା ଏବେ ପୂରଣ ହୋଇପାରିବ। ମୁଁ ଏଥିପାଇଁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ଙ୍କୁ ଧନ୍ୟବାଦ ଜଣାଉଛି। ଏଥିସହ ସିଦ୍ଧୁ କହିଛନ୍ତି ଯେ, ଇମ୍ରାନ୍‌ ରାଜନୀତି ଓ ଧର୍ମକୁ ଅଲଗା କରି ଏହି ନିଷ୍ପତ୍ତି ନେଇଛନ୍ତି, ଯାହା ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଦୂରତାକୁ ହ୍ରାସ କରିବ।

ସମ୍ବନ୍ଧିତ ଖବର