ଭାରତ ବିରୋଧରେ ଚୀନ୍‌ର ହାତ ବାରିସି ସାଜିଛି ପାକିସ୍ତାନ: ବାୟୁସେନା ମୁଖ୍ୟ ଆରକେଏସ୍‌ ଭଦଉରିଆ

ନୂଆଦିଲ୍ଲୀ: ପାକିସ୍ତାନ ଏବେ ଅଧିକରୁ ଅଧିକ ଚୀନ୍‌ର ଅନୁଗତ ସାଜିବାକୁ ସବୁ ସ୍ତରରୁ ଉଦ୍ୟମ ଆରମ୍ଭ କରିଦେଇଛି। ଏହାର ସୁଯୋଗ ନେଇ ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପରେ ଇସଲାମାବାଦକୁ ହାତ ବାରିସି କରି ବେଜିଂ ଏହି ଅଞ୍ଚଳରେ ନିଜର ପ୍ରଭାବ ବିସ୍ତାର କରିବାକୁ ବିକଳ୍ପ ଖୋଲିଛି ବୋଲି ଏୟାର ଷ୍ଟାଫ୍‌ ମୁଖ୍ୟ ମାର୍ଶଲ ଆର.କେ.ଏସ୍‌ ଭଦଉରିଆ କହିଛନ୍ତି।

ଥିଙ୍କ-ଟ୍ୟାଙ୍କ ବିବେକାନନ୍ଦ ଇଣ୍ଟରନ୍ୟାସନାଲ ଫାଉଣ୍ଡେସନ ଦ୍ୱାରା ଆୟୋଜିତ ଏକ ସେମିନାରକୁ ସମ୍ବୋଧିତ କରିବା ଅବସରରେ ଭାରତୀୟ ବାୟୁସେନା ମୁଖ୍ୟ ଭଦଉରିଆ କହିଛନ୍ତି ଯେ ଚୀନ୍‌ ଉପରେ ପାକିସ୍ତାନର ନିର୍ଭରଶୀଳତା ବଢ଼ିବାକୁ ଯାଉଛି, କାରଣ ଚୀନ୍‌ର ଋଣ ଯନ୍ତାରେ ଛନ୍ଦି ହୋଇଯାଇଛି ପାକିସ୍ତାନ। ଆଉ ଏହି ସୁଯୋଗର ଫାଇଦା ଉଠାଇ ଚୀନ୍‌ ଏବେ ପାକିସ୍ତାନକୁ ଭାରତ ବିରୋଧରେ ନିଜର ହାତ ବାରିସି ରୂପେ ବ୍ୟବହାର କରିବାକୁ ଆରମ୍ଭ କରିଛି। ଯାହାକି ଭାରତର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜାତୀୟ ସୁରକ୍ଷା ପ୍ରତି ଆହ୍ଵାନ ସୃଷ୍ଟି କରିଛି।

News24

ଆଇଏଏଫ୍‌ ମୁଖ୍ୟ ଆହୁରି କହିଛନ୍ତି, ଆଫଗାନିସ୍ତାନରୁ ଆମେରିକୀୟ ସୈନ୍ୟଙ୍କ ପ୍ରସ୍ଥାନ ପରେ ଏହି ଅଞ୍ଚଳରେ ଚୀନ୍‌ ନିଜର ଆଧିପତ୍ୟ ଓ ଦବ୍‌ଦବା ବଢ଼ାଇବା ପାଇଁ ଏବେ ପାକିସ୍ତାନକୁ ମାଧ୍ୟମ କରିଛି। ଖାଲି ଏତିକି ନୁହେଁ ପାକିସ୍ତାନକୁ ହାତକରି ଏଲଏସିରେ ଅସ୍ଥିରତା ସହ ଛାୟା ଯୁଦ୍ଧର ଭୟ ସୃଷ୍ଟି କରାଉଛି। ତେବେ, ଚୀନ୍‌ର ଏ ଚାଲ୍‌ ବାବଦରେ ଭାରତ ଯଥେଷ୍ଟ ସଜାଗ, ସତର୍କ ଓ ସମସ୍ତ ପ୍ରକାରର ଆହ୍ଵାନ ଓ ପ୍ରତିକୂଳ ପରିସ୍ଥିତିର ସଫଳ ମୁକାବିଲା କରିବାକୁ ସବୁ ସ୍ତରରେ ପ୍ରସ୍ତୁତ ହୋଇ ରହିଥିବା ସେ ସ୍ପଷ୍ଟ କରି ଦେଇଛନ୍ତି।

ସମ୍ବନ୍ଧିତ ଖବର