ବାରମ୍ବାର ଆଲୋଚନା ପରେ ଶେଷରେ ଇସଲାମାବାଦରେ ନିର୍ମାଣ ହେବାକୁ ଯାଉଛି ପ୍ରଥମ ହିନ୍ଦୁ ମନ୍ଦିର

ପାକିସ୍ତାନ:ପାକିସ୍ତାନର ରାଜଧାନୀ ଇସଲାମାବାଦରେ ନିର୍ମାଣ ହେବାକୁ ଯାଉଛି ପ୍ରଥମ ହିନ୍ଦୁ ମନ୍ଦିର । କିଛଦିନ ହେବ ସେଠାରେ ମନ୍ଦିର ନିର୍ମାଣ ନେଇ ବିବାଦ ଦେଖା ଦେଇଥିଲା । ସେଠିକାର ସରକାର ପ୍ରଥମେ ହିନ୍ଦୁ ମନ୍ଦିର ପାଇଁ ଆବଣ୍ଟିତ ଜମିକୁ ରଦ୍ଦ କରିଦେଇଥିଲେ। ପ୍ରଥମେ ଏହି ଜମିରେ ହିନ୍ଦୁ ମନ୍ଦିର, ଶ୍ମସାନ ଘାଟ ଓ ସାମୁଦାୟିକ କେନ୍ଦ୍ର ନିର୍ମାଣ ହେବା ନେଇ ସ୍ଥାନୀୟ ପ୍ରଶାସନ ନିଷ୍ପତ୍ତି ନେଇଥିଲା । ଏ ନେଇ ବାରମ୍ବାର ଆଲୋଚନା ପରେ ଶେଷରେ ଏହି ଜମି ଉପରେ ଏବେ ହିନ୍ଦୁ ମନ୍ଦିର ନିର୍ମାଣ କରାଯିବା ନେଇ ନିଷ୍ପତ୍ତି ହୋଇଛି ।

ପାକ୍ ଖବର କାଗଜ ‘ଡନ’ର ରିପୋର୍ଟ ମୁତାବକ ରାଜଧାନୀ ବିକାଶ ପ୍ରାଧିକରଣ (ସିଡିଏ) ଇସଲାମାବାଦ ହାଇକୋର୍ଟରେ ଶୁଣାଣି ବେଳେ କହିଥିଲା କି ହିନ୍ଦୁ ମନ୍ଦିର ନିର୍ମାଣ ପାଇଁ ଆବଣ୍ଟିତ ଜମିକୁ ରଦ୍ଦ କରାଯାଇଛି । ସିଡିଏ ଓକିଲ ଜାଭେଦ୍ ଇକବାଲ ଅଦାଲତଙ୍କୁ କହିଥିଲେ କି  ଚଳିତବର୍ଷ ଫେବୃଆରି ମାସରେ  ହିନ୍ଦୁ ସମୁଦାୟଙ୍କ ଲାଗି ଉଦ୍ଦିଷ୍ଟ ଏହି ଜମିକୁ ରଦ୍ଦ କରାଯାଇଥିଲା । ଏହାର କାରଣ ହେତୁ  ଏଠାରେ ନିର୍ମାଣ ଆରମ୍ଭ ହୋଇପାରି ନଥିବା କଥା ଓକିଲ କୋର୍ଟଙ୍କୁ ଅବଗତ କରାଇଥିଲେ ।

ରିପୋର୍ଟ ମୁତାବକ ଇସଲାମାବାଦରେ ୦.୫ ଏକର ଜମିକୁ ୨୦୧୬ ମସିହାରେ ହିନ୍ଦୁ ସମୁଦାୟ ପାଇଁ ଆବଣ୍ଟିତ କରାଯାଇଥିଲା । ଏହି ଜମିରେ ହିନ୍ଦୁ ମନ୍ଦିର, ଶ୍ମସାନ ଘାଟ ଓ ସାମୁଦାୟିକ କେନ୍ଦ୍ର ନିର୍ମାଣ କରାଯିବାକୁ ନିଷ୍ପତ୍ତି ହୋଇଥିଲା । ଆବଣ୍ଟନ ରଦ୍ଦ ହେବା ଖବର ଆସିବା ପରେ ସୋସିଆଲ ମିଡିଆରେ ହିନ୍ଦୁ ସମୁଦାୟ ପ୍ରତିକ୍ରିୟା ପ୍ରକାଶ କରିଥିଲା । ସିଡିଏ ତାର ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ହିନ୍ଦୁ ସମୁଦାୟ ଦାବି କରିଥିଲା । ଏହାପରେ ସିଡିଏ ପକ୍ଷରୁ ଉକ୍ତ ଜମିରେ ହିନ୍ଦୁ ମନ୍ଦିର ନିର୍ମାଣ କରିବାକୁ ଅନୁମତି ଦେଇଛି ।

କହିରଖୁ କି ଗତବର୍ଷ ଜୁଲାଇ ମାସରେ ପାକିସ୍ତାନର କଠୋରପନ୍ଥୀମାନେ ଇସଲାମାବାଦରେ ସରକାରୀ ଅର୍ଥରେ ହିନ୍ଦୁ ମନ୍ଦିର ନିର୍ମାଣକୁ ସମାଲୋଚନା କରିଥିଲେ । ଏହାକୁ ନେଇ ସିଡିଏ ନିର୍ମାଣ କାର୍ଯ୍ୟ ବନ୍ଦ କରିଦେଇଥିଲା । ହେଲେ ଗତବର୍ଷ ଡିସେମ୍ବର ମାସରେ ଏହି ସମସ୍ୟାର ସମାଧାନ ହେବା ସହିତ ଏଠାରେ ଏବେ ହିନ୍ଦୁ ମନ୍ଦିର ନିର୍ମାଣ ହେବାକୁ ଯାଉଛି ।

ସମ୍ବନ୍ଧିତ ଖବର