ଭାରତର ‘ରାଫେଲ୍‌’କୁ ମୁକାବିଲା କରିବା ଲାଗି ପାକିସ୍ତାନକୁ ମିଳିଲା ଚୀନ୍‌ ନିର୍ମିତ ‘ଜେ-୧୦ସି’ ଲଢୁଆ ବିମାନ

ଇସ୍‌ଲାମାବାଦ୍‌: ଦେଶର ଯୁଦ୍ଧ ସାମର୍ଥ୍ୟ ଉନ୍ନତ କରିବା ନିମନ୍ତେ ଶୁକ୍ରବାର ଦିନ ପାକିସ୍ତାନ ଔପଚାରିକ ଭାବେ ତା’ର ବାୟୁସେନାରେ ନାନା ପ୍ରକାର ଭୂମିକା ନିର୍ବାହ କରିପାରୁଥିବା ‘ଜେ-୧୦ସି’ ଲଢୁଆ ଜେଟ୍‌ ସାମିଲ୍‌ କରିଛି। ଉକ୍ତ ଲଢୁଆ ବିମାନଗୁଡ଼ିକୁ ପାକିସ୍ତାନ ତା’ର ଦୁଃଖସୁଖର ବନ୍ଧୁ ଚୀନ୍‌ ଠାରୁ ପାଇଛି।

Image Courtesy of NDTV

ଏହି ଅବସରରେ ପାକିସ୍ତାନର ପଞ୍ଜାବ ପ୍ରଦେଶ ଅନ୍ତର୍ଗତ ଅଟୋକ ଜିଲ୍ଲାର ମିନ୍‌ହାସ୍‌ କମ୍‌ରାସ୍ଥିତ ପାକିସ୍ତାନ ବାୟୁସେନା ଘାଟିରେ ଆୟୋଜିତ ଉତ୍ସବରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଉଦ୍‌ବୋଧନ ଦେଇ କହିଲେ, ଦୁଃଖର ବିଷୟ, ଏ ଅଞ୍ଚଳରେ ଅସନ୍ତୁଳନତା ସୃଷ୍ଟି  କରିବାକୁ ଉଦ୍ୟମ କରାଯାଉଛି। ତେଣୁ ସେଭଳି ପରିସ୍ଥିତିର ମୁକାବିଲା ନିମନ୍ତେ ଆଜି ଆମ ପ୍ରତିରକ୍ଷା ବ୍ୟବସ୍ଥାରେ ଏକ ଗୁରୁତ୍ବପୂର୍ଣ୍ଣ ସମିଶ୍ରଣ କରାଯାଇଛି।

ସୂଚନାଯୋଗ୍ୟ, ଭାରତ ଫ୍ରାନ୍‌ସ୍‌ରୁ ରାଫେଲ୍‌ ଲଢୁଆ ଜେଟ୍‌ ଖରିଦ କରିବା ପ୍ରସଙ୍ଗକୁ ପ୍ରକାରନ୍ତରେ ଇଙ୍ଗିତ କରି ଇମ୍ରାନ୍‌ ଖାଁ ଏଭଳି ମନ୍ତବ୍ୟ ଦେଇଛନ୍ତି।

Image Courtesy of The Economic Times

ପ୍ରାୟ ୪୦ ବର୍ଷ ପରେ ପାକିସ୍ତାନ ପାଇଁ ଏହା ଗୋଟାଏ ଗୁରୁତ୍ବପୂର୍ଣ୍ଣ ବେଳା ବୋଲି ଇମ୍ରାନ୍‌ ଖାଁ କହିଥିଲେ। କାରଣ ୪ ଦଶନ୍ଧି ପୂର୍ବେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରଦତ୍ତ ‘ଏଫ୍‌-୧୬’ ଲଢୁଆ ବିମାନ ପାକିସ୍ତାନ ବାୟୁସେନାରେ ସାମିଲ୍‌ କରାଯାଇଥିଲା।

ଏହି ଅବସରରେ, ‘ଚିଫ୍‌ ଅଫ୍‌ ଏୟାର୍‌ ଷ୍ଟାଫ୍‌’ ତଥା ‘ଏୟାର୍‌ ଚିଫ୍‌ ମାର୍ସାଲ୍‌’ ଜହୀର୍‌ ଅହମଦ୍‌ ବାବର ସିଦ୍ଧୁ କହିଥିଲେ, ‘ଜେସି-୧୦’ ହେଉଛି ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ଭରା, ଉନ୍ନତ ବୈଷୟିକ ଜ୍ଞାନକୌଶଳରେ ନିର୍ମିତ ଲଢୁଆ ବିମାନ। ଏହା ପାକିସ୍ତାନ ବାୟୁସେନାର ମୁକାବିଲା କ୍ଷମତାକୁ ସୁଦୃଢ଼ କରିବ।

ମାର୍ଚ ୨୩ ତାରିଖ ବାର୍ଷିକ ‘ପ୍ରତିରକ୍ଷା ଦିବସ ପରେଡ୍‌’ରେ ଏହି ନୂତନ ଜେଟ୍‌ର ପ୍ରଦର୍ଶନ କରାଯିବ ବୋଲି ପାକିସ୍ତାନ ଘୋଷଣା କରିଛି। କିନ୍ତୁ, ଚୀନ୍‌ କେତେ ସଂଖ୍ୟକ ‘ଜେ-୧୦ସି’ ଲଢୁଆ ବିମାନ ଯୋଗାଇଛି, ତାହା ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର