ଧରାପଡ଼ିଲା ପାକିସ୍ତାନର ଆଉ ଏକ ଷଡ଼ଯନ୍ତ୍ର, ଭାରତର ନାଗରିକତା ଆଇନ ସଂପର୍କରେ ଇରାନରେ ମିଥ୍ୟା ପ୍ରଚାର ଚଳାଇଛି

ନୂଆଦିଲ୍ଲୀ : ଭାରତରେ ଚାଲିଥିବା ନାଗରିକତା (ସଂଶୋଧନ) ଆଇନ ବିରୋଧୀ ଆନ୍ଦୋଳନ ପାକିସ୍ତାନକୁ ବେଶ ସୁହାଉଛି । ଏହି ମୌକାରେ ଭାରତରେ ଅସ୍ଥିରତା ସୃଷ୍ଟିକରିବାକୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଉଦ୍ୟମ କରୁଛି । କେବଳ ଏତିକି ନୁହେଁ ଭାରତର ଅନ୍ତର୍ଜାତୀୟ ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବା ସହ ବନ୍ଧୁରାଷ୍ଟ୍ରମାନଙ୍କ ସହ ସମ୍ପର୍କ ଖରାପ କରିବାକୁ ପାକିସ୍ତାନ ଷଡ଼ଯନ୍ତ୍ର କରୁଥିବା ଜଣାପଡ଼ିଛି ।

ଗତ ଡିସେମ୍ବର ୨୧ ଓ ୨୨ ତାରିଖରେ ଭାରତର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର ଇରାନ ଗସ୍ତରେ ଯାଇଥିଲେ । ଏହି ସମୟରେ ସେଠାରେ ଥିବା ପ୍ରବାସୀ ଭାରତୀୟ ଓ ଭାରତୀୟ ବଂଶୋଦ୍ଭବଙ୍କ ନାଁରେ ଏକ ପତ୍ର ଇରାନର ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ଜୟଶଙ୍କରଙ୍କୁ ଲେଖାଯାଇଥିବା ଏହି ପତ୍ରରେ ଲେଖାଥିଲା ଯେ ଭାରତର ବର୍ତ୍ତମାନ ସରକାରଙ୍କ ନୀତି ଦେଶର କୋଟି କୋଟି ଲୋକଙ୍କ ଜୀବନ ପ୍ରତି ବିପଦ ମାଡ଼ିଆସିଛି । ବର୍ଷ ବର୍ଷ ଧରି ଚାଲିଥିବା ଶାନ୍ତିପୂର୍ଣ୍ଣ ସହାବସ୍ଥାନ ବିପନ୍ନ ହୋଇଛି । ଏଣୁ ଆମେ ଆପଣଙ୍କ ଗସ୍ତ କାଳରେ ଆପଣଙ୍କଠାରୁ ଆମ ପ୍ରଶ୍ନର ଉତ୍ତର ଚାହୁଁଛୁ ।

ତେବେ ପରେ ଜଣାପଡ଼ିଲା ଯେ ସ୍ଥାନୀୟ ଭାରତୀୟ ସଂପ୍ରଦାୟ ଏପରି କୌଣସି ପତ୍ର ଜୟଶଙ୍କରଙ୍କୁ ଲେଖିନଥିଲେ । ତେହେରାନ ଓ ଜେହେଦାନରେ ପ୍ରାୟ ୧୨୦ ଭାରତୀୟ ବଂଶୋଦ୍ଭବ ଶିଖ ପରିବାର ରହୁଛନ୍ତି । ଭାରତୀୟ ସଂପ୍ରଦାୟ ପକ୍ଷରୁ ଲେଖାଯାଇଥିବା ପତ୍ରରେ ସେମାନେ ସମ୍ମୁଖୀନ ହେଉଥିବା ଭିସା ଓ ଓ୍ଵାର୍କ ପରମିଟ (କାର୍ଯ୍ୟ ଅନୁମତି) ସଂପର୍କିତ ସମସ୍ୟା ଉପରେ ଥିଲା ।
ତେବେ ଉପରୋକ୍ତ ମିଥ୍ୟା ପ୍ରଚାର ପଛରେ ପାକିସ୍ତାନ ଥିବା ଭାରତୀୟ ଗୁଇନ୍ଦା ସଂସ୍ଥାମାନେ ରିପୋର୍ଟ ଦେଇଛନ୍ତି । ଭାରତ-ଇରାନ ସଂପର୍କକୁ କ୍ଷୁର୍ଣ୍ଣ କରିବାକୁ ପାକିସ୍ତାନ ଏହି ଚକ୍ରାନ୍ତ କରିଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର