ଇସ୍ଲାମାବାଦ: ଭାରତ ଗୋଟିଏ ସର୍ଜିକାଲ୍ ଷ୍ଟ୍ରାଇକ୍ କଲେ ପାକିସ୍ତାନ ୧୦ଟି ସର୍ଜିକାଲ୍ ଷ୍ଟ୍ରାଇକ୍ କରିବ ବୋଲି ଶନିବାର ଦିନ ପାକିସ୍ତାନ ଚେତାବନୀ ଦେଇଛି। ଆଣବିକ ଅସ୍ତ୍ରଧାରୀ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଏହା ହେଉଛି ସଦ୍ୟତମ ବାକ୍-ଯୁଦ୍ଧ। ପାକିସ୍ତାନ ମିଲିଟାରିର ଇଣ୍ଟର୍ ସର୍ଭିସେସ୍ ପବ୍ଲିକ୍ ରିଲେସନ୍ସ୍ର ମୁଖପାତ୍ର ମେଜର୍ ଜେନେରାଲ୍ ଅସିଫ୍ ଗଫୁର୍ ଲଣ୍ଡନ୍ରେ ଏକ ଗଣମାଧ୍ୟମକୁ ଏ କଥା କହିଛନ୍ତି। ପାକିସ୍ତାନର ସେନା ମୁଖ୍ୟ ଜେନେରାଲ୍ କମାର୍ ଜାବେଦ୍ ବାଜ୍ଓ୍ଵାଙ୍କ ସହ ସେ ଇଂଲଣ୍ଡ ଗସ୍ତରେ ଅଛନ୍ତି।
ଯଦି ଭାରତ ପାକିସ୍ତାନ ମଧ୍ୟରେ ସର୍ଜିକାଲ୍ ଷ୍ଟ୍ରାଇକ୍ କରିବାକୁ ସାହସ କରେ, ଜବାବରେ ସେ ୧୦ଟି ସର୍ଜିକାଲ୍ ଷ୍ଟ୍ରାଇକ୍ର ସମ୍ମୁଖୀନ ହେବ ବୋଲି ଗଫୁର୍ କହିଥିବା ରେଡିଓ ପାକିସ୍ତାନ କହିଛି।
ସେ ଆହୁରି ମଧ୍ୟ କହିଛନ୍ତି, ଯେଉଁମାନେ ଆମ ବିରୋଧରେ ଦୁଃସାହସ କରିବାକୁ ଚିନ୍ତା କରୁଛନ୍ତି ପାକିସ୍ତାନର ସାମର୍ଥ୍ୟ ଉପରେ ସେମାନଙ୍କ ମନରେ ସନ୍ଦେହ ନ ରହିବା ଉଚିତ।
ସେ କହିଛନ୍ତି ଯେ ପାକିସ୍ତାନ ସେନା ହେଉଛି ୫୦ ବିଲିୟନ୍ ଆମେରିକାନ୍ ଡଲାର୍ ମୂଲ୍ୟର ଚୀନ୍ ପାକିସ୍ତାନ ଇକୋନମିକ୍ କରିଡର୍ର ଜଗୁଆଳି ଏବଂ ସେ ବିଶାଳ ପ୍ରକଳ୍ପ ଦେଶର ଅର୍ଥନୀତିକୁ ସମୃଦ୍ଧ କରିବ।
ଗଫୁର କହିଲେ ଯେ ସେନା ପାକିସ୍ତାନରେ ଗଣତନ୍ତ୍ରକୁ ମଜଭୁତ କରିବାକୁ ଚାହୁଁଛି। ଜୁଲାଇ ମାସରେ ଅନୁଷ୍ଠିତ ହୋଇଥିବା ସାଧାରଣ ନିର୍ବାଚନ ହେଉଛି ଦେଶର ଇତିହାସରେ ସବୁଠୁ ସ୍ୱଚ୍ଛ ନିର୍ବାଚନ।
ଗଣମାଧ୍ୟମ ପ୍ରତି କଟକଣା ଲାଗୁ କରାଯାଇଥିବା କଥାକୁ ସେ ଅସ୍ୱୀକାର କରିବା ପୂର୍ବକ କହିଲେ ଯେ ଦେଶରେ ଭାବ ପ୍ରକାଶ ପାଇଁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଛି।