ସିଦ୍ଧୁଙ୍କୁ ମିଳିଲା ଅନୁମତି, ଅନୁମତି ନ ଦେଲେ ବି କର୍‌ତାରପୁର ଯିବାକୁ ଘୋଷଣା କରିଥିଲେ

ନୂଆଦିଲ୍ଲୀ: କର୍‌ତାରପୁର କରିଡର୍‌ ଉଦ୍‌ଘାଟନ ଉତ୍ସବରେ ଅତିଥି ଭାବେ ଯୋଗ ଦେବାକୁ ପୂର୍ବତନ କ୍ରିକେଟ୍‌ ଖେଳାଳି ତଥା କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁଙ୍କୁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିଛନ୍ତି। ତେବେ ବିଦେଶ ବିଭାଗକୁ ବାରମ୍ବାର ଚିଠି ଲେଖିଥିଲେ ମଧ୍ୟ କୌଣସି ଉତ୍ତର ପାଉ ନଥିବା ଦର୍ଶାଇ କ୍ଷୁବ୍ଧ ସିଦ୍ଧୁ ସରକାର ଅନୁମତି ନଦେଲେ ମଧ୍ୟ ସେ ପାକିସ୍ତାନ ଯିବେ ବୋଲି ଘୋଷଣା କରିଥିଲେ। କର୍‌ତାରପୁର କରିଡର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେବା ଉଦ୍ଦେଶ୍ୟରେ ଆବଶ୍ୟକ ଅନୁମତି ହାସଲ ପାଇଁ ସିଦ୍ଧୁ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟକୁ ୩ଟି ପତ୍ର ଲେଖିଥିଲେ। ସରକାର ଏ ବବାଦରେ ନିଷ୍ପତ୍ତି ନେବା ପୂର୍ବରୁ ସିଦ୍ଧୁ ଧୈର୍ଯ୍ୟହରା ହୋଇ ବିନା ଅନୁମତିରେ ବି ପାକିସ୍ତାନ ଯିବେ ବୋଲି ଗଣମାଧ୍ୟମକୁ କହିଥିଲେ। ଅନ୍ୟପକ୍ଷରେ ସିଦ୍ଧୁଙ୍କ କର୍‌ତାରପୁର ଗସ୍ତ ପାଇଁ ପାକିସ୍ତାନ ଆଜି ଭିସା ଜାରି କରିଛି। ପୂର୍ବରୁ ସିଦ୍ଧୁ ପାକିସ୍ତାନକୁ ସୁହାଇବା ଭଳି ଅନେକ ମନ୍ତବ୍ୟ ଦେଇ ବିବାଦରେ ଥିବା ବେଳେ ଏଥର ମଧ୍ୟ ତାଙ୍କ ଗସ୍ତ ପାଇଁ ସମାଲୋଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର