ପାର୍ଲାମେଣ୍ଟ ଭଙ୍ଗ ନିଷ୍ପତ୍ତି ଅସମ୍ବିଧାନିକ ରାୟର ପୁର୍ନବିଚାର ପାଇଁ ସୁପ୍ରିମକୋର୍ଟରେ ଆବେଦନ କଲା ଇମ୍ରାନଙ୍କ ଦଳ

ଇସାଲାମାବାଦ: ଏପ୍ରିଲ ୭ରେ ପାକିସ୍ତାନ ସୁପ୍ରିମକୋର୍ଟ ଶୁଣାଇଥିବା ରାୟକୁ ବିରୋଧ କରି ଆଜି ପୁର୍ନବିଚାର ପାଇଁ ଆବେଦନ କରିଛି ପାକିସ୍ତାନ ତେହେରିକ୍-ଇ-ଇନସାଫ୍(ପିଟିଆଇ)। ତେବେ ଆଜି ରାତିରେ ବିରୋଧୀ ଦଳ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଭୋଟ୍ ହେବାର ଅଛି। ଏହା ପୂର୍ବରୁ ଇମ୍ରାନ ଖାନଙ୍କ ପାର୍ଟି ପିଟିଆଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ସମୀକ୍ଷା ଆବେଦନ କରିଛି।

ଏପ୍ରିଲ ୭ରେ ପାକିସ୍ତାନ ରାଷ୍ଟ୍ରପତି ଆରିଫ ଆଲଭିଙ୍କ ଦ୍ବାରା ନ୍ୟାସନାଲ ଆସେମ୍ବଲି ( ଭାରତର ସଂସଦ ପରି) ଭଙ୍ଗ ନିଷ୍ପତ୍ତି ଅସମ୍ବିଧାନିକ ବୋଲି ପାକିସ୍ତାନ ସୁପ୍ରିମକୋର୍ଟ ରାୟ ଶୁଣାଇଥିଲେ। ଏହା ସହିତ ସୁପ୍ରିମକୋର୍ଟ ନ୍ୟାସନାଲ ଆସେମ୍ବଲି ଭଙ୍ଗକୁ ରଦ୍ଦ କରିବା ସହ ଏପ୍ରିଲ ୯ ତାରିଖ ଅର୍ଥାତ ଶନିବାର ଦିନ ୧୦ଟା ବେଳେ ଇମ୍ରାନ ଖାଁ ସରକାରଙ୍କ ବିରୋଧରେ ଆସ୍ଥା ଭୋଟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି ଦିନ ୧୦ଟାରେ ଭୋଟ ଗ୍ରହଣ ଥିବା ବେ‌ଳେ ଇମ୍ରାନ ଖାନଙ୍କ ଦଳ ବିଭିନ୍ନ ବାହାନା ନେଇ ଭୋଟ ଗ୍ରହଣ ବିଳମ୍ବ କରିବାରେ ଲାଗିଛି। ଏବେ ସନ୍ଧ୍ୟା ୮ଟାରେ ‌ଭୋଟ ଗ୍ରହଣ‌ ହେବ ବୋଲି କୁହାଯାଉଛି। ହେଲେ ଏହା ପୂର୍ବରୁ ନିଜ ସରକାର ବଞ୍ଚାଇବା ପାଇଁ ପିଟିଆଇ ପକ୍ଷରୁ ସୁପ୍ରିମକୋର୍ଟରେ ପୁର୍ନବିଚାର ଆବେଦନ କରାଯାଇଛି।

ଅନ୍ୟପକ୍ଷରେ ଇମ୍ରାନଙ୍କ ଏଭଳି ଆଚରଣକୁ ଦେଖି ସେ ମାନସିକ ରୋଗୀ ବୋଲି କହିଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ଶରିଫଙ୍କ ଝିଅ ମରିୟମ ନୱାଜ ଶରିଫ୍। ଟ୍ବିଟ କରି ମରିୟମ ନୱାଜ ସରିଫ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ହୋସରେ ନାହାନ୍ତି, ତାଙ୍କୁ ଦେଶର ଦାୟିତ୍ବ ଦେଇ ବିନାଶ କରିବାକୁ ଦିଆଯାଇପାରିବ ନାହିଁ। ତାଙ୍କୁ ପ୍ରଧାନମନ୍ତ୍ରୀ କିମ୍ବା ପୂର୍ବତନ ପ୍ରଧାନମନ୍ତ୍ରୀ ଭାବରେ ସମ୍ମାନ ଦିଆଯିବା ଉଚିତ ନୁହେଁ। ସେ ହେଉଛନ୍ତି ଜଣେ ମାନସିକ ରୋଗୀ, ଯିଏ ନିଜକୁ ବଞ୍ଚାଇବା ପାଇଁ ସମଗ୍ର ଦେଶକୁ ବନ୍ଧକ ପକାଇଛନ୍ତି।

ସମ୍ବନ୍ଧିତ ଖବର