ନୂଆଦିଲ୍ଲୀ: ଫାଶୀଦଣ୍ଡାଦେଶ ପାଇଥିବା ପୂର୍ବତନ ଭାରତୀୟ ନୌସୈନିକଙ୍କୁ ମୁକ୍ତ କରିଛନ୍ତି କତର ସରକାର। ଏହାକୁ ଭାରତର ଏକ କୂଟନୈତିକ ସଫଳତା ଭାବେ ଦେଖାଯାଉଛି । ତେବେ କିପରି ସେମାନେ ଏହି ଅପରାଧରେ ଅଭିଯୁକ୍ତ ହେଲେ ? ଏ ନେଇ ଖୋଳତାଡ଼ ଆରମ୍ଭ ହୋଇଛି । ଏକ ବଡ଼ ଧରଣର ଷଡ଼ଯନ୍ତ୍ର କରି ସେମାନଙ୍କୁ ଫସାଇଦିଆଯାଇଥିବା ସଂଦେହ କରାଯାଉଛି । ଏହି ଷଡ଼ଯନ୍ତ୍ର ପଛରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ଥିବା କୁହାଯାଉଛି ।
ପାକିସ୍ତାନ ଆଇଏସଆଇ ସହାୟତାରେ ଏହି ଭାରତୀୟମାନଙ୍କୁ ଫସାଇଛି ବୋଲି ସୁରକ୍ଷା ବିଶେଷଜ୍ଞ କମର ଆଗା କହିଛନ୍ତି। କତରର ସେନା ଓ ଗୁଇନ୍ଦା ଏଜେନ୍ସି ଗୁଡ଼ିକରେ ଅନେକ ପାକିସ୍ତାନୀ ଲୋକ ଅଛନ୍ତି । ସେମାନଙ୍କ ସହାୟତାରେ ଏହି ଷଡ଼ଯନ୍ତ୍ରକୁ କାର୍ଯ୍ୟକାରୀ କରାଯାଇଥିବା ସଂଦେହ କରାଯାଉଛି ।
ମୁସଲିମ ହୋଇଥିବାରୁ ପାକିସ୍ତାନୀ ସେନା ଏବଂ ଏହାର ଲୋକମାନଙ୍କୁ ପୂର୍ବରୁ ଆରବ ଦେଶମାନଙ୍କରେ ପ୍ରୋତ୍ସାହିତ କରାଯାଉଥିଲା । ବର୍ତ୍ତମାନ ଏଠାରେ ଏକ ପରିବର୍ତ୍ତନ ଆସୁଛି ଏବଂ ଭାରତୀୟମାନଙ୍କୁ ଏବେ ଅଧିକ ସୁଯୋଗ ମିଳୁଛି । ବୈଷୟିକ ଦୃଷ୍ଟିରୁ ଭାରତୀୟମାନେ ପାକିସ୍ତାନୀଙ୍କ ଠାରୁ ବହୁତ ଆଗରେ ଅଛନ୍ତି। ଭବିଷ୍ୟତର ଶିଳ୍ପ ହେଉଛି ଆଇଟି ଏବଂ ଏଆଇ ଯେଉଁଠାରେ ଭାରତ ବହୁତ ଆଗରେ ଅଛି | ଉପସାଗରୀୟ ଦେଶଗୁଡ଼ିକ ନୂଆ ଟେକ୍ନୋଲୋଜି ଉପରେ ସର୍ବାଧିକ ଧ୍ୟାନ ଦେଉଛନ୍ତି। ଏହି ଦେଶମାନଙ୍କରେ ଏକ ବୃହତ ଜନସଂଖ୍ୟା ଅଛି ଏବଂ ସେମାନେ ଭାରତରୁ ଭଲ ଏବଂ ଶସ୍ତା ଶ୍ରମିକ ପାଆନ୍ତି | ଭାରତୀୟ ଶ୍ରମିକ ଖୁବ୍ ଶୀଘ୍ର ନୂତନ ଜ୍ଞାନକୌଶଳ କୁ ଆପଣାଉଛନ୍ତି । କିନ୍ତୁ କତରରେ ଭାରତୀୟଙ୍କ ପ୍ରାଧାନ୍ୟ କମାଇବାକୁ ପାକିସ୍ତାନ ଉଦ୍ୟମ କରୁଛି ।